Breaking News

ନଳକୂପ ମୂଳରେ ଜମୁଛି ନର୍ଦ୍ଧମାଜଳ, ଅଭିଯୋଗ ପରେ ବି କାର୍ଯ୍ୟନୁଷ୍ଠାନ ନାହିଁ


  ଜଟଣୀ---- ସର୍ବସାଧାରଣଙ୍କ ବ୍ୟବହୃତ ନଳକୂପ ମୂଳରେ ଦିର୍ଘଦିନରୁ ଗ୍ରାମର ୨ଟି ପରିବାର ସେମାନଙ୍କର ଶୌଚାଳୟର ନର୍ଦ୍ଧମାଜଳ ଛାଡି ପାନୀୟଜଳ ଓ ପରିବେଶକୁ ନଷ୍ଟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏଥି ସହିତ ଏହି ନଳକୂପ ପାଣି ବ୍ୟବହାର କରି ଅନେକ ଲୋକ ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।  ଜଟଣୀବ୍ଲକ ଅନ୍ତର୍ଗତ ଜାମୁକୋଳି ପଞ୍ଚାୟତର ମୁଣ୍ଡଳଗ୍ର୍ରାମରେ ଥିବା ଏକ ସର୍ବସାଧାରଣ ନଳକୂପକୁ ଗ୍ରାମର ସମସ୍ତ ପରିବାର ବ୍ୟବହାର କରିଥାନ୍ତି । ବ୍ୟବହୃତ ନଳକୂପ ସମ୍ମୁଖରେ ରହିଥିବା ଦୁଇଟି ପରିବାର ନଳକୂପ ପାଖରେ ସେମାନଙ୍କ ଘରର ବ୍ୟବହୃତ ଶୈାଚାଳୟର ନର୍ଦ୍ଧମାଜଳକୁ ଛାଡିଦେଉଛନ୍ତି । ଫଳରେ ଏହି ନର୍ଦ୍ଧମାଜଳ ନଳକୂପ ମୂଳରେ ଜମା ହୋଇରହି ଅପ୍ରାକୃତିକ ପରିବେଶ ସୃଷ୍ଟି ହେଉଛି । ଏଥିସହିତ ଏହି ନଳକୂପ ପାଣି ପିଇବାପରେ କାଛୁ,କୁଣ୍ଡିଆ ଓ ଅନ୍ୟାନ୍ୟ ଦୁରାରୋଗର ଶିକାର ହୋଇଛନ୍ତି ବୋଲି ଗ୍ରାମର କେତେକ ବ୍ୟକ୍ତି କହନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉକ୍ତ ପରିବାର ଲୋକେ ଶୁଣିବାକୁ ଅରାଜି ହେଉଛନ୍ତି । ଅନ୍ୟପକ୍ଷରେ ଗ୍ରାମରେ ରହିଥିବା ଗ୍ରାମ୍ୟ ଜଳବିଭାଜିକା ବ୍ୟବସ୍ଥା ମାଧ୍ୟମରେ ମିଳୁଥିବା ପାଣି ପିଇବା ଯୋଗ୍ୟ ହୋଇ ରହିନାହିଁ । କାରଣ ବିଭାଜିକା ବ୍ୟବସ୍ଥାରେ ଗ୍ରାମମଧ୍ୟକୁ ଯାଇଥିବା ପାଇପ କେତେକ ସ୍ଥାନରେ ନର୍ଦ୍ଧମାଦେଇ ଯାଇଛି । ପାଇପର ସଂଯୋଗସ୍ଥାନରେ ନର୍ଦ୍ଧମାପାଣି ମିଶି ଉକ୍ତ ପାଣିମଧ୍ୟ ନଷ୍ଟ ହୋଇଯାଇଥିବା କହିଛନ୍ତି । ତେଣୁ ଏହି ଗ୍ରାମ୍ୟଜଳଯୋଜନାରେ ଆସୁଥିବା ପାଣିକୁ କେବଳ ଗାଡିମୋଟର ଧୋଇବା, ଚାଷରେ ପାଣି ମଡାଇବା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ କରୁଛନ୍ତି । ତେଣୁ ଏହି ନଳକୂପଟି ଏକମାତ୍ର ଭରସା ହୋଇ ରହିଛି ଗ୍ରାମରେ । ଏବେଠାରୁ  ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଗଲାଣି, ଲୋକେ ପାଣି ପାଇଁ ଡହଳବିକଳ ହେବେ । ଏହି ସମସ୍ୟା ଉପୁଜିବା ପୁର୍ବରୁ ଏହାର ଏକସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଜାମୁକୋଳି ସରପଞ୍ଚ ଜ୍ୟୋର୍ତିର୍ମୟୀ ଛୋଟରାୟଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଅଭିଯୋଗ ଦିର୍ଘଦିନରୁ ହୋଇ ଆସୁଛି । ମୁଁ ଘଟଣାସ୍ଥଳକୁ ଯାଇଥିଲି । କେହିକିଛି ଶୁଣିବାକୁ ନାରାଜ । ସେଠାକାର ପରିସ୍ଥିତି ଅନୁସାରେ ସେଠାରେ ଏକ ଡ୍ରେନ ଆବଶ୍ୟକତା ରହିଛି । ତେଣୁ ଏନେଇ ଜଟଣୀ ବିଡିଓ ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛି । ଯଥାଶିଘ୍ର କାର୍ଯ୍ୟକରିବାପାଇଁ ବ୍ୟବସ୍ଥା କରାଯାଉଛି । 

ଜଟଣୀରୂ ରଙ୍ଗନାଥ ବେହେରା, ୧/୩/୨୦୨୧----୯,୪୦


Blog Archive

Popular Posts