ସାକ୍ଷୀଗୋପାଳ---- ପୌଷମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶାମ୍ବର ଦଶମୀ ଓ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଯାଇଛି । ପୁରାଣଶାସ୍ତ୍ରରେ ଲିଖିତ ଅଛି ଯେ କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ପାଇ କୁଷ୍ଠ ରୋଗରେ ରୋଗାକ୍ରାନ୍ତ ହୋଇ ଚନ୍ଦ୍ରଭାଗା ନଦୀକୂଳରେ ସୂର୍ଯ୍ୟଦେବତାଙ୍କୁ ତପସ୍ୟା କରିଥିଲେ । ପୌଷମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ସୂର୍ଯ୍ୟନାରାୟଣ ନିଜେ ଆଭିର୍ଭାବ ହୋଇ ଶାମ୍ବଙ୍କୁ ଅଭିଶାପରୁ ମୁକ୍ତ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ସେହି ପ୍ରଥାକୁ ଅନୁସରଣ କରି ପ୍ରତି ପରିବାରରେ ମା ମାନେ ନିଜ ସନ୍ତାନ ମାନଙ୍କୁ ସୁସ୍ଥ ନିରାମୟ ରଖିବା ପାଇଁ ଧର୍ମ ଦେବତା ସୂର୍ଯ୍ୟଙ୍କ ନିକଟରେ ମାନସିକ କରିଥାନ୍ତି । ଏହି ଅବସରରେ ସୂର୍ଯ୍ୟ ଦେବତାଙ୍କୁ ରୋଗୁର ମୁକ୍ତ ହେବା ପାଇଁ ନିଦ୍ଧିଷ୍ଟ ଧରଣର ଖାଦ୍ୟ ପଦାର୍ଥ ମାନସିକ କରାଯାଇଥାଏ । ମହିଳା ମାନେ ନିଷ୍ଠାପର ଭାବେ ସୂର୍ଯ୍ୟାଦୟରେ ନାନାଦି ପିଠାପଣା ସହିତ କ୍ଷୀରି, ଖେଚୁଡି,ଶାଗ, ମସଲା ତରକାରୀ, ରସାବଳୀ, ଛେନା, କଦଳୀ ,ମକର ଚାଉଳ, ପଇଡ ଆଦି ମାନସିକ ଭୋଗ ଚଉରା ମୂଳରେ ସୂର୍ଯ୍ୟନାରାୟଣଙ୍କ ଫଟୋ ଥୋଇ ପୂଜା କରାଯାଇଥାଏ । ଘରେ ଘରେ ଏହି ପର୍ବ ପାଳନ କରାଯାଇଛି । ଏହି ପରମ୍ପରା ଏବେ ମଧ୍ୟ ପ୍ରଚଳିତ ରହିଛି । ସେହିପରି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା ପାଠ କରାଯାଇଥିବା ବେଳେ ରାତିରେ ଶାମ୍ବସୁରକୁ ପୂଜା କରାଯାଇଥାଏ । କେତକଙ୍କ ପରିବାରେ ରାତିରେ କର୍ପୁର, କଦଳୀ, ନଡିଆ, ଗୁଡ, ଅଦା, ମହୁ ଆଦି ପକାଯାଇ ମୋଟା ଚକୁଳି ପିଠା ସାଙ୍ଗକୁ ଆମିଷ ତରକାରୀ ପାଣିଛଡାଯାଇଥିବାର ଦେଖାଯାଇଥିଲା ।
 |
Sakhigopal |
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି