ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ପରମ୍ପରା ଅନୁଯାୟୀ ସତ୍ୟବାଦୀରୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ବଉଳ ଗଛ ଚିହ୍ନଟ ,
ସାକ୍ଷୀଗୋପାଳ--- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭ୍ରଦଙ୍କର ବାହୁଟ ସେନାପଟା ଓ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ପରମ୍ପରା ଅନୁଯାୟୀ ସତ୍ୟବାଦୀରୁ ବଉଳ ଗଛ ଚିହ୍ନଟ ହୋଇଛି । ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ବଡବନ୍ଦ ନିକଟ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ବଗାୟତରୁ ଗଛ ଚିହ୍ନଟ କରାଯାଇଛି । ସୁଚନାଯୋଗ୍ୟ ଯେ ମହାପ୍ରଭୁ ସ୍ନାନମଣ୍ଡପକୁ ବିଜେ କରିବା ଓ ରଥକୁ ବିଜେ କରିବାସମରେ ପହଣ୍ଡି ହେବା ସମୟରେ ତାଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ବାହୁଟ ସେନାପଟାର ଆବଶ୍ୟକତା ପଡିଥାଏ । ପୁରାଣ ବା ଜଗନ୍ନାଥଙ୍କ ସଂସ୍କୃତି ଅନୁଯାୟୀ ଏହି ସେନାପଟା ସାକ୍ଷୀଗୋପାଳରୁ ଆସିଥାଏ । ଏହି ପ୍ରଥା ଅନୁଯାୟୀ ପୁରୀ ଜଗନ୍ନାଥଙ୍କ ରଥର ବରିଷ୍ଠ ତତ୍ୱବଧାରକ ସୁଦର୍ଶନ ମେକାପଙ୍କ ସହିତ ସର୍ଦ୍ଧାର ଭୋଇ ସେବକ ରବି ଭୋଇ ଓ କାଳିଆ ଭୋଇ ଗଛ ଦେଖି ଖୁସିବ୍ୟକ୍ତ କରିଥିଲେ । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ , ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର , ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଦାଶ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ଅମର ଶତପଥୀ ଙ୍କ ସହିତ ବଦ୍ରିନାରାୟଣ ଖୁଣ୍ଠିଆ ଗିରିଜା ଶଙ୍କର ମହାପାତ୍ର, ଉମାଶଙ୍କର ମହାପାତ୍ର, ନବ କିଶୋର ମିଶ, ୍ରପ୍ରଶାନ୍ତ କୁମାର ବିଶ୍ୱାଳ ଓ ହୁଲାସ ଭୋଇ ପ୍ରମୁଖ ଗଛ ଚିହ୍ନଟ ସମୟରେ ଉପସ୍ଥିତ ରହିଥିଲେ । ଗଛକୁ ଦେଖିବା ପରେ ଉକ୍ତ ଗଛକୁ ଉପସ୍ଥିତ ଥିବା ଅଧିକାରୀ ଓ ଜନସାଧାରଣ ମାନେ ମୁଣ୍ଡିଆ ମାରି ପ୍ରଣାମ କରିଥିଲେ । ଆସନ୍ତା ମଙ୍ଗଳବାର ନିର୍ଜଳା ଏକାଦଶୀ ଦିନ ଏହି ଗଛ କଟାଯିବା ପରେ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ସତ୍ୟବାଦୀରୁ ପୁରୀ ଅଭିମୁଖେ ମେଲାଣି ଦିଆଯିବ ବୋଲି ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୬/୨୦୨୪---୭,୧୦ Sakhigopal News, 16/6/2024