କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଉଦଯାପିତ
କୋଣାର୍କ----ସୌର ମହାଯଜ୍ଞ ପରିଚାଳନା ସମିତି ଆନୁକୂଲ୍ୟରେ ରାଜାରାମ ଆଶ୍ରମ ପରିସରରେ ତ୍ରିଦିବସୀୟ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ୩ତାରିଖ ଠାରୁ ଆରମ୍ଭ ହୋଇ ପବିତ୍ର ଶାମ୍ବଦଶମୀ ତଥା ୫ତାରିଖ ସୂର୍ଯ୍ୟାସ୍ତ ସମୟରେ ପୂର୍ଣ୍ଣାହୁତି ହୋଇଯାଇଛି । ସ୍ଥାନୀୟ ପଣ୍ଡିତମାନଙ୍କ ଦ୍ୱାରା ତ୍ରିଦିବସୀୟ ସୌର ମହାଯଜ୍ଞ କାର୍ଯ୍ୟ ସୁଚାରୂରୁପେ ସମ୍ପାଦନ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ପ୍ରଭୁକୃପା ଲାଭ କରିଥିଲେ । ଶାମ୍ବ ଦଶମୀ ଅବସରରେ ଚନ୍ଦ୍ରଭାଗାର ତୀର୍ଥ ପୂଷ୍କରିଣୀ ଓ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ତୀର୍ଥ ସ୍ନାନ କରି ପରିବାରରେ ସୁଖ ଶାନ୍ତି ବଜାୟୀ ରଖିବା ପାଇଁ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିଥିବା ବେଳେ ଘରେ ଘରେ ମଧ୍ୟ ପୂଜାର୍ଚନା କରାଯାଇଥିଲା । ଶାମ୍ବଦଶମୀ ଅବସରରେ ଶତାଧିକ ଶ୍ରଦ୍ଧାଳୁମାନେ ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ବାହାରି ଭଜନ, କୀର୍ତ୍ତନ ଓ ମନ୍ତ୍ରପାଠ ସହ ଚନ୍ଦ୍ରଭାଗା ତୀର୍ଥ, ସୂର୍ଯ୍ୟମନ୍ଦିର ଓ ନବଗ୍ରହ ମନ୍ଦିର ପରିକ୍ରମା କରିଥିଲେ । କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସୂର୍ଯ୍ୟମନ୍ଦିର ଭିତରେ ସୂର୍ଯ୍ୟନାରାୟଣଙ୍କୁ ପୂଜାର୍ଚ୍ଚନା କରିଥିଲେ । କୋଣାର୍କରେ ଧର୍ମିୟ ଐତିହ୍ୟର ପୁନର୍ଜାଗରଣ ପାଇଁ ସମବେତ ଶ୍ରଦ୍ଧାଳୁମାନେ ସମୁହ ସଙ୍କଳ୍ପ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ନିରଞ୍ଜନ ରାଉତରାୟ ଓ ଆଶାଲତା ରାଉତରାୟ ପୂଜା ନିତୀକୁ ସମ୍ପାଦନ କରିଥିବା ବେଳେ ସୌର ମହାଯଜ୍ଞ ପରିଚାଳନା ସମିତିର ସମ୍ପାଦକ ଭାଗିରଥୀ ସ୍ୱାଇଁ, ସମାଜସେବୀ ରାମକୃଷ୍ଣ ମହାନ୍ତି ଦିବାକର ନାୟକ, ରମେଶ ନାୟକ, ରଘୁନାଥ ମହାପାତ୍ର, ନିରଞ୍ଜନ ତ୍ରିପାଠୀ ଓ ପ୍ରିୟବ୍ରତ ଶତପଥିଙ୍କ ସମେତ କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ ଥିବାରୁ ମନ୍ଦିର ପରିସରରେ ଦିନତମାମ ପର୍ଯ୍ୟଟକ ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହୋଇଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ
![]() |
Konark |