ବିଦ୍ୟାଳୟ ଉଛେଦକୁ ବିରୋଧ ,ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ,ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ
ବାଲିଗୁଡ଼ା: ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ ଉପସ୍ଥାପନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ କରାଯାଉଛି । ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଶିକ୍ଷା ବିଭାଗ ପକ୍ଷରୁ ବନ୍ଧ କରାଯାଇଥିବା ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ସେନାପଡ଼ି ଓ ଚିଙ୍ଗିରି ଗାଁ,ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ । ପୁନର୍ବାର ଚାଲୁ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ,ଜନ ପ୍ରତିନିଧି ଓ ଅଞ୍ଚଳବାସୀ । ଏହି ଦୁଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନଦୀ,ନାଳ,ବଣ ଜଙ୍ଗଲ, ଘାଟି ରାସ୍ତା ଦେଇ ୪/୫ କିଲୋମିଟର ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସ୍ଥାନାନ୍ତର କରାଯାଇଥିବା ବିଦ୍ୟାଳୟକୁ ଯାଇ ସେଠାରେ ପାଠ ପଢ଼ିବା ବିପଦପୂର୍ଣ ଓ ଅସୁରକ୍ଷିତ ବୋଲି କହିଛନ୍ତି ଅଭିଭାବକ ଓ ଅଞ୍ଚଳବାସୀ । ପୂର୍ବରୁ ଏନେଇ ବାରମ୍ବାର ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଯାବତ୍ କୌଣଶି ସୁଫଳ ମିଳିନାହିଁ । ଏଣୁ ଆଜି ସମସ୍ତେ ଏକାଠି ହୋଇ ବାଲିଗୁଡ଼ା ସଭାଗୃହ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଗଣ ଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାସଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସମୁହ ଗ୍ରାମବାସୀ । ଏଥିରେ ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକ, ସମିତି ସଭ୍ୟ ଜାନକୀ କହଁର, ସମାଜସେବୀ ତଥା ଓ୍ବାର୍ଡ ମେମ୍ବର ଉପଦେଷ୍ଟା ପରମାନନ୍ଦ ନାୟକ, ବ୍ଲକ୍ ସମ୍ପାଦକ ସ୍ବାଧିନ ଦିଗାଳଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ସାମିଲ ହୋଇଥିବା ବେଳେ ଆଗାମୀ ପାଞ୍ଚଦିନ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ନିଜ ହକ୍ ପାଇବାପାଇଁ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ସମୁହ ଗ୍ରାମବାସୀ । କୋମଳମତୀ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୨/୪/୨୦୨୩----୯,୫୫ Sakhigopal News,12/4/2023