ବିପଦପୂର୍ଣ୍ଣ କୁଡିଆ ଘରେ ଚାଲିଛି ପ୍ରାଥମିକ ବିଦ୍ୟାଳୟ ; ଜିଲ୍ଲାପାଳ ନଜର ଦେବାକୁ ଦାବୀ
ବାଲିଗୁଡା---- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ବ୍ଳକ ଅନ୍ତର୍ଗତ ମିଡିଆକିଆ ଗ୍ରାମ ପଞ୍ଚାୟତ ଶେଶେରଗାଁରେ ରହିଛି ପ୍ରାଥମିକ ବିଦ୍ୟାଳୟ ।ବିଦ୍ୟାଳୟଟି ବିପଦପୁର୍ଣ୍ଣ ଭଙ୍ଗା କୁଡିଆ ଘରେ ଶିକ୍ଷାଦାନ ଚାଲିଛି । କେତେବେଳେ କ’ଣ ଘଟିବ ତାହା କହିବା କଷ୍ଟକର ବ୍ୟାପର ହୋଇଛି । ଉକ୍ତ ବିଦ୍ୟାଳୟରେ ୨ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ୨୫ଜଣ ଛାତ୍ର ଛାତ୍ରୀ ରହିଛନ୍ତି । ଏମାନେ ଏବେ ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ବାଲିଗୁଡା ବ୍ଳକର ଶେଶେରଗାଁ ପ୍ରାଥମିକ ବିଦ୍ୟାଳୟ ସାକ୍ଷୀ ଭାବେ ଠିଆ ହୋଇଛି । ଅଳ୍ପଦିନ ତଳେ କାଳବୈଶାଖୀ ବୋହିବାରୁ ବିଦ୍ୟାଳୟର ଟିଣ ଘର ଉଡାଇ ନେଇଥିବା ବେଳେ କାନ୍ଥ ଭାଙ୍ଗି ପଡିଛି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟତ୍ୱରେ ଥିବା ଶିକ୍ଷକ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ଜଣେ ବି ଉଚ୍ଚ ପଦାଧିକାରୀ ଦେଖିବାକୁ ଆସିଲେ ନାହିଁ । ଗ୍ରାମବାସୀଙ୍କ ପକ୍ଷରୁ ବ୍ଳକ ବିଡିଓଙ୍କ ଠାରୁ ଜନପ୍ରତିନିଧି ମାନଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସୁ ସୁଫଳ ମିଳିନଥିବା କହନ୍ତି । ବିଦ୍ୟାଳୟଟି ୨୦୧୫ ମସିହାରେ ସ୍ଥାପିତ ହୋଇଥିଲା । ବିଶେଷ କରି ସର୍ବଶିକ୍ଷା ଅଭିଯାନ ବିଦ୍ୟାଳୟ ମାନଙ୍କର ରୂପରେଖ ବଦଳାଉଥିବା ବେଳେ ଏହି ବିଦ୍ୟାଳୟ ଅଧିକାରୀଙ୍କ ନଜରକୁ କିପରି ଆସିଲାନାହିଁ ତାହା ଆଶ୍ଚର୍ଯ୍ୟ ଗ୍ରାମବାସୀଙ୍କୁ ଲାଗିଛି । ରାଜ୍ୟ ସରକାର କନ୍ଧମାଳ ଅଞ୍ଚଳର ହରିଜନ, ଆଦିବାସୀ ମାନଙ୍କର ଶିକ୍ଷାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା କହୁଥିବା ବେଳେ ଏବେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ସବୁଥିରୁ ବଞ୍ଚିତ । ବିଶେଷ କରି କୌଣସି ପିଲା ଯେପରି ଭୋକିଲା ନ ରହେ ସେ ପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶ ରହିଛି । ଏହି ବିଦ୍ୟାଳୟରେ ରୋଷୋଇ କରିବା ପାଇଁ ରୋଷୋଇ ଘର ଅଛି ନା ରୋଷାଇ କରିବା ପାଇଁ ସରଞ୍ଜାମ ଅଛି । କିଛି ନାହିଁ ମାତ୍ର ବ୍ଳକ ଶିକ୍ଷା ଅଧିକାରୀଙ୍କ ଠାରୁ ସର୍ବଶିକ୍ଷା ଅଭିଯାନ ଅଧିକାରୀ ସମସ୍ତେ ଚୁପ ହୋଇ ରହିଛନ୍ତି । ମାତ୍ର ସରକାରଙ୍କ କାଗଜ ପତ୍ରରେ ବାଲିଗୁଡା ବ୍ଳକ ଅଧିନରେ ଥିବା ସମସ୍ତ ବିଦ୍ୟାଲୟ ଠିକ ଭାବେ ଚାଲିଛି ବୋଲି ଜଣାପଡିଛି । ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ସେହି ନୀତିରେ ବାଲିଗୁଡା ବ୍ଳକ ଶିକ୍ଷା ଅଧିକାରୀ ଶୋଇଛନ୍ତି । ଅନ୍ୟ ପକ୍ଷେ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିବା ପାଇଁ ନିସ୍ପତି ଗ୍ରହଣ କରିଥିବା ଜଣାପଡିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା