Breaking News

ବିଶ୍ୱରଞ୍ଜନଙ୍କ ପାଇଁ ମଇଦାନକୁ ଆସିଲେ ସୁଦୀପ୍ତ



ଜଟଣୀ,

ଜଟଣୀ ବିଧାନସଭା ନିର୍ବାଚନ ପାଇଁ ଗତକାଲି ସରିଛି ନାମାଙ୍କନ ପତ୍ର ଦାଖଲ । ଜଟଣୀ ଆସନ ଲାଗି ୩ ପ୍ରମୁଖ ଦଳ ବିଜେଡିରୁ ବିଭୂତି ଭୁଷଣ ବଳବନ୍ତରାୟ, ବିଜେପିରୁ ବିଶ୍ୱରଞ୍ଜନ ବଡ଼ଜେନା, କଂଗ୍ରେସରୁ ସନ୍ତୋଷ ଜେନା ଓ ଜଣେ ମହିଳାଙ୍କ ସମେତ ୧୧ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବରିଷ୍ଠ ବିଜେପି ନେତା ତଥା ଜଟଣୀ ନିର୍ବାଚନମଣ୍ଡଳୀରୁ ଦୁଇ ଦୁଇ ପ୍ରାର୍ଥୀ ହୋଇଥିବା ସୁଦୀପ୍ତ ରାୟଙ୍କୁ ବିଶ୍ୱରଞ୍ଜନଙ୍କ ନାମାଙ୍କନ ଦାଖଲ ସମୟରେ ଦେଖିବାକୁ ମିଳିଥିଲା । ସୁଦୀପ୍ତ ଚଳିତ ନିର୍ବାଚନରେ ଦଳ ପାଇଁ ତଥା ବିଶ୍ୱରଞ୍ଜନଙ୍କୁ ସମର୍ଥନ  କରି ମଇଦାନକୁ ଓହ୍ଲାଇଛନ୍ତି ।
     ୨୦୦୯ ଓ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସୁଦୀପ୍ତ ରାୟଙ୍କୁ ଜଟଣୀରୁ ପ୍ରାର୍ଥୀ କରିଥିଲା । ହେଲେ ୨୦୧୯ ନିର୍ବାଚନରେ ଦଳ ଜଟଣୀରେ ପ୍ରାର୍ଥୀ ବଦଳାଇଥିଲା । ପୁରୁଖା ନେତା ସୁଦୀପ୍ତ ରାୟ ଓ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ବିଜେପି ନେତା ସନ୍ତୋଷ ଜେନାଙ୍କ ପରିବର୍ତ୍ତେ ଦଳ ନବାଗତା ବିଶ୍ୱରଞ୍ଜନଙ୍କୁ ଭରସା କରିଥିଲା । ଏଥିସହିତ ସୁଦୀପ୍ତଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ଦେଇଥିବାବେଳେ ସନ୍ତୋଷ ଜେନା ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ । ୨୦୧୯ ମସିହା ନିର୍ବାଚନରେ ଫଳରେ ସୁଦୀପ୍ତଙ୍କୁ ପ୍ରାର୍ଥୀପତ୍ର ଦାଖଲ ଠାରୁ ଆରମ୍ଭ କରି କୈାଣସି ସଭାସମିତିରେ ମଧ୍ୟ ଦେଖିବାକୁ ମିଳିନଥିଲା । ବିଶ୍ୱରଞ୍ଜନ ନିର୍ବାଚନ ଲଢ଼ି ମାତ୍ର ୨୬୨୫୬ ଭୋଟ ପାଇଥିଲେ । ଗତ ନିର୍ବାଚନରେ ସୁଦୀପ୍ତଙ୍କ ଅନୁପସ୍ଥିତି ବିଜେପିର ଭୋଟ ହାର ଉପରେ ପ୍ରଭାବ ପକାଇଥିଲା । ଚଳିତ ନିର୍ବାଚନରେ ଦଳ ପୁଣି ଥରେ ବିଶ୍ୱରଞ୍ଜନଙ୍କୁ ଭରସା କରିଛି । ଆଉ ବିଶ୍ୱରଞ୍ଜନଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ସୁଦୀପ୍ତଙ୍କ ଉପସ୍ଥିତ ଦଳୀୟ କର୍ମୀଙ୍କ ଉତ୍ସାହିତ କରିବା ସହିତ ମନୋବଳକୁ ଦୃଢ଼ କରିଛି । ଜଟଣୀ ବିଜେପିର ଦୁଇ ନେତା ଏକାଠି ହେବା ଦଳରେ କୈାଣସି ଅନ୍ତଃକନ୍ଦଳ ନଥିବା କଥାକୁ ସ୍ପଷ୍ଟ କରିଛି । ସୁଦୀପ୍ତଙ୍କ ଉପସ୍ଥିତି ଦଳକୁ ନିର୍ବାଚନ ବୈତରଣୀ ପାର କରିବାରେ ସହାୟକ ହେବ ବୋଲି କର୍ମୀମାନେ ଆଶା ବାନ୍ଧିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୫/୨୦୨୪---୭,୪୫ Sakhigopal News,7/5/2024

Popular Posts