ପିସ୍ତଲ ଦେଖାଇ ଦାଦାବଟି ଆଦାୟ,୩ ଗିରଫ
ଭଞ୍ଜନଗର--ଠିକାଦାର ଓ ସୁରକ୍ଷା କର୍ମୀଙ୍କୁ ପିସ୍ତଲ ଦେଖାଇ ଦାଦାବଟି ଆଦାୟ । ଧମକ ଓ ଟଙ୍କା ଛଡ଼ାଇ ନେବା ଘଟଣା ରେ , ୩ ଜଣଙ୍କୁ ଗିରଫ କରିଛି ଗାଙ୍ଗପୁର ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ , ଗୋଟିଏ ସିବିଜେଡ୍ ମୋଟରସାଇକେଲ ଓ ନଗଦ ୧୦,୪୦୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ନିକଟସ୍ଥ ଷଢଙ୍ଗିପଲ୍ଲୀ ଗାଁ ର ମିଥୁନୁ ନାଇକ , ସଞ୍ଜୟ ନାୟକ ଏବଂ ବୁଗୁଡ଼ା ଥାନା ଅନ୍ତର୍ଗତ କୁଶପଲ୍ଲୀ ଗାଁ ର ରାକେଶ ବିଷୋୟୀ । ଗାଙ୍ଗପୁର ଥାନା ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ , ଗତ ୨୮ ତାରିଖ ସଂଧ୍ୟାରେ ୩ ଜଣ ଯୁବକ ଗୋଟିଏ ମୋଟରସାଇକେଲ ରେ ଆସି ସ୍ଥାନୀୟ କିଛି ଗାଡ଼ି ମାଲିକ ଓ ଠିକାଦାର ଙ୍କୁ ପିସ୍ତଲ ଦେଖାଇ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ । ପରେ ଷଢଙ୍ଗିପଲ୍ଲୀ - କଣ୍ଟେଇପଲ୍ଲୀ ନିକଟ ରେ ଏକ ନିର୍ମାଣ ସଂସ୍ଥା ର ସୁରକ୍ଷା କର୍ମୀକୁ ପିସ୍ତଲ୍ ଦେଖାଇ , ୧୨ , ୬୦୦ ଟଙ୍କା ଛଡ଼ାଇ ନେଇଥିଲେ । ଏନେଇ ସଂପୃକ୍ତ ସୁରକ୍ଷା କର୍ମୀ ଜଣକ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଥାନା କେଶ୍ ନମ୍ବର ୩୭୦/୨୨ ରେ ଏକ ମାମଲା ରୁଜୁ କରି , ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ କରିଥିଲା ପୋଲିସ । ଏଥିରେ ସଂପୃକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ କୋର୍ଟ କୁ ଚାଲାଣ କରାଯାଇଛି । ଘଟଣା ସଂକ୍ରାନ୍ତରେ ତଦନ୍ତ ଜାରି ରଖିଛି ଗାଙ୍ଗପୁର ଥାନା ପୋଲିସ । କିଛି ଦିନର ନୀରବତା ପରେ ଗାଙ୍ଗପୁର ଥାନା ଅଞ୍ଚଳରେ ଏଭଳି ବଟି ଆଦାୟ ଓ ଲୁଟେରା ଗୋଷ୍ଠୀ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏଭଳି ଅପରାଧିକ କାର୍ଯ୍ୟକଳାପ ଦମନ ହୋଇ ପାରୁଛି । ଏବେ କିଛି ନୂଆଁ ପିଢୀର ଅପରାଧୀ ମାନେ ପୁରୁଣା ଅପରାଧିଙ୍କ ଢାଞ୍ଚାରେ ଅପରାଧିକ କାର୍ଯ୍ୟକଳାପ ପାଇଁ ଅଭ୍ୟାସ ଆରମ୍ଭ କରୁଛନ୍ତି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏବେଠାରୁ ଏମାନଙ୍କୁ ମୂଳପୋଛ କରିବା ସହ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୮/୨୦୨୨----୯,୧୫ Sakhigopal News,30/8/2022