ଲଗାମଛଡା ହେଲାଣି ବନ୍ୟଜନ୍ତୁ ଶିକାର, ଯୁବକକୁ ଗୁଳିମାଡ଼ ଘଟଣାରେ ଜଣେ ଗିରଫ, ବନ୍ଧୁକ ଜବତ
ଭଞ୍ଜନଗର - ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ ଦୁଇ ଯୁବକ । ସାଥିରେ ନେଇଥିଲେ ବନ୍ଧୁକ । ସେହି ବନ୍ଧୁକରୁ ଗୁଳି ଫୁଟି, ସାଥିରେ ଥିବା ସହଯୋଗୀ ଆହତ ହୋଇଥିଲେ । ଶିକାର ମାଂସ ତ' ଖାଇବା ସମ୍ଭବ ହେଲାନି । ତା' ବଦଳରେ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ, ଆଉ ଜଣେ ଗିରଫ ହୋଇ ଜେଲ ଗଲେ । ଘଟଣା କ୍ରମେ ପ୍ରଥମେ କୁହାଗଲା ଗାଁ ପାଖ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ବେଳେ, କେହି ଅଜଣା ବ୍ୟକ୍ତିର ଗୁଳି ମାଡ଼ରେ ଯୁବକ ଜଣକ ଆହତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଘଟଣାର ପ୍ରକୃତ ରହସ୍ୟ ସ୍ପଷ୍ଟ କଲା ପୋଲିସ । ବନ୍ୟଜନ୍ତୁ ଶିକାର ରୁ ଏଭଳି ଘଟଣା ସୃଷ୍ଟି ହୋଇଥିଲା । ଏମିତି ଏକ ଘଟଣାର ରହସ୍ୟ ଖୋଲିଛି ଭଞ୍ଜନଗର ଥାନା ପୋଲିସ । ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗାଁ ନିକଟରେ ଏହି ଘଟଣା ଘଟିଥିଲା । ଥାନାଧିକାରୀ ଦେଇଥିବା ସୂଚନା ପ୍ରକାରେ ଗତ ୨୧ ତାରିଖ ଭୋର ସମୟରେ ଗୁଳିମାଡ଼ ରେ, ନିଲୁ ବିଷୋୟୀ ନାମକ ଜଣେ ଯୁବକ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଏନେଇ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା । ଘଟଣା ର ତଦନ୍ତ କରି, ସେହି ଗାଁ ର ପିଣ୍ଟୁ ନାୟକ ନାମକ ଜଣେ ଯୁବକ କୁ ଥାନା ରେ ଅଟକ ରଖି ପଚରାଉଚରା ବେଳେ ସବୁ ସତ ମାନି ଯାଇଥିଲା ଯୁବକ ଜଣକ । ଏହି ମାମଲାରେ ସଂପୃକ୍ତ ଯୁବକ କୁ ଥାନା କେଶ୍ ନମ୍ବର ୫୮୦/୨୪ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ଗତ ୨୦ ତାରିଖ ରାତିରେ ପିଣ୍ଟୁ ନାୟକ ଏବଂ କୁଶପଲ୍ଲୀ ଗ୍ରାମର ନିଲୁ ବିଷୋୟୀ ଦୁହେଁ ମିଶି ପାଖ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ଅସାବଧାନତା ବଶତଃ ବନ୍ଧୁକରୁ ଗୁଳି ଫୁଟି, ନିଲୁ ଙ୍କ ପେଟରେ ବାଜିବାରୁ, ସେ ଆହତ ହୋଇଥିଲେ । ସେଠାରୁ ତାଙ୍କୁ ଉଧାର କରି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ଏବଂ ଘଟଣାର ତଦନ୍ତ କରି ଅଭିଯୁକ୍ତ କୁହାଯାଉଥିବା ପିଣ୍ଟୁ କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ କୁମାର ମୁଦୁଲି ସୂଚନା ଦେଇଥିଲେ । ତେବେ ବିଭିନ୍ନ ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ମାନଙ୍କରେ କ୍ରମାଗତ ଭାବେ ବନ୍ୟଜନ୍ତୁ ଙ୍କୁ ଶିକାର କରାଯାଉଛି । ଯାହା ବର୍ତ୍ତମାନ ର ଘଟଣା ସ୍ପଷ୍ଟ କରିଛି । ଏହା ବ୍ୟତୀତ ଅତୀତରେ ମଧ୍ୟ ବିଭିନ୍ନ ସମୟରେ ଏଭଳି ବନ୍ୟଜନ୍ତୁ ଶିକାର କୁ ନେଇ ଘୁମୁସର ବନଖଣ୍ଡ ର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ଘଟଣାର କିଛି ଲୋକ ଆହତ ହୋଇଥିବା ନଜିର ରହିଛି । ତେବେ ବନ୍ୟଜନ୍ତୁ ଶିକାର ରୋକିବା କ୍ଷେତ୍ରରେ ବନବିଭାଗ ବିଫଳ ହେଉଥିବା ସାଧାରଣ ମହଲରେ ଚର୍ଚ୍ଚା ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୬/୨୦୨୪----୯,୨୦ Sakhigopal News,24/6/2024