ଜେଜେ ମାଙ୍କର ଦଶାହକୁ ଆସି ନାତିର ମୃତ୍ୟୁ; ୪ଦିନ ପରେ ପାଣିରେ ଭାସିଲା ଶବ
ସାକ୍ଷୀଗୋପାଳ-- ସତ୍ୟବାଦୀ ଥାନା ଅନ୍ତର୍ଗତ କମାରସାହିରେ ଏକ ଦୁଖଃଦ ଘଟଣା ଘଟିଯାଇଛି । ନିଜ ଜେଜେ ମାଙ୍କର ଦଶାହ କାର୍ଯ୍ୟରେଯୋଗ ଦେବାକୁ ଆସି ନାତି ସୁବାଶିଷ ମହାନ୍ତି (୨୭) ପାଣିରେ ବୁଡି ଯାଇଥିଲେ । ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ସୁଚନାଯୋଗ୍ୟ ଯେ ସ୍ୱର୍ଗତ ଗଗନ ବିହାରୀ ମହାନ୍ତିଙ୍କ ଏକମାତ୍ର ପୁତ୍ର ସୁବାଶିଷ ନିଜର ଜେଜେ ମାଙ୍କର ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ନିଜ ମାଙ୍କ ସାଙ୍ଗରେ ଭୁବନେଶ୍ୱରରୁ ସାକ୍ଷୀଗୋପାଳ କମାରସାହିକୁ ଆସିଥିଲେ । ମାଙ୍କର ଦଶାହ କାର୍ଯ୍ୟରେ ଯୋଗଦେଇ ଗାଧେଇବା ପାଇଁ ପାଖରେ ଥିବା ପଦ୍ମପୋଖରୀକୁ ଯାଇଥିଲେ । ସେଠାରେ ସମସ୍ତେ ଗାଧୁଆ ପାଧୁଆ କରିବା ପରେ ସୁବାଶିଷ ଗାଧେଇବା ପାଇଁ ତୁଟକୁ ଯାଇଥିଲେ । ପୋଖରୀ ତୁଟରେ ନିଜର ଚପଲ, ଗାଡି ଚାବି ଓ ଚଷମା ଥୋଇ ପୋଖରୀ ଭିତରେ ପଶିଥିଲେ । ମାତ୍ର ସେ ଯାଣିନଥିଲେ ପୋଖରୀର ଗଭୀରତା । ପୋଖରୀ ଖୋଳା ହୋଇଯାଇଥିବାରୁ ତୁଟ ମଧ୍ୟ ଭାଙ୍ଗିଯାଇଛି । ଯାହା ଫଳରେକି ସୁବାଶିଷ ପାଣି ଭିତରକୁ ପଣି ଯିବା ପରେ ଗଭୀର ପାଣିକୁ ଚାଲିଯାଇଥିଲେ । ସେଠାରେ ଥିବା ପରିବାର ଲୋକ ମାନେ କିଛି ଜାଣି ପାରିନଥିଲେ । କିଛି ସମୟ ପରେ ତାଙ୍କ ଚପଲ ଦେଖି ପାଣିରେ ବୁଡି ଯାଇଥିବା ଅନୁମାନ କରି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ବହୁ ଖୋଜା ଖୋଜି କରିବା ପରେ ଯୁବକଙ୍କର କୌଣସି ସନ୍ଦାନ ମିଳିନଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଠାରୁ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା । ଆଜି ଏହାର ଯବନିକା ପଡିଛି । ଚାରିଦିନ ପରେ ଉକ୍ତ ଯୁବକଙ୍କର ଶବ ପାଣିରେ ଭାସିଥିଲା । ରବିବାର ଦିନ ଯୁବକଙ୍କର ମା ଗିତାଞ୍ଜଳି ମହାନ୍ତି ସତ୍ୟବାଦୀ ଥାନାରେ ତାଙ୍କ ପୁତ୍ର ନିଖୋଜ ହୋଇଥିବା ସମ୍ପର୍କରେ ଏକ ଅଭିଯୋଗ କରିଥିଲେ । ଆଜି ସକାଳେ ଶବ ଭାସୁଥିବା ଖବର ପାଇ ସତ୍ୟବାଦୀ ଥାନା ଘଟଣା ସ୍ଥଳରେ ପହଞ୍ଚ ଅଗ୍ନିଶମ ବିଭାଗ ସହଯୋଗରେ ଶବ ପାଣିରୁ କାଡିବା ସହ ୧/୧୯ରେ ଏକ ଅପମୃତ୍ୟୁ କେସରୁଜ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ଶବ ପାଣିରୁ ପୋଲିସ କାଡିବା ପରେ ଯୁବକଙ୍କର ନାକରୁ ରକ୍ତ ବୋହିକି ଶୁଖିଯିବା ଓ ଆଖିପତା ତଳ ମାଡ ହେବାପରି କଳା ପଡିଥିବା ଦେଖି ଦେଖାଣାକାରୀ ମାନଙ୍କ ମଧ୍ୟରେ ସନ୍ଦେହ ଜାତ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି