ଜବରଦଖଲରେ ରେଳବାଇ ମାର୍କେଟ, ହେବକି ନବୀକରଣ ନା ହେବେ ଉଛେଦ
ଜଟଣୀ : ପୁରାତନ ସହର ଜଟଣୀ । ମୁଖ୍ୟତଃ ଖୋର୍ଦ୍ଧାରୋଡ଼ ରେଳବାଇ ଜଙ୍କସନ୍ ଏବଂ ଏହାକୁ ଭିତ୍ତିକରି ଗଢି ଉଠିଥିବା ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ସମୃଦ୍ଧ I ରେଳବାଇ ଚାକିରିଆ ଏବଂ ବ୍ୟବସାୟ ପ୍ରତିଷ୍ଠାନ କରିଥିବା ବ୍ୟକ୍ତି ବିଶେଷ ମାନେ ଏହି ଅଞ୍ଚଳରେ ବସବାସ କରିଥାନ୍ତି l ଏହି ପରିପ୍ରେକ୍ଷୀରେ ରେଳ କର୍ମଚାରୀଙ୍କ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମୌଳିକ ସୁବିଧା ଉପଲବ୍ଧ କରାଇବା ଉଦ୍ଧେଶ୍ୟରେ ପ୍ରାୟ ୪ ଏକର ପରିମିତ ଜମିରେ ବ୍ରିଟିଶ ଶାସନ ଅମଳରୁ ଗଢ଼ି ଉଠିଥିଲା ଗୋଲେଇ ମାର୍କେଟ, ନିଉ ମାର୍କେଟ, ମାଛ ମାର୍କେଟ ଏବଂ ପରିବା ମାର୍କେଟ l ଦୈନିକ ଜଟଣୀ ତଥା ଆଖପାଖ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଲୋକ ଏହି ସବୁ ମାର୍କେଟ ଉପରେ ନିର୍ଭର କରିଥାନ୍ତି l ହେଲେ ଅସରାଏ ବର୍ଷା ହେଲେ ଏହି ପୁରାତନ ବଜାରର ଭୂଗୋଳ ସମ୍ପୂର୍ଣ୍ଣ ଭାବେ ବଦଳିଯାଏ l ବଜାର ଅଞ୍ଚଳରେ ବର୍ଷା ଜଳ ସହିତ ଉଦବୃତ୍ତ ନର୍ଦ୍ଦମା ଜଳର ପ୍ରବାହ ପରିବେଶକୁ କର୍ଦ୍ଦମାକ୍ତ ଓ ଦୁର୍ଗନ୍ଧ ଯୁକ୍ତ ପରିବେଶ ସୃଷ୍ଟି କରେ l ଯାହାଫଳରେ ଏହାର ସିଧାସଳଖ ପ୍ରଭାବ ବେପାର ଉପରେ ପଡେ, କାହିଁକିନା ଜନସାଧାରଣ ଉକ୍ତ ପରିବେଶ ମଧ୍ୟରେ କିଣାକିଣି କରିବା ପାଇଁ ଆଶ୍ୱସ୍ତି ବୋଧ କରିବା ସହ ନାକ ଚିପି ପାଦ ଚିପିଚିପି ବାଟ ଚାଲନ୍ତି l ରେଳବାଇ ଅଞ୍ଚଳରେ ଥିବା ଡ୍ରେନର ନବୀକରଣ ଓ ଷ୍ଟେସନରୁ ମେମୁ କାର୍ ସେଡ ପର୍ଯ୍ୟନ୍ତ ରାସ୍ତାର ନିହାତି ଆବଶ୍ୟକ ରହିଥିବା ବେଳେ ରେଳ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନେ ଟେଣ୍ଡର ପ୍ରକ୍ରିୟା କରଣ କରି ନବୀକରଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ସୋଇସାରିଛନ୍ତି । ବେଆଇନ ଭାବେ ରାସ୍ତା ଉପରେ ବସି ଉଠା ବେପାରୀ ମାନେ ବସିଥାନ୍ତି । ନୋଟିସ ଜାରି କରି ସ୍ଥାନ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ବେପାରୀ ମାନେ ପ୍ରତିବାଦ କରି ଜବର ଦଖଲ କରିଥାନ୍ତି। ବେଆଇନ ଭାବେ ଓ ରେଳ ପ୍ରଶାସନର ଅନୁମତି ନନେଇ ଦୀର୍ଘ ବର୍ଷ ଧରି ଶତାଧ୍ଵକ ଉଠାଦୋକାନୀ ଯେଉଁସ୍ଥାନରେ ବ୍ୟବସାୟ କରୁଛନ୍ତି ସେହି ଅଞ୍ଚଳ ଦେଇ ରାସ୍ତା ଓ ଡ୍ରେନଯାଉଥିବାରୁ ସେମାନେ ବର୍ତ୍ତମାନ ପ୍ରତିବାଦ କରୁଛନ୍ତି ।