ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର; ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ
ପରମ୍ପରାନୁଯାୟୀ ଷଷ୍ଠୀରାତିରେ ଚନ୍ଦ୍ରଭାଗା ମେଳାପଡ଼ିଆରେ ସମବେତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଖୋଲା ଆକାଶ ତଳେ ରାତିବିତାଇବା ସହ ମାଟିହାଣ୍ଡିରେ ଭାତଡ଼ାଲମା ପ୍ରସ୍ତୁତ କରି ଖାଇବେ । ଏହି ରନ୍ଧାକାର୍ଯ୍ୟରେ ବ୍ୟବହୃତ ହାଣ୍ଡିଗୁଡ଼ିକୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ହାଣ୍ଡିଭଙ୍ଗା ପୁଷ୍କରଣୀରେ କଚାଡ଼ି ଭାଙ୍ଗିଥାନ୍ତି । ଏହି ମେଳାରେ ଭାରତର କୋଣ ଅନୁକୋଣରୁ ସାମିଲ ହେଉଥିବା ଶ୍ରଦ୍ଧାଳୁଙ୍କ ସମେତ ପର୍ଯ୍ୟଟକମାନଙ୍କ ନିମନ୍ତେ ରାତ୍ରୀ ରହଣୀ, ପାନୀୟ ଜଳ, ପରିମଳ, ଆଲୋକ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ସୁରକ୍ଷା ଓ ମେଳାପଡ଼ିଆରେ ରାତିତମାମ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ୩୦ ପ୍ଳାଟୁନ ପୋଲିସ ଫୋର୍ସ, ୪ଜଣ ଅତିରିକ୍ତ ଏସପି, ୧୨ ଜଣ ଡ଼ିଏସପି, ୨୪ଜଣ ଇନସ୍ପେକ୍ଟର, ୧୧୨ଜଣ ଏସଆଇ ଓ ଏଏସଆଇ, ୧୩୧ଜଣ କନେଷ୍ଟବଳ, ୩୩ଜଣ ହାବିଲଦାର, ୧୮ଜଣ ଟ୍ରାଫିକ ପୁଲିସ ଓ ୩୦୦ଜଣ ଗୃହରକ୍ଷୀ ସାଧା ପୋଷାକ ଧାରୀ ପୁଲିସ, ସନ୍ଧାନୀ କୁକୁର ଓ ବୋମାନିଷ୍କ୍ରିୟକାରୀ ଦଳ ଓ ଓଡ୍ରାଫ ଟିମ୍ଙ୍କୁ ନିୟୋଜିତ ହେବେ ବୋଲି ପୁରୀ ଏସପି ଡ ଉମାଶଙ୍କର ଦାଶଙ୍କ ଠାରୁ ସୂଚନା ମିଳିଛି । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମେଳାପଡିଆର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬୦ରୁ ଅଧିକ ଅସ୍ଥାୟୀ ନଳକୂପ, ୧୨୦ଟି ପାଇପ ପଏଣ୍ଟ ଓ ୪ଟି ପାଣିଟ୍ୟାଙ୍କର ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଓ ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୩୦୦ସ୍ୱେଚ୍ଛାସେବୀ ମେଳାପଡ଼ିଆରେ ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ବୋଲି ସମାଜସେବୀ ରାମକୃଷ୍ଣ ମହାନ୍ତି ଜଣାଇଛନ୍ତି । ମାଘସପ୍ତମୀ ଅବସରରେ ଷଷ୍ଠୀ ଓ ସପ୍ତମୀ ଦୁଇଦିନ ପାଇଁ ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ ରହିଛି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ, ଗୋପ, ଅସ୍ତରଙ୍ଗ, କାକଟପୁର, ନିମାପଡା ତହସିଳଦାର ଓ ବିଡିଓ ଏବଂ ମେଳା ସହ ଜଡିତ ସମସ୍ତ ବିଭାଗିୟ ଅଧିକାରୀ ମେଳାପଡ଼ିଆରେ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରିବା ସହ ତ୍ୱରାନିତ କରୁଛନ୍ତି ।