ସାକ୍ଷୀଗୋପିନାଥଙ୍କୁ ଲାଗି ହେଲା ମକର ଚାଉଳ
ସାକ୍ଷୀଗୋପାଳ ---- ଓଡିଆ ଘରର ବୋଝୁ ବାପ ଘରକୁ ପୁଷ ମାସରେ ଯାଇଥାଏ । ବାପ ଘରୁ ଆସିଲା ବେଳେ ନିଶ୍ଚୟ ବୋହୁ ସାଙ୍ଗରେ ଭାର ଆଣିଥିବ । ସେହି ପ୍ରଥା ଅନୁସାରେ ମାନବ ରୁପରେ ଜନ୍ମଗ୍ରହଣ କରି ମା ଲକ୍ଷ୍ମୀ ଠାକୁରାଣୀ ପୃଥିବୀ ପୁଷ୍ଠରେ ଲୀଳାଖେଳ କରିଥିଲେ । ସେହି ଓଡିଆ ଘରର କଥା ଅନୁସାରେ ବା ପୁରାଣ ଶାସ୍ତ ମତ ଅନୁସାରେ ପୁଷମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି । ମାସାନ୍ତ ଦିନ ମହାଲକ୍ଷ୍ମୀ ବାପ ଘରୁ ମନ୍ଦିରକୁ ଫେରନ୍ତି । ସାଙ୍ଗରେ ନାନା ଭାର ଆଣିଥାଏ । ସେହି ଭାରରେ ନୂଆ ଅରୁଆଚାଉଳ, ପାଚିଲା କଦଳୀ, ଶାକର, ନବାତ, ଛେନା ଘିଅ, ମହୁ , ନଡିଆ,ଫଳମୁଳ, ଧନୁମୁଆଁ , ଠାକୁରଙ୍କ ପାଇଁ ନୂତନ ବସ୍ତ୍ର , ତୁରସି ଓ ଫୁଲମାଳ ଆଣିଥାନ୍ତି । ସାକ୍ଷୀଗୋପାଳ ମନ୍ଦିରରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ବର୍ଷସାରା ଗହମ ଓ ଖଇ, ଛେନା, କ୍ଷୀର, ଲବଣି ଶୁଖିଲା ଭୋଗ ପ୍ରଦାନ କରାଯାଇଥାଏ । ମାତ୍ର ବର୍ଷକୁ ଥରେଏହି ମକର ସଂକ୍ରାନ୍ତିରେ ଚାଉଳ ଭୋଗ ଲାଗି କରାଯିବାର ପରମ୍ପରା ରହି ଆସିଛି । ଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ନୁଆ ଅରୁଆଚାଉଳରେ ମକର ଭୋଗ ପ୍ରସ୍ତୁତି କରାଯାଇଥାଏ । ଦ୍ୱିପହର ଧୂପରେ ମନ୍ଦିର ବେଡାରେ ମକର, ଶାକର, ଦଧି ଓ ରୂପାପାତ୍ରରେ ନଳିପାନ ଏପରି ଭିନ୍ନ ଭିନ୍ନ ଚାରିବେଡା ଅନୁଷ୍ଠିତ ହୋଇଥିଲା । ପୂଜାପଣ୍ଡା ଓ ପାଳିଆପତି ସେବକ ବଳି ଆଟିକାରେ ମକର ଚାଉଳ ନେଇ ନବାଙ୍କ ସ୍ଥାନରେ ପ୍ରଦାନ କରିଥିଲେ । ମକର ବେଡା ଅନ୍ତେ ଅପରାହ୍ନରେ ଠାକୁରଙ୍କୁ ମକର ଚାଉଳ ଭୋଗ ନୈବେଦ୍ୟ କରାଯାଇଥିଲା । ବର୍ଷକୁ କିଛି ସମୟ ପାଇଁ ଠାକୁରଙ୍କୁ ଚାଉଳ ଭୋଗ ଦେବା ସୁଯୋଗ ମିଳୁଥିବାରୁ ଆଖପାଖ ପଞ୍ଚୁକୋଷି ଅଞ୍ଚଳର ଭକ୍ତ ମାନଙ୍କର ଭିଡ ଏଠାରେ ପରିଲିକ୍ଷିତ ହୋଇଥିଲା । ନୁଆହାଣ୍ଡିରେ ନୁଆ ଅରୁଆଚାଉଳ, ଧନୁମୁଆଁ, ନଡିଆ, ପାଚିଲା କଦଳୀ, କ୍ଷୀର, ଛେନା, ସର, ଲବଣୀ, ଭଲଘିଅ, ଚିନି, ଗୁଡ, ଅଦା, କାହୁ, ଖସିମିଶି , କର୍ପୁର, ଖଟାକମଳା, ଅଳେଇଛ, ଗୋଳମରିଚ ଓ ଫଳମୂଳ ଆଦି ମିଶ୍ରଣରେ ପ୍ରସ୍ତୁତି ମକର ଚାଉଳ ଭୋଗ କରାଯାଇଥାଏ । ମକରଚାଉଳ ପ୍ରସ୍ତୁତି ସାମଗ୍ରୀ ବିକୟ କରିବା ପାଇଁ ମନ୍ଦିର ସମ୍ମୁଖରେ ବ୍ୟବସାୟୀ ମାନେ ପସାର ଖୋଲିଥିଲେ । ମକର ଭୋଗ ପାଇବା ପାଇଁ ଭକ୍ତ ମାନଙ୍କର ଆଗ୍ରହ ରହିଥିବାରୁ ଭୋଗ ପ୍ରସ୍ତୁତି କରିପାରୁନଥିବା ଭକ୍ତ ମାନେ ପ୍ରସାଦ ପାଇବା ପାଇଁ ସେବାୟତ ମାନଙ୍କଠାରୁ ମକର ଚାଉଳ ସଂଗ୍ରହ କରିଥାନ୍ତି । ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଶୈବ , ମହାବୀରି ଓ ବିଷ୍ଠୁଙ୍କ ମନ୍ଦିର , ମଠ ଗୁଡିକରେ ମକର ଚାଉଳ ଭୋଗ କରାଯାଇଥିବାର ଦେଖାଯାଇଥିଲା । ଘରେ ଘରେ ମଧ୍ୟ ମକର ଚାଉଳ ଭୋଗ ପ୍ରସ୍ତୁତି କରାଯାଇ ଘର ଠ।କୁରଙ୍କ ସହ ଇସାଣ ଓ ପିତୃପୁରୁଷଙ୍କୁ ସମର୍ପଣ କରାଯାଇଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି