Breaking News

ସରକାରଙ୍କ ପାଇଖାନା ନିର୍ମାଣ ରେ ଦୁର୍ନୀତି ଅଭିଯୋଗ;ସିବିଆଇ ତଦନ୍ତ ଦାବି


ବରଗଡ଼---   ସ୍ୱଚ୍ଛ ଭାରତ ଅଭିଯାନରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ ପାଇଖାନା ଗୁଡିକ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହେଉଥିବାରୁ ଆଜି ବି ଲୋକେ ପୂର୍ବାବସ୍ଥା ଭଳି ଖୋଲା ଆକାଶ ପଡ଼ିଆରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି।  ସରକାର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଯେଭଳି ପାଇଖାନା ନିର୍ମାଣ କରିଛନ୍ତି ତାର ଓଲଟା ଓଡ଼ିଶାରେ ଦେଖିବାକୁ ମିଳୁଛି।ଓଡିଶା ରାଜ୍ୟ ବାହାରୁ ମାଳ ମାଳ ଠିକାଦାର ଆସି ଗାଁ ଗଣ୍ଡାରେ ଶୌଚ ପାଇଁ ପାଇଖାନା ମାନ ନିର୍ମାଣ କରିଚାଲିଛନ୍ତି। କିଏ,କେଉଁଠିକାର ଏବଂ କାହାରି ନିର୍ଦ୍ଦେଶରେ ବିନା ପଚରା ବୁଝାରେ ଗ୍ରାମ ମାନଙ୍କରେ ନିମ୍ନ ମାନର କାମ କରୁଥିବା ଦେଖି ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ସୁଦ୍ଧା କେହି ଶୁଣିବାକୁ ନଥିଲେ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମରେ ନିର୍ମାଣ କରିଥିବା କାମକୁ ହିତାଧିକାରୀଙ୍କୁ କାମ ସରିଗଲାଣି ଆଉ ଟିକିଏ ଅଛି କରିଦେବା ବୋଲି କହିଦେଇ ଅସମ୍ପୂର୍ଣ୍ଣ ଶୌଚ ସମ୍ବୁଖରେ ଫଟୋ ଉଠାଇ ବିଲ କରିଦେଇ ଫେରାର ମାରିଥିବା ଜଣାପଡିଛି। ଯାହା ବରଗଡ଼ଜିଲ୍ଲା ଅତାବିରାବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ବନହର ଗ୍ରାମର ସହଁରାପଡା ଠାରେ ୩୦ରୁ ଉର୍ଦ୍ଧ୍ବ ପାଇଖାନା ଗୋଟିଏ ବର୍ଷ ହେବ ଅସମ୍ପୂର୍ଣ୍ଣ କରି ବିଲ କରାଇ ଅର୍ଥ ଆତ୍ମସାତ ହେଇଥିବାର ଅଭିଯୋଗ ହେଉଛି।ଏହି ପାଇଖାନାରେ ଗାତ ନ କରି ପାଇଖାନାର ତିନି ପାର୍ଶ୍ଵରେ ସାମାନ୍ୟ ସିମେଣ୍ଟ ବାଲି ଓ ପାଉଁଶ ଗୁଣ୍ଡର ସ୍ଲାବ ଗୁଡିକ ଥୋଇ ଦେଇ ଉପରେ ୪/୩ ର ଆଜବେଷ୍ଟକୁ ରଖିଦେବା ଫଳରେ ମଇଳା ରହିବା ପାଇଁ କେଉଁଠି ଗାତ ତ ଆଉ କେଉଁଠି ଗାତ ନଖୋଲି ପେନ ମଧ୍ୟ ବସାଯାଇନାହିଁ ଯାହା ବ୍ୟବହାର ନ ହୋଇ ହେଇ ଭାଙ୍ଗି ଗଲାଣି।ଏହା ଫଳରେ ଲୋକେ ଜାଳେଣି କାଠ, କୁକୁଡ଼ା ପାଳନ,କୁଣ୍ଡା,ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ରଖିବାରେ ବାଧ୍ୟ ହେଉଛନ୍ତି।  ପଡାର କାଳିଆ ଭୁଏ ନାମକ ବ୍ୟକ୍ତିଙ୍କୁ କାମ କରିଥିବା ମଜୁରୀ ଉକ୍ତ ଠିକାଦାର ନଦେବା ସାଙ୍ଗକୁ ତାଙ୍କର ଟିଣ ଭାର,ଦୁଇଟି ବାଳଟି,ଡଲା ଭାର ଓ ଟେଭା ଡ଼ନସନା ନାମକ ମହିଳାଙ୍କ ସମ୍ପୂର୍ଣ୍ଣ କାମ କରିଦେବି କହି ଦୁଇଟି ଲୁହା ଡାଳିଆ ନେଇ ଫେରାର ମାରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ପଡାରେ ପାଖାପାଖି ଶହେ ଜଣ ଆଦିବାସୀ ତଥା ବିପିଏଲ ପରିବାର ବସବାସ କରିଆସୁଥିବାବେଳେ ଚାଷ,କୂଳି ମଜୁରୀ କାମ କରି ପରିବାର ପୋଷଣ କରିଥାନ୍ତି। ସରକାର ହରିଜନ ଆଦିବାସୀ ମାନଙ୍କ ପାଇଁ ପାଣି,ଶୌଚାଳୟ,ପକ୍କା ରାସ୍ତା,ବିଜୁ ପକ୍କାଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସୌଭାଗ୍ୟ ଯୋଜନା କରି ବିଭିନ୍ନ ଗଣମାଧ୍ୟମ ତଥା ପ୍ରଚାର ପ୍ରସାରରେ ଡିଣ୍ଡିମି ପିଟି ଚାଲିଛନ୍ତି।ଯାହା ଅସାଧୁ କର୍ମଚାରୀ ତଥା ଠିକାଦାର ମାନଙ୍କ ସ୍ୱାର୍ଥଲାଳସାରେ କାଗଜ କଲମରେ ସୀମିତ ରହିଯାଉଛି ବୋଲି ଲୋକମାନେ କହନ୍ତି ।ଯଦି ଏହାର ପ୍ରତିକାର ନ ହୁଏ ତଥା ନିର୍ମାଣ କାରୀ ସଂସ୍ଥା ଦୋଷୀଦାର ଠିକାଦାର ମାନଙ୍କ ବିରୁଦ୍ଧରେ ତଦନ୍ତ ପୂର୍ବକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତା ହେଲେ କେନ୍ଦ୍ର ସରକାରଙ୍କ ମହତ୍ତ୍ୱକାଂକ୍ଷୀ ସ୍ୱଚ୍ଛ ଭାରତ ଅଭିଯାନ ପ୍ରହସନ ପାଲଟିବ ବୋଲି ପଡାବାସୀଙ୍କ ପକ୍ଷରୁ ଚର୍ଚ୍ଚା ହେଉଛି।ତେବେ ଦେଖଯାଉ ସରକାର ଏମାନଙ୍କ ପାଇଁ କଣ ପଦକ୍ଷେପ ନେଉଛନ୍ତି ସମୟ ହିଁ କହିବ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts