Breaking News

ସାକ୍ଷୀଗୋପାଳରେ ଗହ୍ମାପୂ୍‌ର୍ଣ୍ଣମୀ ପର୍ବ ପାଳିତ ; ସାକ୍ଷୀଗୋପାଳରେ ନଡିଆ ଲଢେଇ



ସାକ୍ଷୀଗୋପାଳ---- ଆଜି ହେଉଛି ପ୍ରଭୁ ବଳଭ୍ରଦଙ୍କ ଜନ୍ମ ଦିନ । ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ଓ ଘରେ ଘରେ ଗହ୍ମାପୂର୍ଣ୍ଣମୀ ପର୍ବ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ଗୋ ମାତାଙ୍କୁ ପୂଜା କରାଯାଇଥାଏ । ଏଥିଯୋଗୁ  ସମସ୍ତଙ୍କ ଘର ମାନଙ୍କରେ ପିଠା, ତରକାରୀ, କ୍ଷୀରି, ଖେଚୁଡିି ଡାଲାମା, ଶାଗ, ଖଟା,  ଆଦି ଖାଦ୍ୟ ପ୍ରସ୍ତୁତ କରାଯାଇ ଦିପହରରେ ପ୍ରଥମେ ଗୋ ମାତାଙ୍କୁ ପୂଜା କରାଯାଇଥାଏ ।  ପରେ ପରେ ଠାକୁରଙ୍କ ଘର ସହିତ ବାହାରେ ଦିଆଯିବା ପରେ ପରିବାର ଲୋକମାନେ ପ୍ରସାଦ ପାଇଥାନ୍ତି । ସେହିପରି ଘରେ ଭଉଣୀ ମାନେ ଭାଇର ଦୀର୍ଘାୟୁ କାମନା କରି ଭାଇ ହାତରେ ରାକ୍ଷୀ ପିନ୍ଦାଇ ଭାଇ ମାନଙ୍କର ଦୀର୍ଘାୟୁ କାମନା କରିବା ସହ ଭାଇ ମାନଙ୍କ ଠାରୁ ସେମାନଙ୍କର ପାଉଣା ଆଦାୟ କରିଥାନ୍ତି । ଏହି  ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । 

                    ସାକ୍ଷୀଗୋପାଳରେ ଗହ୍ମାପର୍ବ  ବା ଗହ୍ମାପୂର୍ଣ୍ଣମୀ ଅବସରରେ ସ୍ୱତନ୍ତ ନଡିଆ ଲଡେଇ ଦେଖିବାକୁ ମିଳିଥାଏ ।    ଗହ୍ମାପୂ୍‌ର୍ଣ୍ଣମୀ ଅବସରରେ  ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର , ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ, କେତିକିପାଟଣା, ବିଶ୍ୱନାଥପୁର  ଓ ଭିଁପୁର  ଆଦି ବିଭିନ୍ନ ଗ୍ରାମ  ବଜାର ଛକରେ ନଡିଆ ଲଢେଇ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ  ।  ଏଥି ନିମନ୍ତେ ଯୁବକ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥିାଏ ।  ସବୁ ଗଛର ନଡିଆ ପ୍ରତିଯୋଗିତାରେ ଭାଗ ନେଇ ପାରିନଥାଏ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ନଡିଆ ଗଛ ରହିଛି । ବିଶେଷ କରି ସେ ନଡିଆର ସଢ଼େଇ ଗୁଡିକ ଅଧିକ ମୋଟ ବା ଟାଣ । ଏହାକୁ ଆଗରୁ ଲଢ଼େଇ କରୁଥିବା ବା ଆଗ୍ରହୀ ଯୁବକ ମାନେ ବିଭିନ୍ନ ଅଞ୍ଚଳରୁ ନଡିଆ ସଂଗ୍ରହ କରିଥାନ୍ତି । ଏହି ନଡିଆ ଗୁଡିକ ଅନ୍ୟ ସାଧାରଣ ନଡିଆ ଅପେକ୍ଷା ଅଧିିକ ଦର ରେ ବିକ୍ରୟ କରାଯାଇଥାଏ । ଗୋଟିଏ ଗୋଟିଏ ନଡିଆର ଦାମ ପ୍ରାୟ ୫୦ଟଙ୍କାରୁ ୫୦୦ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରୟ ହୋଉଥିବାର ଜଣାପଡିଛି । ସେହିପରି ଲଢ଼େଇ ପୁଣି କେତେ ପ୍ରକାରର ହୋଇଥାଏ । କେଉଁଠି  ନଡିଆ ହାତରେ ଧରି ମାଡ କରୁଥିବା ବେଳେ ଅନ୍ୟ କେତେକ ଜାଗାରେ ନଡିଆକୁ ଅଳ୍ପ ଦୂରରୁ ପିଙ୍ଗା ଯାଇଥାଏ ।  ନଡିଆକୁ ନଡିଆ ମାଡ ହୋଇଥାଏ । ଏପରିକି ଏହି ନଡିଆ ମାଡ ନ ହୋଇ ପାଖରେ ଠିଆ ହୋଇ ନଡିଆ ଲଢ଼େଇ ଦୃଶ୍ୟ ଦେଖୁଥିବା ଦେଖାଣାକାରୀ ମାନଙ୍କ ଦେହରେ ମାଡ ହୋଇଥାଏ ।   କେତକ ନଡିଆକୁ ନେଇ ଯୁବକ ମାନଙ୍କ ମଧ୍ୟରେ ବାଜି ଲାଗିଥାଏ । ବିଶେଷ କରି ଏହି ନଡିଆ ପ୍ରତିଯୋଗିତା ଦୁଇ ଜଣଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଯେଉଁ ନଡିଆଟି ଭାଙ୍ଗିଯାଇଥାଏ ସେ ନଡିଆର ମାଲିକ ହାରିଲା ବୋଲି ଗଣାଯାଇଥାଏ । ଭାଙ୍ଗି ଯାଇଥିବା ନଡିଆଟିକୁ ଅନ୍ୟ ନଡିଆର ମାଲିକ ନେଇଯାଇଥାଏ ।   ନଡିଆ ଲଢ଼େଇ ଦେଖବାକୁ ବିଭିନ୍ନ ସ୍ଥାନରେ ଭିଡ ପରିଲକ୍ଷିତ ହୋଇଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୮/୨୦୨୩---୭,୧୦    Sakhigopal News, 30/8/2023

Blog Archive

Popular Posts