ଅବାଧରେ ଚାଲିଛି ଖଣିଲୁଟ , ନିଘୋଡ଼ ନିଦରେ ସ୍ଥାନୀୟ ପ୍ରଶାସନ
ଜଟଣୀ --ଜଟଣୀ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ଜଙ୍ଗଲ ଜମି, ଗୋଚର ଜମିକୁ ଖୋଳି ଶହ ଶହ ହାଇୱା ଟ୍ରିପ ମୋରମ ସାଙ୍ଗକୁ ମାଙ୍କଡା ପଥର ଚୋରରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି l ମାଫିଆମାନେ ନିର୍ଭୟରେ ଯାନବାହାନ ମାଧ୍ୟମରେ ଲଘୁ ଖଣିଜସମ୍ପଦ ଲୁଟ କରି ଆଖପାଖ ଅଂଚଳରୁ ଚୋରାରେ ଚାଲାଣ କରୁଥିଲେ ହେଁ ପ୍ରଶାସନ ସବୁ ଜାଣି ସବୁ ଦେଖି କିଛି ନ ଦେଖିବା ନ୍ୟାୟରେ ନିରବଦ୍ରଷ୍ଟା ସାଜିଥିବା ସ୍ଥାନୀୟ ଲୋକମାନେ କହନ୍ତି। ବର୍ଷ ବର୍ଷ ଧରି ଜଟଣୀ ତହସିଲ ଅଞ୍ଚଳରେ ଅସଦ ଉପାୟରେ ଲଘୁ ଖଞ୍ଜିସମ୍ପଦ ଲୁଟ ହେଉଥିବାରୁ ଏ ବାବଦରର ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ଅଭିଯୋଗ ହେଉଛି l ଜଟଣୀ ତହସିଲ ଅନ୍ତର୍ଗତ ମୁଣ୍ଡଳ, ବରକୁଦା, ନିରଞ୍ଜନ ପୁର, କନ୍ତିଆ, ରଥିପୁର, କୁସୁମାଟି ଛଣଘର, ଗୋବିନ୍ଦ ପୁର, ତିରିମଲ, ହରିପୁର, ପୋଡ଼ପଡା, ବେଣାପଞ୍ଜରୀ, ତରାବୋଇ,କଂସ ପଦା, ଖୁଦୁପୁର, ବଡତୋଟା,ବେଲପଡା, ଛତାବର ପଳାସ ପୁର,ଅଙ୍ଗାରପଡା, ମହୁଲ, ମାଜଣା, ଗଙ୍ଗାପଡା, ଜାମୁଝରୀ, କୁଦିଆରୀ, ପ୍ରଭୁତି ଗ୍ରାମ ଅନ୍ତରର୍ଗତ ଜଙ୍ଗଲ ଜମି, ଗୋଚର ଜମି, ଟାଙ୍ଗୀ ଜମି, ସରକାରୀ ନିଲାମ ସୂତ୍ରରେ ଦିଆଯାଇନଥିବାରୁ ଏହାର ସୁଯୋଗ ନେଇ ମାଫିଆ ମାନେ ସ୍ଥାନୀୟ ଅଂଚଳରେ ବେଶ ସକ୍ରିୟ ହୋଇ ଉଠିଥିବା ଜଣା ପଡିଛି l ଏହାବ୍ୟତୀତ ଜଟଣୀ ତହସିଲ ସୀମାକୁ ଲାଗି ରହିଥିବା ପୁରୀ ଜିଲ୍ଲା ଗୋଡିପୁଟ ମାଟିଆ ପଡା ପଞ୍ଚାୟତ ଅନ୍ତର୍ଗତ ବରପଦା, ହରିପୁର, ରେଙ୍ଗଳ, ଅରାଗଡ଼ ଗ୍ରାମରୁ ମାଙ୍କଡା ପଥର ସାଙ୍ଗକୁ ଶହ ଶହ ହାଇୱା ମୋରମ ଟ୍ରିପ ବରପଦା, ମାନିଆଚ୍ଛକ, ଲୋକକଲୋନୀ ଦେଇ ଅନ୍ୟପଟେ ବାଛରା, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଦେଇ ରାତିରେ ଚୋରାଚାଲାଣ ହେଉଥିବା ଜଣାପଡିଛି l ପଥର ଏବଂ ମୋରମ ଚାଲାଣ ପଛରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ତହସିଲ ପ୍ରଶାସନର କେତକ ତଳିଆ କର୍ମଚାରିଙ୍କ ସହ ଉପରସ୍ଥ ଅଧିକାରୀ ମାନେ ସମ୍ପୃକ୍ତି ଥିବା ନେଇ ସାଧାରଣରେ ଆଲୋଚନା ହେଉଛି l ଯାହାକି ପରିବେଶ ପାଇଁ ବିପଦର କାରଣ ପାଲଟିଥିବା ବେଳେ ପରିବେଶ ବିତ ମାନେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି l ଲଘୁ ଖଣିଜ ସମ୍ପଦର ଚୋରା କାରବାର ରୋକିବା ଦିଗରେ ତହସିଲ ପ୍ରଶାସନ ନତୁବା ପୋଲିସ ପ୍ରଶାସନ କାହାର ଆନ୍ତରିକ ଥିବା ଭଳି ମନେ ହେଉନାହିଁ l କାଁ ଭାଁ କେଉଁଠି ପ୍ରଶାସନିକ ଅଧିକାରୀ ମାନେ ଲୋକ ଦେଖାଣିଆ ଭାବେ ଚଢ଼ାଉକରି ମୋରମ,ପଥର ବୋଝେଇ ହାଇୱା ଓ ଟ୍ରାକ୍ଟର ଗାଡ଼ିରୁ ଚାଲାଣ କାଟି ଜୋରିମାନା ଆଦାୟ କରୁଥିଲେ ହେଁ ବାସ୍ତବରେ ଚୋରାକାରବାରକୁ ରୋକିବା ଦିଗରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡିଛି l ବୁଦ୍ଧିଜୀବୀ ମତରେ ଏହି କାର୍ଯ୍ୟ ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ଘଟୁଛି l ଏଥିପାଇଁ ଆମ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ ଅଧିକାରି ମାନେ ପ୍ରକୃତରେ ଦାୟି l ସରକାରଙ୍କ ପ୍ରଦୂଷଣ ବିଭାଗ ଓ ଜଙ୍ଗଲ ବିଭାଗ ଅଧିକାରୀ ମାନେ କରୁଛନ୍ତି କଣ ? । ଏଥି ପ୍ରତି ପ୍ରଶାସନିକ ଅଧିକାରୀ ମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖଣି ମାଫିଆ ମାନଙ୍କୁ କାବୁ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୯/୫/୨୦୨୪----୧୧,୩୫ Sakhigopal News,19/5/2024