ମାସ୍କ ପ୍ରସ୍ତୁତି କରି ପରିବାର ପ୍ରତିପୋଷଣ କରୁଛନ୍ତି ମହିଳା
ବେଗୁନିଆ----କରୋନା ଯୋଗୁଁ ମାସାଧିକ କାଳ ଲକଡାଉନରେ ଥିବା ସମଗ୍ର ଦେଶ ତଥା ରାଜ୍ୟର ଗରିବ,ଖଟିଖିଆ ଓ ଦିନ ମଜୁରିଆଙ୍କର ଜୀବିକା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହାର ଏକ ବଡ ଉଦାହରଣ ହେଉଛି ବେଗୁନିଆ ବ୍ଲକ ନିକଟରେ ବସବାସ କରୁଥିବା ଶରତ ସାହୁଙ୍କ ପରିବାର । ଶରତ ଏକ ଜଳଖିଆ ଦୋକାନ କରି ନିଜର ପରିବାର ଭରଣପୋଷଣ କରୁଥିଲେ । ଏବେ ଲକଡାଉନ ଯୋଗୁଁ ସେ ସମ୍ପୂର୍ଣ୍ଣ ରୋଜଗାର ବିହୀନ ହୋଇ ପଡିଛନ୍ତି । ନିଜର ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇ ପଡିଥିଲା । ତେବେ ଏହି ସମୟରେ ତାଙ୍କ ପତ୍ନୀ ବାସନ୍ତୀ ପ୍ରଧାନ(୪୩) ଆଗେଇ ଆସିଛନ୍ତି । ପୂର୍ବରୁ ସିଲାଇ ଶିଖିଥିବା ବାସନ୍ତୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ ହୋଇଛି । ତାଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କର ଚାହିଦା ସ୍ଥାନୀୟ ବଜାର, ସ୍ୱେଚ୍ଛାସେବୀ ସଙ୍ଗଠନ,ବ୍ୟକ୍ତି ବିଶେଷ ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପସନ୍ଦ ହେଉଛି । ଯାହାଦ୍ୱାରା ପ୍ରତିଦିନ ସେ ମାସ୍କ ତିଆରି ପାଇଁ ନୂଆ ନୂଆ ଅର୍ଡର ପାଉଛନ୍ତି । ତେବେ ବାସନ୍ତୀ କେବଳ ନିଜର ବ୍ୟବସାୟ ଦିଗପ୍ରତି ଦୃଷ୍ଟି ନଦେଇ ବଳକା ସମୟରେ ସ୍ଥାନୀୟ ଆଦିବାସୀ ସାହି,ବସ୍ତି ଓ ସାଧାରଣ ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରୁଛନ୍ତି । ଏଥିରୁ ସେ ବେଶ ଦି ପଇସା ରୋଜଗାର କରିବା ସହ ସାଧାରଣ ଲୋକଙ୍କ ସେବା କରିବାର ସୁଯୋଗ ପାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା