ରାସ୍ତା ସରକାରଙ୍କର ; ଦଖଲ ଆମର,ଟ୍ରାଫିକ ସମସ୍ଯା ଲୋକଙ୍କର
ଜଟଣୀ : ଜଟଣୀ ପୌରାଞ୍ଚଳରେ ଦିନକୁଦିନ ଗଳିକନ୍ଦିରେ ବେଆଇନ୍ ନିର୍ମାଣ ଓ ରାସ୍ତା ଅବରୋଧ ବଡ଼ି ଚାଲିଛି । ବେପାର ବଣିଜ ବଢ଼ି ଚାଲିଥିଲେ ମଧ୍ୟ ସେ ବାବଦରେ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ସେହିପରି ଆଉ କିଛି ଅଭିଯୋଗକୁ ଭିତ୍ତି କଲେ ଦେଖାଯାଇଛି ପୌରାଞ୍ଚଳରେ ବହୁ ନାଳନର୍ଦ୍ଦମା ଉପରେ ବେଆଇନ୍ ଭାବେ ଢଳେଇ ସ୍ଲାପ୍ ପକାଯାଇ ତା ଉପରେ ଦୋକାନ ସମ୍ମୁଖ ଭାଗକୁ ବଢାଯାଇ ଜବର୍ ଦଖଲ କରିଦିଆଯାଇଛି l ବିଶେଷକରି ସହରର ରାସ୍ତା ଓ ଡ୍ରେନ୍ ଜବର୍ ଦଖଲ ଭାବେ ରାଜା ବଜାର ଅଞ୍ଚଳ ଏକ ପ୍ରମୁଖ ଅଞ୍ଚଳ ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି l ଏଭଳି ଅବରୋଧ ଯୋଗୁଁ ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେବା ସହିତ ରାସ୍ତାର ପ୍ରଶସ୍ତୀକରଣ କମିଯିବାରୁ ପାର୍କିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି l ପ୍ରତି ଦୋକାନ ବଜାର ଆଗରେ ଏକାଧିକ ସଂଖ୍ଯକ ଗାଡ଼ି ମୋଟର ଛିଡା ହେବା ଯୋଗୁଁ ସାଧାରଣ ପଥଚାରୀ ମଧ୍ଯ ହଇରାଣ ହରକତ ହେଉଛନ୍ତି l ଅନ୍ୟପକ୍ଷରେ ବ୍ୟବସାୟୀ ମାନେ ନଳା ଉପରେ ସ୍ଲାପ୍ ପକାଇ ଦୋକାନ ବଢ଼ାଉଥିବା ହେତୁ ନର୍ଦ୍ଦମା ମଧ୍ୟକୁ ସ୍ଵଚକ୍ଷୁରେ ଦେଖା ନଯିବା ଫଳରେ ସଫେଇରେ ବାଧାବିଘ୍ନ ସାଜୁଥିବା ଅନେକ୍ କହିଛନ୍ତି l ସେହିପରି ସୀତାରାମ ଛକ ଅଞ୍ଚଳ ଓ ୟୁନିଅନ ବ୍ୟାଙ୍କ ସମ୍ମୁଖ ଓ ସନ୍ନିକଟରେ ହାତଗୁଞ୍ଜା ଦେଇ ବହୁ ଅଣଓଡ଼ିଆ ବ୍ୟବସାୟୀ ସେମାନଙ୍କ ଆଧିପତ୍ୟ ବିସ୍ତାର କରିଚାଲିଥିବା ଦେଖିବାକୁ ମିଳିଛି l ବାବା ସୋମନାଥ ରାବିଡି ଲସି ଏବଂ ପଶ୍ଚିମା ଶମ୍ଭୁ ସ୍ପେଶାଲ ଲସି କାଉଣ୍ଟରରେ ସକାଳ ସମୟରେ ପ୍ରବଳ ଗହଳି ହୋଇ ରାସ୍ତା ଉପରେ ଗାଡ଼ି ମଟର ରଖିବା ଫଳରେ ଜନସାଧାରଣ ଯିବା ଆସିବାରେ ଅନେକ ସମସ୍ୟା ଦେଖାଦେଉଛି l ଏହି ପରିସ୍ଥିତି ମଧ୍ୟରେ ଖୋଦ୍ ଥାନା ସମ୍ମୁଖରେ ରାସ୍ତା କଡ଼ରେ ଖୋଲିଥିବା ଟିଫିନ୍ ହାଉସ୍ ନାମକ ଏକ ଜଳଖିଆ ଦୋକାନ ସମ୍ମୁଖରେ ଗରାଖ ମାନେ ବେଆଇନ୍ ଭାବେ ଶତାଧିକ ମୋଟର ବାଇକ ପାର୍କିଂ କରିବା ଫଳରେ ଉକ୍ତ ସ୍ଥାନରେ ଗାଡିଟିଏ ବୁଲି ପାରୁନାହିଁ ଏବଂ ଟ୍ରାଫିକ ସମସ୍ଯା ପରିଲକ୍ଷିତ ହେଉଛି l ସନ୍ଧ୍ୟା ସମୟର ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇ ପଡୁଛି ଦୋକାନ ସମ୍ମୁଖରେ ମନଇଛା ଗାଡ଼ି ମୋଟର ମାନ ପାର୍କିଂ କରାଯିବା ଫଳରେ ମନୁଷ୍ଯକୃତ ଭାବେ ରାସ୍ତା ସଙ୍କୁଚିତ ହୋଇ ଦୁର୍ଘଟଣାର ମୁଖ୍ୟ ମାଧ୍ୟମ ସାଜିଛି l ପୂର୍ବରୁ କିଛି ଅବରୋଧକାରୀଙ୍କୁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ସ୍ଥାନୀୟ ଅଧିକାରୀଙ୍କ ପ୍ରଶାସନିକ ଶକ୍ତିକୁ ବେଖାତିର କରି ଯେଉଁଭଳି ଭାବେ ରାସ୍ତାକଡ଼ ଓ ଡ୍ରେନ୍ ଅବରୋଧ ହୋଇଚାଲିଛି ତାକୁ ନେଇ ନିକଟରେ ଜନସ୍ଵାର୍ଥ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି l ଅପରପକ୍ଷେ ଏହି ସମସ୍ୟା ପ୍ରତି ଖୋର୍ଦ୍ଧା ଜିଲ୍ଲାପାଳ,ପୌର ନିର୍ବାହୀ ଅଧିକାରୀ, ନଗରପାଳ ଓ ଥାନାଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୫/୨୦୨୪----୮,୧୦ Sakhigopal News,23/5/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୫/୨୦୨୪----୮,୧୦ Sakhigopal News,23/5/2024