ଗତବର୍ଷ ବୁଡାଇଲା ଫନି ,ଏ ବର୍ଷ କରୋନା ; ଚିନ୍ତାରେ ଚାଷୀ
ବେଗୁନିଆ---- ରବିବାର ଦିନ ଥିଲା ଅକ୍ଷିମୁଠି ଅନୁକୂଳ, କିନ୍ତୁ ସେଥିପାଇଁ କିଛି ପ୍ରସ୍ତୁତି ନଥିଲା । କରୋନା କଟକଣା ଯୋଗୁଁ ଚାଷୀ କିପରି ଚାଷକାର୍ଯ୍ୟ ଆରମ୍ଭ କରିବ ସେଥିପାଇଁ ଚିନ୍ତାରେ ବସିଛି । ଗୋଟିଏ ପଟେ ରବି ଫସଲ ଅମଳ ହୋଇପାରି ନାହିଁ । ଯେତିକି ବି ଅମଳ ହୋଇଛି ତାହା ବିକ୍ରୀ ହୋଇ ପାରିନାହିଁ । ତେଣୁ କେଉଁ ଭରଷାରେ ପୁଣି ଖରିଫ ଚାଷ କରିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବ୍ଲକର ଶତାଧିକ ଚାଷୀ । ବ୍ଲକର କେତେ ଜମିରେ ଚାଷ ହେବ ଓ କେତେ ଧାନ ବିହନ,ସାର ଆବଶ୍ୟକ ପଡିବ ସେ ନେଇ ପ୍ରଶାସନିକ ସ୍ତରରେ କିଛି ଆଲୋଚନା ହୋଇନାହିଁ ।ଚାଷୀ ଅମଳ କରୁଥିବା ପନି ପରିବା ଫସଲସବୁକୁ ପ୍ରକୃତ ମୂଲ୍ୟ ନ ପାଇ ଶାଗ ମାଛ ଦରରେ ବିକ୍ରୀ କରୁଥିବା ଯୋଗୁଁ ଚଳିତ ବର୍ଷ ଚାଷକାର୍ଯ୍ୟ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କରୋନା ପାଇଁ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦେଇ କୃଷି ବିଭାଗ ପକ୍ଷରୁ କୌଣସି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହୋଇପାରି ନାହିଁ । ବେଗୁନିଆ ବ୍ଲକର ପରିଛଳ ଗ୍ରାମରେ ୨୮ ଗୋଟି ବୋରୱେଲରେ ୧୫୦ ଏକର ଜମିରେ ୧୫୦ ଜଣ ଚାଷୀ ଟମାଟ,ବାଇଗଣ,କୋବି,କାକୁଡି,କଲରା,ବାଇଗଣ କଖାରୁ ଓ ମିଠାମକା ଚାଷ କରିଥିବା ବେଳେ ସମସ୍ତ ପରିବାକୁ ପ୍ରକୃତ ମୂଲ୍ୟଠାରୁ କମଦରରେ ବିକ୍ରୀ ହେଉଥିବାର ଦେଖିବାକୁ ମିଳୁଛି । ପରିଛଳ ସହିତ ଗଡମାଣିତୀର,ଶଗଡଭଙ୍ଗା,ମାନପୁର,ସିକୋ, ହଜରେ ଥିବା ଚାଷୀମାନଙ୍କ ନିକଟରୁ ପ୍ରାୟ ହଜାର ହଜାର କୁଇଣ୍ଟାଲ କଖାରୁ ବିକ୍ରି ହୋଇ ନପାରି ପଚିସଢି ନଷ୍ଟ ହେବାକୁ ବସିଛି । ସରକାର ବିହନ ଓ ସାର ଯୋଗାଇ ପାରିଲେନି ଚାଷୀ ତା ପାଖରେ ରଖିଥିବା ବିହନ ବା ଘରୋଇ ସଂସ୍ଥାଠାରୁ ଉଚ୍ଚ ଦରରେ ବିହନ ଆଣୁଛି ।ବର୍ତମାନ ଲକଡାଉନ ଯୋଗୁ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ସରକାର ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା