ବୁଡାଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ସବୁ ଥାଇ କିଛି ନାହିଁ , ରୋଗି ପାଉନାହାନ୍ତି ସେବା
ବାଲିଗୁଡା--- ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏନେଇ ରାଜ୍ଯକୋଷରୁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ହେଲେ କିଛି ଦାୟିତ୍ୱହୀନ କର୍ମଚାରୀଙ୍କ ହୀନ ମାନସିକତା ଯୋଗୁଁ ଅଞ୍ଚଳବାସୀ ପାଇପାରୁନାହାନ୍ତି ଉପଯୁକ୍ତ ସ୍ବାସ୍ଥ୍ୟସେବା । କନ୍ଧମାଳ ଜିଲ୍ଲା ବୁଡାଗୁଡା ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ସବୁ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ମାଗଣା ଔଷଧ ସହ ଆମ୍ବୁଲାନ୍ସ ସେବା । ହେଲେ କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଅନେକ ସ୍ଥାନ ଅଛି କେଉଁଠି ଡାକ୍ତର ଅଭବରେ ରୋଗୀ ହନ୍ତସନ୍ତ ତ ଆଉ କେଉଁଠି ସବୁଥାଇ ମଧ୍ୟ କିଛି ନାହିଁ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡାଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏହାର ଏକ ଜ୍ବଳନ୍ତ ପ୍ରମାଣ । ଏହି ସ୍ବାସ୍ଥ୍ଯ କେନ୍ଦ୍ର ଉପରେ ପାଞ୍ଚୋଟି ପଞ୍ଚାୟତର ଦଶହଜାରରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରନ୍ତି । ଏଥିପ୍ରତି କାହାରି ନିଘାନାହିଁ । ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦୁଇବର୍ଷ ହେଲାଣି ଖତ ଖାଉଛି ଆମ୍ବୁଲାନ୍ସ । ସେପଟେ ଡାକ୍ତରଖାନାର ଅବସ୍ଥା ବି କହିଲେ ନସରେ । ଜଣେ ମହିଳା ଡାକ୍ତର ଓ ଆଉଜଣେ ଫାର୍ମାସିଷ୍ଟ ରେ ଚାଲିଛି ଡାକ୍ତରଖାନା । ବାରମ୍ବାର ଅଭିଯୋଗ ପରେବି ସମସ୍ୟା ସୁଧୁରି ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିସହିତ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିୟମିତ ରହୁନଥିବାସହ ଆମ୍ବୁଲାନ୍ସ ସେବାମଧ୍ୟ ଠପ ହୋଇପଡିଥିବା କହିଛନ୍ତି ଅଞ୍ଚଳବାସୀ । ଏମିତିକି ଗତ ରବିବାର ଦିନ ଅଞ୍ଚଳରେ କିଛି ଝାଡାବାନ୍ତି ରୋଗ ବ୍ୟାପିବାରୁ ଲୋକେ ଡାକ୍ତରଖାନାରେ ପହଁଞ୍ଚିଥିଲେ । ହେଲେ ଡାକ୍ତର ମହାଶୟା ନଥିଲେ । ଘଟଣା ସମ୍ପର୍କରେ ଚିକିତ୍ସାଳୟର ଡାକ୍ତର ସୁଚିତ୍ରା ମେହେରଙ୍କୁ ପଚାରିବାରୁ ସାମ୍ବାଦିକଙ୍କୁ ତମେ କିଛି ଜାଣିନାହଁ ମୁଁ ତୁମକୁ କିଛି କହିପାରିବିନି କହିବାସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଇନଥିଲେ । ରୋଗୀଙ୍କ ସେବା କରିବାପାଇଁ ଡାକ୍ତର ନିୟୋଜିତ ହୋଇଥାନ୍ତି । ବିଭିନ୍ନ ଚିକିତ୍ସାଳୟରେ ହେଲେ ତଥ୍ୟ ସମସ୍ୟା ବିଷୟରେ ଜାଣିବାପାଇଁ ସାମ୍ବାଦିକ ପହଁଚିଲେ ଜଦି ସାମ୍ବାଦିକଙ୍କୁ ଏଭଳି ବ୍ୟବହାର ମିଳୁଛି ତେବେ ରୋଗୀଙ୍କ ଅବସ୍ଥା କଣ ହେଉଥିବ ଓ ସେମାନେ କିଭଳି ଚିକିତ୍ସା ପାଉଥିବେ ତାହା ଏଥିରୁ ବେସ୍ ଅନୁମେୟ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇ ପଡିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା