
ଓଡ଼ଗାଁ ----ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି । ସେମାନେ ହେଲେ ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା । ଗ୍ରାମରେ କିଛି କାମ ନ ଥିବାରୁ ରୋଜଗାର ଆଶାରେ ଏଜେଣ୍ଟଙ୍କ ଜରିଆରେ ୧୧ ମାସ ତଳେ ଉଭୟେ ଦୁବାଇ ଯାଇଥିଲେ। ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ମାସକୁ ୩୫ ହଜାର ଟଙ୍କା ଦରମା ଦେବ ବୋଲି କହି ସେମାନଙ୍କୁ ନେଇଥିଲେ। ସେଠାରେ ଦୁଃଖକଷ୍ଟରେ ରହିବା ସହ ଏକପ୍ରକାର ବନ୍ଦୀଜୀବନ ବିତାଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେଠାରୁ ମୁକୁଳି ଆସିଛନ୍ତି ବୋଲୀ ଲୋତକ ଭରା ଆଖିରେ କହିଥିଲେ । ଶୁକ୍ରବାର ଏମାନେ ଘରକୁ ଫେରିବା ପରେ ପରିବାରରେ ଆନନ୍ଦ ଦେଖିବାକୁ ମିଳିଛି। ସେହିପରି ଘରକୁ ଫେରି ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି । ଜୁଲାଇ ୨୦୧୮ରେ କାମ କରିବା ପାଇଁ ଦୁବାଇ ଯାଇଥିଲେ। ସେଠାରେ ଜଣେ ଠିକାଦାର ତାଙ୍କୁ ରଡ଼ ବାନ୍ଧିବା କାର୍ଯ୍ୟ କରିବାକୁ କହିଥିଲେ । ରହିବା ପାଇଁ ଘର ଦେଇଥିବା ବେଳେ ଖାଇବାକୁ କେବଳ ଭାତ ଓ ଡ଼ାଲି ଦେଉଥିଲେ । ଅନ୍ୟ କିଛି ଉପାୟ ନ ଥିବାରୁ ଏମାନେ ବାଧ୍ୟ ହୋଇ ତାହା ଖାଉଥିଲେ। ତାଙ୍କ ସହିତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରୁ ଯାଇଥିବା ଅନ୍ୟ ୮ ଜଣ ଶ୍ରମିକ ମଧ୍ୟ ଏହି କାମ କରିଥିଲେ। ଦୁଇ ମାସ କାମ କରିବା ପରେ ଆଉ କାମ କରିବାକୁ ଦେଲେ ନାହିଁ। ଖାଇବାକୁ ମଧ୍ୟ ଦିଆଗଲା ନାହିଁ । ଏହିଭଳି ଭାବେ ତାଙ୍କୁ ହଇରାଣ କରାଗଲା । ପ୍ରଥମେ ୨/୪ମାସ ଠିକାଦାର ଜଣଙ୍କ କିଛି ଟଙ୍କା ଦେଇଥିବା ବେଳେ ଅନ୍ୟ ମାସର ଦରମା ଦେଇ ନ ଥିଲେ । ଏପରିକି ନାଲି ଆଖି ମଧ୍ୟ ଦେଖାଉଥିଲେ । ସେଠାରେ କେହି ନ ଥିବାରୁ ଶ୍ରମିକମାନେ ବାଧ୍ୟ ହୋଇ ଡରିମରି ନିର୍ଯାତନା ସହି ରହୁଥିଲେ । ଏହା ପରେ ସେମାନଙ୍କ ମଧ୍ୟରୁ ଗଞ୍ଜାମର ଜଣେ ଶ୍ରମିକ ସେମାନଙ୍କ ନିର୍ଯାତନାର ଦୃଶ୍ୟ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଏହା ପରେ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଦୁବାଇସ୍ଥିତ ଭାରତୀୟ ଦୂତାବାସଙ୍କୁ ଜଣାଇଥିଲେ । ପରେ ୨୬ ତାରିଖରେ ସମସ୍ତ ୧୦ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଶୁକ୍ରବାର ପ୍ରତାପ ଓ ଗୁମାନ ଘରକୁ ଫେରିଛନ୍ତି । ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ପରିବାର ଲୋକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଜୀବନ ଥିବା ପର୍ୟ୍ଯନ୍ତ ଓଡ଼ିଶା ଭିତରେ କାମ କରିବେ, ହେଲେ ବାହାରକୁ ଯିବେ ନାହିଁ ବୋଲି ପ୍ରତାପ ଓ ଗୁମାନ ପ୍ରତିଞା କରିଥିବା କହିଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳାଇ