Breaking News

ସାକ୍ଷୀଗୋପାଳରୁ ପୁରୀ ଅଭିମୁଖେ ବଉଳକାଠ ; ଶ୍ରୀ ଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବାପାଇଁ



ସାକ୍ଷୀଗୋପାଳ ---- ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସାକ୍ଷୀଗୋପାଳର ସିଦ୍ଦବକୁଳ ବନରୁ ବଉଳ କାଠ ଯିବାର ପରମ୍ପରା ରହି ଆସିଛି   । ମାତ୍ର କାଳଦି କ୍ରମେ ସିଦ୍ଦବକୁଳ ବନରେ ବଉଳ ଗଛ ଲୋପ ପାଇଯିବାରୁ ଏବେ ପାଖଆଖ ଗ୍ରାମରୁ ବଉଳ କାଠ ସଂଗ୍ରହ କରାଯାଇ ଠାକୁରଙ୍କ କାମ କରାଯାଉଛି । ଏ ବର୍ଷ  ଶାସନ ବିଶ୍ୱନାଥପୁର  ଗ୍ରାମର ଅମୂଲ୍ୟ ମୋହନ ମିଶ୍ର ଓ ତାଙ୍କ ଭାଇ ମହାଦେବ ମିଶ୍ରଙ୍କ ବଗିଚାରୁ ଜଗନ୍ନାଥଙ୍କ ସେବା ପାଇଁ ବଉଳକାଠ ସଂଗ୍ରହ କରାଯାଇଛି  ।  ଗୁରୁବାର ନିର୍ଜଳା ଏକାଦଶୀ ତିଥିରେ ଗଛକୁ ନୀତି ନିୟମ ଅନୁସାରେ କଟାଯାଇ ଶ୍ରୀକ୍ଷେତ୍ରେ ଅଭିମୁଖେ ପଠାଯାଇଛି  । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ଙ୍କ ପହଣ୍ଡି ବିଜେ ପାଇଁ ସେନାପଟ ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ଆବଶ୍ୟକ ପଡିଥାଏ  । ପରମ୍ପରାକ୍ରମେ ଗୁରୁବାର ସକାଳୁ ଶ୍ରୀମନ୍ଦିରର ରଥ ନିର୍ମାଣ ତତ୍ୱାବଧାରକ  ସୁଦର୍ଶନ ମେକାପ,  ବାପି  ମିଶ୍ର,  ବିଶ୍ୱକର୍ମା ନାରାୟଣ ମହାରଣା,  ଭୋଇ ସେବକଙ୍କ ସର୍ଦ୍ଧାର  ରବିଭୋଇ  ଓ କାତ୍ତିକ ଭୋଇ, ମୂଳିଆ  ଭୋଇ,  କଣ୍ଠିଆ ଭୋଇ  ଦିବାକର ଭୋଇ ସାକ୍ଷୀଗୋପାଳର ବିଶ୍ୱନାଥପୁର ଗ୍ରାମରେ ପହଞ୍ଚିଥିଲେ  । ଚିହ୍ନଟ କରାଯାଇଥିବା ବଉଳବୃକ୍ଷରେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ପ୍ରଦାନ ପରେ ବିଶ୍ୱକର୍ମା ସେବକ ପ୍ରଥମେ ଗଛକୁ ଛେଦନ କରିବା ପରେ ଭୋଇ ସେବକ ମାନେ ଗଛକୁ ହାଣିକି ତଳେ ପକାଇଥିଲେ  ।  ବୃକ୍ଷ ଛେଦନ ଆରମ୍ଭରେ ତହସିଲଦାର କସ୍ତୁରୀ ପ୍ରଧାନ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ସାମାଜିକ କର୍ମୀ ଶଙ୍କର ପ୍ରଧାନ ସେଠାରେ ଉପସ୍ଥିତ ରହିଥିଲେ  ।  ପରେ ଆବଶ୍ୟକ ଅନୁଯାୟୀ କାଠକୁ ତିନି ଖଣ୍ଡ କରିବା ପରେ ଶଗଡିରେ ଲଦା ଯିବା ସହ ଚାନ୍ଦୁଆ ଓ ଫୁଲରେ ଘୋଡାଯାଇଥିଲା  । ଶଗଡିକୁ  ବିଶ୍ୱନାଥପୁର ଗ୍ରାମ କୋଠ ପକ୍ଷର ମହାଜନୀ ଓ ଗ୍ରାମବାସୀ ମାନେ କାଠ ଶଗଡିକୁ ମେଲାଣି ଦେଇଥିଲେ  ।  କାଠ ଶଗଡି  ସାକ୍ଷୀଗୋପାଳ  ସିଦ୍ଧବକୁଳ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା  । ସେଠାରେ କିଛି ସମୟ ପାଇଁ ଜନସାଧାରଣଙ୍କ   ଦର୍ଶନ ଉଦ୍ଦ୍ୟେଶ ପାଇଁ ରଖାଯାଇଥିଲା  ।  ଏହି ଅବସରରେ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚପକ୍ଷରୁ  ସିଦ୍ଧବକୁଳ ମନ୍ଦିର ପ୍ରାଙ୍ଗଣରେ ଏକ ଫଟୋଚିତ୍ରର ପ୍ରଦର୍ଶନୀ  ଅନୁଷ୍ଠିତ ହୋଇଥିଲା  ।  ପରେ ପରେ  ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚପକ୍ଷରୁ  ଅନୁଷ୍ଠାନର ସଂପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ତହସିଲଦାର କସ୍ତୁରୀ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିିତା ପ୍ରଧାନ, ବିଡିଓ ସରୋଜ ଦତ୍ତ , ଜିଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ,  ଧୁବ ଚରଣ ଦାଶ ସବୁଜ ପତକା ଦେଖାଇ କାଠ ଶଗଡିକୁ ମେଲାଣି ଦେଇଥିଲେ  । ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ  ମର୍ଦ୍ଦଳବାଦ୍ୟ,  ବୈରଖ , ଶ୍ରୀରାଧା ମଣ୍ଡଳ , ସୁଧର୍ମା ମଣ୍ଡଳ ହରିନାମ କୀର୍ତ୍ତନ ସହିତ  ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ୟାତ୍ମିକ ପଟୁଆରରେ ବ୍ଳକ ଛକସ୍ଥିତ ବାଟମହାବୀର  ନିକଟରେ ଶଗଡିକୁ  ମେଲାଣି ଦେଇଥିଲେ   । ଅନ୍ୟ ମାନଙ୍କ ମଧ୍ୟରେ  ସତ୍ୟବାଦୀ ଆଇନଜୀବୀ ସଂଘର ସଭାପତି ପ୍ରଶାନ୍ତ କୁମାର ନନ୍ଦକବି ସଚ୍ଚିକାନ୍ତ ବିଶ୍ୱାଳ, ସାମ୍ବାଦିକ ହୃଷିକେସ ମହାପାତ୍ର, ଆଇଜୀବୀ ସୁଶାନ୍ତ ରଥ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ଅନୁଷ୍ଠାନର ସହ ସମ୍ପାଦକ ପ୍ରଶାନ୍ତ ବିଶ୍ୱାଳ ଓ ସିଦ୍ଧବଳରାମଙ୍କ ପୂଜକ ଦେବରାଜ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ  ।  ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତଙ୍କ ନେତୃତ୍ୱରେ କାଠ ଶଗଡି ଯିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା  ।  ।   
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts