୫୩ ବର୍ଷ ପରେ ରଥଯାତ୍ରା ଦିନ ବିରଳ ଯୋଗ: ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା
ପୁରୀ: ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି। ୫୩ ବର୍ଷ ପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ସରକାର ଗଠନ ପରେ ନିଯୋଗ ଏ ଉପରେ ସରକାରଙ୍କ ସହ ଆଲୋଚନା କରିବ ବୋଲି ନିଯୋଗ ନିଷ୍ପତ୍ତି ନେଇଛି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଶେଷ ପାଇଁ ନିଯୋଗ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି।
ଶ୍ରୀମନ୍ଦିର ପରିସର ନବଗ୍ରହ ମନ୍ଦିରଠାରେ ଦଇତାପତି ନିଯୋଗର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଯୋଗ ସଭାପତି ଜଗନ୍ନାଥ ଦାସମହାପାତ୍ର, ସଂପାଦକ ରାମକୃଷ୍ଣ ଦାସମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ବିଶ୍ବାବସୁ ବିନାୟକ ଦାସମହାପାତ୍ର, ଅନାଥ ଦାସମହାପାତ୍ର, ରାଜା ସ୍ବାଇଁ ମହାପାତ୍ର, କାର୍ତ୍ତିକ ଦାସମହାପାତ୍ର, ଗୁଣଧର ଦାସମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ରଥଯାତ୍ରା, ଅଣସର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ୧୯୭୧ ମସିହାର ନୀତିକାନ୍ତି ଆଧାରରେ ଚଳିତବର୍ଷର ନୀତିକାନ୍ତି କରିବାକୁ ମତପ୍ରକାଶ ପାଇଥିଲା। ୧୯୭୧ ମସିହା ରଥଯାତ୍ରା ରେକର୍ଡର ତର୍ଜମା କରାଯାଇଥିଲା।
ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଚଳିତବର୍ଷ ଏତେ କମ୍ ସମୟ ଭିତରେ କିଭଳି ଶୃଙ୍ଖଳିତ ରଥଯାତ୍ରା କରାଯିବ, ସେ ଉପରେ ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ। ୧୯୭୧ ମସିହା ରଥଯାତ୍ରା ଆଧାରରେ ଚଳିତବର୍ଷର ରଥଯାତ୍ରା କରିବାକୁ ମତପ୍ରକାଶ ପାଇଥିଲା। ୧୯୭୧ ମସିହାରେ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ହୋଇଥିଲା। ଏହି ବର୍ଷ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଟାଣି ରଥ ରଥ ସିଂହଦ୍ବାର ଚକଡ଼ାକୁ ନିଆଯାଇଥିଲା। ନେତ୍ରୋତ୍ସବ ଦିନ ଅପରାହ୍ନ ୨ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା କିଭଳି ଶୃ୍ଙ୍ଖଳିତ ଶେଷ ହେବ ସେ ଉପରେ ନୂଆ ସରକାରଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବାକୁ ଦଇତାପତି ନିଯୋଗ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଅନ୍ୟପଟେ ଚଳିତବର୍ଷ ନବଯୌବନ ଦର୍ଶନ ନ ଥିବାରୁ ଦଇତାପତିମାନେ ପ୍ରାପ୍ୟପାଉଣାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏ ଉପରେ ବି ନୂଆ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍ ୨୨ରେ ସ୍ନାନପୂର୍ଣ୍ଣିମା ଓ ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଧୀରେନ୍ଦ୍ର ସେନାପତି ୮/୬/୨୦୨୪----୯,୨୫ Sakhigopal News,8/6/2024