କାହାକୁ କରିବୁ ଗୁହାରୀ,ଦଇବି ତ ଆମ ବଇରୀ
ବରଗଡ଼---- ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏହି ମହାମାରୀ ସମୟରେ କାଳ ବୈଶାଖୀ ପୁଣି ବଇରୀ ସାଜିଛି।ଏହି କାଳ ବୈଶାଖୀ ଯୋଗୁଁ ଫସଲ ନଷ୍ଟ ହେଉଥିବାବେଳେ ଅନେକ ଲୋକ ବାସହରା ହେଉଛନ୍ତି।କାଳ ବୈଶାଖୀ ଜନିତ ଝଡ଼ ତୋଫାନ ଯୋଗୁଁ ଅତାବିରା ଏନଏସି ସ୍ଥିତ ଲାଦେର ପାଲି ୱାର୍ଡ ନଂ ୧୦ ଜମାର ବନ୍ଧ ପଡାରେ ଗୋଟିଏ ଗରିବ ଘରେ ଗଛପଡି ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଘରେ ଶୋଇଥିବା ସାତ ଜଣଙ୍କ ମଧ୍ୟରୁ ୩ଜଣ ଆହତ ହୋଇଥିବାବେଳେ ୪ଜଣ ବର୍ତ୍ତି ଯାଇଥିଲେ।ଏହି ଆହତଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ପରିବାର ନିହାତି ଗରିବ ଦିନ ମଜୁରିଆ ଶ୍ରେଣୀର।ଏହି ପରିବାର ଏବେ ସମ୍ପୂର୍ଣ୍ଣ ବେସାହାରା । ଘର ଭାଙ୍ଗି ଚୁରମାର ହେଇ ଏବେ ପର ପିଣ୍ଢାରେ ଏମାନେ ଆଶ୍ରୟ ନେଉଛନ୍ତି। କିନ୍ତୁ ଘଟଣାର ୯ଦିନ ବିତିଯାଇ ଅସହାୟ ହୋଇ ପଡ଼ିଥିଲେ ହେଁ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦିଆଯାଇ ନଥିବାର ଅଭିଯୋଗ କରନ୍ତି। କେବଳ ପରିବାର ର ୮ଜଣଙ୍କ ନାମ ଲେଖି ଲକ ଡାଉନ ଥିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦେବାର ପ୍ରତିଶୃତି ଦେଇ ଏମାନଙ୍କୁ ଓଳିଏ ଖାଇବାକୁ ଦିଆଯାଇଥିଲା।ଯାହା ଅସହାୟଙ୍କୁ ଦେଇଥିବା ପ୍ରତିଶୃତି ପ୍ରତିଶ୍ରୁତିରେ ରହି ଯାଇଥିବାର ପରିବାର କହନ୍ତି।ଏଦିଗରେ ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ପରିବାର ପକ୍ଷରୁ ଦାବି ହେଉଛି।
ନବୀନ ଦାଶଙ୍କ ରିପୋର୍ଟ