ଘଟଣାରୁ ଜଣାପଡିଛି ଏହି ଅଞ୍ଚଳରେ ପ୍ରାୟ ୩୦୦ ପାଖାପାଖି ଦୋକାନୀଙ୍କୁ ରେଳ ପ୍ରଶାସନ ଆଲର୍ଟମେଣ୍ଟ ଦେଇ ସ୍କୋୟାର ମିଟର ବାବଦରେ ୭୭୧ଟଙ୍କା ଭାବେ ବର୍ଷକୁ ଭଡା ଆଦାୟ କରୁଛନ୍ତି । କିନ୍ତୁ ବେଆଇନ୍ ଭାବେ ରାସ୍ତା ଉପରେ ଶତାଧିକ କ୍ୟାବିନ୍ ପକାଇ, ନିଜ ଦୋକାନ ଆଗକୁ ବଜାରର ମୁଖିଆ କହି ଦୋକାନର ଦୁଇଗୁଣ ମଡ଼ାଇ କିଛି ବିଭାଗୀୟ ତଳିଆ କର୍ମଚାରୀ ମାନଙ୍କୁ ହାତଗୁଞ୍ଜା ଦେଇ ମନମାନି ଚଳାଇବାକୁ ଅନେକ୍ ନାପସନ୍ଦ କରିଛନ୍ତି ।ସେହିପରି ରେଳ ବିଦ୍ୟୁତ ବିଭାଗ ପ୍ରାୟ ୧୩୦ଟି ସ୍ଥାୟୀ ଦୋକାନୀକୁସ୍ଵିକୃତୀ ଦେଇ ୟୁନିଟ ପିଛା ଦିନକୁ ୧୧ ଟଙ୍କା ଆଦାୟ କରୁଥିବାବେଳେ ଶତାଧିକ ବେଆଇନ ଦୋକାନ ଗୃହକୁ ପ୍ରିୟାପ୍ରୀତିରେ ଦୀର୍ଘବର୍ଷ ଧରି ବିଦ୍ୟୁତ ସଂଯୋଗ ଦିଆଯାଇଛି । ସେମାନଙ୍କଠାରୁ ବିନା ବିଲରେ ଟଙ୍କା ଆଦାୟ କରାଯାଉଛି । ଯାହାକି ତଦନ୍ତ ସାପେକ୍ଷ ବୋଲି ଲୋକମାନେ କହନ୍ତି। ଏନେଇ କିଛି ସ୍ଵିକୃତୀପ୍ରାପ୍ତ ବ୍ୟବସାୟୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେମାନେ ନିୟମରେ ରହି ବିଦ୍ୟୁତଖର୍ଚ୍ଚ କରୁଥିବାବେଳେ ଅଣସ୍ଵିକୃତ ପ୍ରାପ୍ତ ଦୋକାନୀମାନେ ମନଇଚ୍ଛା ବିଦ୍ୟୁତଖର୍ଚ୍ଚ କରିବା ସହ ଚୋରାରେ ଅନ୍ୟମାନଙ୍କୁ ସଂଯୋଗ ଦେଇ ଟଙ୍କା ଆଦାୟ କରୁଛନ୍ତି । ଅପରପକ୍ଷେ ଉଠାଦୋକାନୀମାନେ ରେଳବାଇକୁ ସେପରି କିଛି ଟିକସ ନଦେଇ ଆଗକୁ ଆଗକୁ ଆସି ରାସ୍ତା ମାଡି ବସିଛନ୍ତି । ଗୋଟେ ପଟେ ରାସ୍ତା ଓ ଡ୍ରେନ ଅନ୍ୟପକ୍ଷରେ ଏହି ଉଠାଦୋକାନୀଙ୍କ ପେଟପାଟଣା ପ୍ରଶାସନ ପାଇଁ ଦ୍ଵୈତ ସମସ୍ୟା ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କେବେ କେମିତି ଏହି ବଜାର୍ ଅଞ୍ଚଳରେ କୌଣସି କାରଣରୁ ନିଆଁ ଲାଗୁଛି ତେବେ ଦମକଳବାହିନୀ ସେହି ସ୍ଥାନରେ ପହଁଞ୍ଚିବା ପାଇଁ ନାକେଦମ୍ ହେଉଛନ୍ତି l ତେବେ ପୂର୍ବରୁ ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ଜଣାଯାଇଛି ଯେ, ଏଠାରେ ଥିବା ସ୍ୱାୟୀ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ରାସ୍ତା ଓ ଡ୍ରେନ ସପକ୍ଷରେ ମତାମତ ଦେଉଛନ୍ତି । ମାତ୍ର ଉଠା ଦୋକାନୀମାନଙ୍କ ସମସ୍ୟା ପ୍ରତି ପ୍ରକୃତ ସମାଧାନର ମାଧ୍ୟମ ସୃଷ୍ଟି ନକରି କେତେକ ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି ନିଜର ପତିଆରା ଜାହିର କରିବାପାଇଁ ଉଠା ଦୋକାନୀମାନଙ୍କୁ ଭୂଆଁ ବୁଲାଇ କେବଳ ରାଜନୀତି କରିବାରେ ଲାଗିଛନ୍ତି। ଜଟଣୀ ପରି ଏକ ଖ୍ୟାତନାମା ସହରରେ ସମସ୍ତ ଅଞ୍ଚଳର ନବୀକରଣ ହେଉଥିବା ବେଳେ ଏହି ବଜାରର ନବୀକରଣ ହେଲେ ବହୁତ ଭଲ ହୁଅନ୍ତା ବୋଲି ଅନେକ୍ ବ୍ୟବସାୟୀ ଓ ଜନସାଧାରଣ ମତ ପ୍ରକାଶ କରିଛନ୍ତି। ସେହିପରି ଏହି ଉଠା ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ରେଳ ପ୍ରଶାସନ ପାଖରେ ଯଥେଷ୍ଟ ଖାଲି ଯାଗା ଥିବାବେଳେ ପ୍ରଶାସନ ଏହାକୁ ଗୁରୁତର ସହ ବିଚାର ନକରି କେବଳ ଟାଳଟୁଳ ନୀତି ଗ୍ରହଣକରୁଥିବା ଏକ ଇଚ୍ଛାଶକ୍ତିହୀନ ପ୍ରଶାସନିକ ବ୍ୟବସ୍ଥାର ନିଦର୍ଶନ ବୋଲି ଅନେକ ବ୍ୟବସାୟୀ କହିଛନ୍ତି । ଜଟଣୀ ରେଳ ଷ୍ଟେସନ ଠାରୁ ରେତଙ୍ଗ କଲୋନୀ ପର୍ଯ୍ୟନ୍ତ ନିର୍ମିତ ହେବାକୁ ଥିବା ରାସ୍ତା ପାଇଁ ଉଠାଦୋକାନୀଙ୍କୁ ଚଳିତ ସପ୍ତାହରେ ପୂର୍ବରୁ ଥିବା ରାସ୍ତା ଖାଲି କରିବା ପାଇଁ ଦିଆଯାଇଥିବା ଅବଧି ସରିଯାଇଥିବା ବେଳେ ଉଠା ଦୋକାନୀ ମାନେ ଭୁବନେଶ୍ବର ଲୋକସଭା ସାଂସଦଙ୍କ ଶରଣାପନ୍ନ ହେବା ପରେ ସାଂସଦଙ୍କ ପକ୍ଷରୁ ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଭ୍ଯ ବିଶ୍ୱରଞ୍ଜନ ବଡଜେନା ଓ ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା ମଣ୍ଡଳ ରେଳ ଡିଆରଏମ ଙ୍କ ସହିତ ଆଲୋଚନା କରିବା ସହିତ ଉଛେଦ କରିବା ଆଗରୁ ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ପ୍ରସ୍ତାବ ଦେଇଥିଲେ l ଅପରପକ୍ଷେ ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ରାସ୍ତା ନିର୍ମାଣ ପାଇଁ ଯେତିକି ଜମି ଦରକାର ସେହି ସ୍ଥାନରୁ ଦୋକାନୀ ମାନେ ଉଠି ଯାଆନ୍ତୁ, ରାସ୍ତା ନିର୍ମାଣ ହୋଇଗଲେ ସମସ୍ତଙ୍କ ହିତରେ ଆସିବ l ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଏକ ଅଶାନ୍ତ ବାତାବରଣ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ବହୁ ବ୍ୟବସାୟୀଙ୍କ ମହଲରୁ ଜଣାଯାଇଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୬/୨୦୨୪--୮,୪୫ Sakhigopal News,18/6/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୬/୨୦୨୪--୮,୪୫ Sakhigopal News,18/6/2024