ସତ୍ୟବାଦୀରେ ବିଜେପିର ମିଶ୍ରଣ ପର୍ବରେ ସାମିଲ ହେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଓ ପୂ.ତ ବିଜେଡିର ଦୁଇ ବ୍ଳକ ସଭାପତି
ସାକ୍ଷୀଗୋପାଳ ----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ମେଳନ ପଡିଆରେ ଶୁକ୍ରବାର ଅପରାହ୍ନରେ ବିଜେପି ଦଳ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ଓ କଣାସ ବ୍ଳକର ଶତାଧିକ ବିଜେଡି ଓ କଂଗ୍ରେସ ଦଳର ର୍କମୀ ଓ ଜନପ୍ରତିନିଧି ମାନେ ଯୋଗଦେଇଥିଲେ । ମିଶ୍ରଣ ପର୍ବରେ ଶତାଧିକ କର୍ମୀ ମାନେ ଯୋଗଦେଇଥିଲେ । ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା , ପୂ.ତ ଜିଲ୍ଲାପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ଜେନା ଓ ବିଜେଡି ଦଳରୁ ବିଦାୟ କରାଯାଇଥିବା ସତ୍ୟବାଦୀ ବ୍ଳକର ପୂ.ତ ବ୍ଳକ ସଭାପତି ରତିକାନ୍ତ ମିଶ୍ର ଓ କଣାସ ବ୍ଳକର ବିଜେଡି ଦଳର ପୂ.ତ ବ୍ଳକ ସଭାପତି ସୁଶୀଲ କୁମାର ରାଉତ ବିଜେପି ଦଳରେ ଆନୁଷ୍ଠାନିକ ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଆଜି ମିଶିଥିଲେ । ସେହିପରି ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ଦାଶବିଦ୍ୟାଧରପୁର ସରପଞ୍ଚ ହରିହର ନନ୍ଦଙ୍କ ସହିତ ,ପୂର୍ବତନ ସରପଞ୍ଚ ,ସମିତିସଭ୍ୟସଭ୍ୟା ଓ ଦୁର୍ଗେସ ମିଶ୍ର, ସୁକାନ୍ତ ବଳିୟାରସିଂହ, ଜାନକୀ ବଲ୍ଲଭ ବରାଳ ପ୍ରମୁଖ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିବାର ଦେଖାଯାଇଥିଲା । ବିଶେଷକରି ସତ୍ୟବାଦୀରେ ଅସନ୍ତୁଷ୍ଟ ବିଜେଡି କର୍ମୀ ମାନଙ୍କୁ ନେଇ ସଂଗଠନ କରି ରଖିଥବା ପୁରୀର ପୂର୍ବତନ ନଗରପାଳ ତଥା ବର୍ତ୍ତମାନର ପୁରୀ ବିଧାନସଭାର ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀଙ୍କ କର୍ମୀ ମାନେ ଆଜି ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଯାହା ଫଳରେକି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ମଜବୁତ ହୋଇ ପାରିଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଷ୍ଠିତ ମିଶ୍ରଣ ପର୍ବରେ କହିଥିଲେ । ଅନ୍ୟତମ ଅତିଥି ଭାବେ ଉତ୍ତରପ୍ରଦେଶର ପୁର୍ବତନ ମୁଖ୍ୟମନ୍ତ୍ରୀ କଲରାଜ ମିଶ୍ର, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ସତ୍ୟବାଦୀର ବିଧାନସଭା ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ କୁମାର ଷଡଙ୍ଗୀ, ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦ୍ଦେବ, ଜାତିୟ ନାରିକେଳ ବୋର୍ଡର ଉପସଭାପତି ବିଶ୍ୱନାଥ ରଥ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ସମୟରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କେ ଆଲେଚନା କରିଥିଲେ । ମାତ୍ର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ ବିଜେଡି ଦଳ ଛାଡି ବିଜେପି ଦଳରେ ମିଶିଥିଲେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରାନଯିବାରୁ ସେ ଅସନ୍ତୋଷ ପ୍ରକାଶ କରି ଚୁପ ହୋଇ ବସି ରହିଥିବା ଜଣାପଡିଛି । ଏହି ସଭାରେ ତାଙ୍କୁ ଦେଖାମିଳିନଥିଲା କି ତାଙ୍କର ସମର୍ଥକ ମାନଙ୍କୁ ଦେଖିବାକୁ ମିଳିନଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି