କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ
କୋଣାର୍କ ---- ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଅନନ୍ତ ଅବଧୂତ ମଠ, ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ, ଅର୍କକ୍ଷେତ୍ର ଗାୟତ୍ରୀ ପରିବାର ପକ୍ଷରୁ ପୂରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା କୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ସାଧନା ପୀଠ କୋଣାର୍କର ସର୍ବପୁରାତନ ଅବଧୂତ ମଠ ପରିଶରରୁ ଏହି ସୂର୍ଯ୍ୟ ରଥଯାତ୍ରା ବାହାରି ଚନ୍ଦ୍ରଭାଗାସ୍ଥିତ ଛୋଟାରାମ ବାବା ଆଶ୍ରମରେ ପହଞ୍ଚିଛି । ରବିବାର ଶାମ୍ବଦଶମୀ ପ୍ରତ୍ୟୁଷରୁ ପାରମ୍ପରିକ ରୀତିନୀତିରେ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କୁ ରଥାରୂଢ କରାଯିବାପରେ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଅର୍କବଟ ପୂଜା, ସପ୍ତାଶ୍ୱଙ୍କ ସହିତ ରଥର ପାଶ୍ୱର୍ ଦେବାଦେବୀଙ୍କୁ ୧୦୮ଟି ବରା ଅର୍ପଣ କରାଯାଇ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଅନନ୍ତ ଅବଧୂତ ମଠର ମହନ୍ତ ଆଦିତ୍ୟ ଚରଣ ଦାସ ଛେରାପହଁରା କରିଥିଲେ । ସକାଳ ୧୧ଟାରେ ସୂର୍ଯ୍ୟମନ୍ଦିରର ଦକ୍ଷିଣ ପାଶ୍ୱର୍ ବେଢା ସଂଲଗ୍ନ ଅନନ୍ତ ଅବଧୂତ ମଠ ପରିସରରୁ ସୂର୍ଯ୍ୟରଥକୁ ଶତାଧିକ ଶ୍ରଦ୍ଧାଳୁ ଟାଣିନେଇ ମଧ୍ୟାହ୍ନ ୧୨ଟାରେ ଚନ୍ଦ୍ରଭାଗା ସ୍ଥିତ ଛୋଟାରାମ ବାବାଙ୍କ ଆଶ୍ରମରେ ପହଞ୍ଚିଥିଲା । ଏଠାରେ ମିତ୍ରାଦିତ୍ୟଙ୍କୁ ଚନ୍ଦ୍ରଭାଗାର ମହୋଦଧି ଓ ତୀର୍ଥଜଳରେ ସ୍ନାନ କରାଇବା ପରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ଚନ୍ଦ୍ରଭାଗା ତୀର୍ଥ ନିକଟସ୍ଥ ଛୋଟାରାମ ବାବାଙ୍କ ମଠ ପରିସରରେ ୨୭ଦିନ ଧରି ୨୭ଟି ନକ୍ଷତ୍ରରେ ମିତ୍ରାଦିତ୍ୟଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଶାମ୍ବଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ବୋଲି କପିଳସଂହିତାରେ ଉଲ୍ଲେଖ ଅଛି । ଭାଗବତରେ ବର୍ଣ୍ଣନାନୁଯାୟୀ ମୈତ୍ରେୟ ମୁନିି ଭଗବାନ କୃଷ୍ଣଙ୍କର ଜଣେ ଶୁଭ ଚିନ୍ତକ ଥିବାରୁ କୃଷ୍ଣ ନିଜର ପୁ୍ତ୍ର ଶାମ୍ବଙ୍କୁ କୁଷ୍ଠରୋଗରୁ ମୁକ୍ତି ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ । ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରିବା ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ । ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ମନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁ ଥିଲେ । ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ । ସମୟାନୁକ୍ରମେ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ଏହି ପରମ୍ପରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିବାରୁ ପୂଜାର୍ଚ୍ଚନା ବନ୍ଦହେବା ସହିତ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବା ମାଦଳା ପାଞ୍ଜିରୁ ସୂଚନା ମିଳେ । ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଅବଧୂତ ଆର୍ତ୍ତତ୍ରାଣ ଦାସ, ଅର୍କକ୍ଷେତ୍ରର ବିଶିଷ୍ଟ ଗବେଷକ ଡ଼ଃ ଉପେନ୍ଦ୍ରନାଥ ଭୋଳ, ଅର୍କଶ୍ରୀ ସମ୍ପାଦକ ଉମେଶ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ୧୯୯୮ ମସିହାରେ ଏହି ରଥଯାତ୍ରାର ପୁନଃ ପ୍ରଚଳନ ହୋଇଥିଲା । ଚଳିତ ବର୍ଷ ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ଅନନ୍ତ ଅବଧୂତ ମଠରେ ପୂଜା ପାଉଥିବା ସୂର୍ଯ୍ୟନାରାୟଣଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିବା ବେଳେ ସୂର୍ଯ୍ୟଙ୍କ ରଥଯାତ୍ରା ପାଇଁ ନୂଆ କାଠରେ ରଥ ନିର୍ମାଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦର ସଭାପତି ପଣ୍ଡିତ ରଘୁନାଥ ଦାଶ, ଉପସଭାପତି ପଣ୍ଡିତ ଅନନ୍ତ ଚରଣ ନାୟକ, ସାଧାରଣ ସମ୍ପାଦକ ପଣ୍ଡିତ ନିମାଇଁ ଚରଣ ଦାଶ, ଅବଧୂତ ମଠର ମହନ୍ତ ଆଦିତ୍ୟଚରଣ ଦାସ ପରିଚାଳନା କରିଥଥିବା ବେଳେ ସହ ସମ୍ପାଦକ ପଣ୍ଡିତ ଅଚ୍ୟୁତାନ୍ଦ, କୋଷାଧ୍ୟକ୍ଷ ପଣ୍ଡିତ ମହେଶ୍ୱର ପାତ୍ର, ସଂଯୋଜକ ପଣ୍ଡିତ ପ୍ରମୋଦ କୁମାର ଆଚାର୍ଯ୍ୟ, କର୍ମକତ୍ତା ପଣ୍ଡିତ ତ୍ରିନାଥ ଆଚାର୍ଯ୍ୟ ଓ ପଣ୍ଡିତ ମହେନ୍ଦ୍ର କୁମାର ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ
![]() |
Konark |