ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିଭାଗ ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିକ୍ଷା ବିଭାଗର କେଉଁଠି କେଉଁ ନିୟମ ଲାଗୁ ହୋଉଛି ତାହା କହିବା କଷ୍ଟକର ହୋଇପଡିଛି । ସତବାଦୀ ବ୍ଳକରେ ଏବେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ତିନିମାସ ପରେ ପିଲାଙ୍କୁ ତାଗିଦ କରିଛନ୍ତି ନୂତନ ଡ୍ରେସ ଫେରାଅ ନଚେତ ୨ଶହ ଟଙ୍କା ଦିଅ । ବ୍ଳକ ଶିକ୍ଷା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଡ୍ରେସ ଫେରାଇ ଆଣିବାକୁ କହିବା ପରେ ଏବେ ଉତ୍ତେଜନା ପ୍ରକାଶ ପାଇଛି । ସୁଚନାଯୋଗ୍ୟ ଯେ ବଳପୁର ଗ୍ରାମ ପଞ୍ଚାୟତର କୁସୁମେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ୧ରୁ ୫ମ ଶ୍ରେଣୀ ରେ ୭୧ ଜଣ ପିଲା ରହିଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ତିନିମାସ ତଳେ ପିଲାଙ୍କୁ ଦୁଇହଳ ଡ୍ରେସ ପ୍ରଦାନ କରିଥିଲେ । ଏବେ ପିଲା ମାନଙ୍କ ଠାରୁ ହଳେ ଡ୍ରେସ ଫେରାଇ ନେଉଛନ୍ତି । ଯେଉଁ ପିଲା ମାନେ ଡ୍ରେସ ଫେରାଉ ନାହାନ୍ତି ସେମାନଙ୍କ ଠାରୁ ୨ଶହ ଟଙ୍କା ଆଦାୟ କରାଯାଉଛି ବୋଲି ଜଣାପଡିଛି । ଯାହାକୁ ନେଇ ଗ୍ରାମରେ ଏବେ ଉତ୍ତେଜନା ପ୍ରକାଶ ପାଇଛି । କେତେକ ପିଲାମାନେ ବିଦ୍ୟାଳୟକୁ ଯିବାକୁ ରାଜି ହେଉନାହାଁନ୍ତି ସେମାନଙ୍କ ପାଖରେ ନାହିଁ ଡ୍ରେସ ନା ୨ଶହ ଟଙ୍କା । ବିଶେଷ କରି ଗରିବ ଶ୍ରେଣୀର ପିଲା ମାନେ ବିଦ୍ୟାଳୟକୁ ଯାଉନାହାନ୍ତି । ଏ ସମ୍ପର୍କରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ କହନ୍ତି ଆମକୁ ୪୦ ଜଣ ପିଲାଙ୍କୁ ଡ୍ରେସ ପ୍ରଦାନ କରିବା ପାଇଁ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ରାଳୟ ପକ୍ଷରୁ ଅର୍ଥ ପ୍ରଦାନ କରାଯାଇଥିଲା । ମାତ୍ର ହାତରୁ ପଇସା ଦେଇ ସମସ୍ତଙ୍କ ପାଇଁ ଡ୍ରେସ ଦେଇଥିଲୁ । ଭାବିଥିଲୁ ପଇସା ଆସିଲେ ତାହା ଭରଣ କରିଦେବୁ । ମାତ୍ର ତାହା ନ ହେବାରୁ ଡ୍ରେସ ଆଦାୟ କରାଯାଉଛି । ଯେଉଁମାନେ ଡ୍ରେସ ବ୍ୟବହାର କରି ଦେଇଛନ୍ତି ସେମାନେ ଦୁଇଶହ ଟଙ୍କା ପ୍ରଦାନ ଦେବେ ବୋଲି ସେ କହନ୍ତି । ଅନ୍ୟପକ୍ଷେ ଦଳିତ ପିଲାମାନେ ଏଥିରୁ ବାଦ ପଡିନାହାନ୍ତି । ଜିଲ୍ଲାପାଳ ତଦନ୍ତ କରିବା ପାଇଁ ଅବିଭାବକ ଓ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ କରାଯାଇଛି । ଅନ୍ୟପକ୍ଷେ ସତ୍ୟବାଦୀରେ ଆଲେଚନା ହୋଉଛି ଇଏ ହୋଉଛି ବିଜେଡି ସରକାରଙ୍କ ସତ୍ୟବାଦୀର ବିକାଶ ପଥେ । ଗୋଟିଏ ପକ୍ଷେ ରାଜ୍ୟ ସରକାର ପ୍ରଥମିକ ଶିକ୍ଷା ପାଇଁ ଡ୍ରେସ, ଜୋତା , ମଧ୍ୟାହ୍ନ ଭୋଜନ, ସାଇକେଲ, ପାଠ୍ୟ ପୁସ୍ତକ ସବୁ ଦେଉଥିବା ବେଳେ ବିଦ୍ୟାଳୟରେ ଡ୍ରେସ ଫେରସ୍ତ ନିଆଯାଇଛି ଏବଂ ୨ଶହ ଟଙ୍କା ଆଦାୟ କରାଯାଉଛି ତାହା ବିଜେଡି ସରକାରଙ୍କ କେଉଁ ନିୟମରେ ଯାଉଛି ତାହା ସତ୍ୟବାଦୀରେ ଆଲେଚନା ହୋଉଥିବା ଜଣାପଡିଛି । ଦେଖାଯାଉ ବ୍ଳକ ଶିକ୍ଷା ଅଧିକାରୀ, ସିଆରସିସି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିଏସେ ଦୋଷୀ ନା ବିଦ୍ୟାଳୟର ଛାତ୍ର ଛାତ୍ରୀ ଦୋଷୀ ତାହା ଜାଣିବା ପାଇଁ ସତ୍ୟବାଦୀ ଜନସାଧାରଣ ଅପେକ୍ଷା କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି