ସ୍ୱାମୀର ଦୀଘାୟୁ ଆୟୁସ କାମନା କରି ସଧବା ମହିଳା ମାନେ ମନ୍ଦିର ଓ ମଠ ସହିତ ଘରେ ଘରେ ସାବିତ୍ରୀ ପୂଜା ପାଳନ କଲେ
ସାକ୍ଷୀଗୋପାଳ--- ସକାଳୁ ସକାଳୁ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ମହିଳା ମାନଙ୍କର ସାବ୍ରିତୀ ପୂଜା ପାଇଁ ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ମନ୍ଦିର, ବିଭିନ୍ନ ଶୈବପୀଠ ଓ ମଠ ମାନଙ୍କ ସହିତ ଘରେ ଘରେ ମା ସାବିତ୍ରୀଙ୍କ ପୂଜା ପାଳିତ ହୋଇଯାଇଛି । ପୁରାଣ ଶାସ୍ତ୍ର ମତ ଅନୁସାରେ ଓଡିଶାରେ ଏହି ପୂଜା ନୀତି ନିୟମ ଅନୁସାରେ ପାଳିତ ହୋଇଥାଏ । ସ୍ୱାମୀର ଦୀଘାୟୁ ଆୟୁସ କାମନା କରି ମହିଳା ମାନେ ଏହି ବତ୍ର କରିଥାନ୍ତି । ସଧବା ମହିଳା ମାନେ ସକାଳୁ ସକାଳୁ ଉଠି ଘର ଦ୍ୱାର ଲିପା ପୋଛା କରିବା ସହ ନିତ୍ୟକର୍ମ ସାରିବା ପରେ ଠାକୁରଙ୍କ ଘରେ ବା ମନ୍ଦିର ମାନଙ୍କରେ ଧୁଆମୁଗ, ଆମ୍ବ, ପଣସ, ତାଳ, ଖଜୁରୀକୋଳି, ସେଓ, ଅଙ୍ଗୁର, ଡାଳିମ୍ବ, କମଳା, ଚାଉଳିଆ, ଲିଚୁକୋଳି,ନଡିଆ , ପାଚିଲା କଦଳୀ , ସପୁରୀ ଆଦି ଫଳମୁଳ ଭୋଗ ଅର୍ପଣ କରାଯାଇଥାଏ । ଏହା ସହିତ ନୂତନ ଲୁଗା, ସିନ୍ଦୁର, କାଚ, କାଗଜ ଅଳତା ସହିତ ହଳଦୀଆ ବ୍ରତ ମା ସାବିତ୍ରୀଙ୍କୁ ଅର୍ପଣ କରାଯାଇଥାଏ । ଅନେକ ସ୍ଥାନରେ ବାହ୍ମଣ ମାନଙ୍କ ଦ୍ୱାରା ଚଉରା ମୂଳରେ ପୂଜା କରାଯାଉଥିବା ବେଳେ କେତେକ ଗ୍ରାମରେ ଶିଳପୁଆରେ ବଟା ହଳଦୀରେ ମା ସାବିତ୍ରୀଙ୍କ ପ୍ରତିମୂର୍ତ୍ତି କରାଯାଇ ବିଭିନ୍ନ ଫୁଲ, ଦୁବ, ବରକୋଳି ପତ୍ର, ଚାନ୍ଦୁଆ, ଛିଟ କନାରେ ସୁସଜିତ କରାଯାଇ ମାଙ୍କ ପାଖରେ ଦୀପ, ଧୁପ ଦେଇ ସ୍ୱାମୀଙ୍କର ଦୀଘାୟୁ ଆୟୁସ କାମନ କରି ପୂଜା ପାଠ କରିଥିବାର ଦେଖାଯାଇଥିଲା । ସେହିପରି ସାକ୍ଷୀଗୋପାଳ ମନ୍ଦିରରେ ମାନବ କୂଳରେ ଜନ୍ମିତ ଠାକୁର ସାକ୍ଷୀଗୋପିନାଥ ଦେବ ମା ଶ୍ରୀରାଧାରାଣିଙ୍କ ସାବିତ୍ରୀ ପର୍ବ ପାଳିତ ହୋଇଯାଇଛି । ଭଅଣ୍ଡ ଧୂପ ପରେ ଚନ୍ଦନ ବେଡା ପରେ ଚଳନ୍ତି ପ୍ରତିମା ମଦନମୋହନ ଓ ମା ଶ୍ରୀରାଧାଙ୍କ ବିଗ୍ରହକୁ ସେବାୟତ ମାନେ ରଙ୍ଗଣି ମଣ୍ଡପକୁ ବିଜେ କରାଇଥିଲେ । ସେଠାରେ ନୂତନ ବସ୍ତ୍ର ପରିଧାନ କରିବା ପରେ ତୁଳସି, ଚନ୍ଦନ ଲାଗି କରାଯିବା ପରେ ସାବିତ୍ରୀ ପୂଜାନୀତି କାନ୍ତି କରାଯାଇଥିଲା । ବିଭିନ୍ନ ଫଳମୂଳ,ସହିତ ଧୁଆମୁଗ ନଡିଆ,ପାଚିଲାକଦଳୀ ଅର୍ପଣ କରାଯାଇଥିଲା ବୋଲି ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । ଠାକୁରଙ୍କ ନୀତିକାନ୍ତି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ତତ୍ୱବଧାନରେ ହୋଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୬/୨୦୨୪---୭,୧୦