ବାଲିଘର ବାର୍ଷିକୋତ୍ସବ ଫେବୃଆରୀ ୯ରେ
କୁଜଙ୍ଗ---- ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦା ଗ୍ରାମରେ ୩୦ବର୍ଷ ଧରି ଗଢି ଉଠିଥିବା ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନର ୩୦ତମ ବାର୍ଷିକୋତ୍ସବ ଓ ସାରସ୍ୱତ ମହାମିଳନ ଆସନ୍ତା ଫେବୃଆରୀ ୯ତାରିଖରେ ଅନୁଷ୍ଠିତ ହେବ । ଅନୁଷ୍ଠାନର ସ୍ଥାୟୀ ସଭାପତି ଅଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପସଭାପତି ବିପ୍ଲବ ଚୌଧୁରୀ, ଉପଦେଷ୍ଟା ହେମନ୍ତ କୁମାର ନାୟକ, ସହ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସ୍ୱାଇଁ ଓ ଇଂ ଆଶୁତୋଷ ଧଳ, ସମ୍ପାଦକ କୈ÷ଳାସ ଚନ୍ଦ୍ର ସ୍ୱାଇଁ, ଆଇନ ପରାମର୍ଶଦାତା ଆଡଭୋକେଟ ବୀରନାରାୟଣ ପାତ୍ରଙ୍କ ସମେତ ଅନୁଷ୍ଠାନର ବହୁ ସଭ୍ୟ ଯୋଗଦେଇ ବାର୍ଷିକୋତ୍ସବ ସମ୍ପର୍କରେ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ଉତ୍ସବରେ ଏକ ରାଜ୍ୟସ୍ତରୀୟ କବି ସମ୍ମିଳନୀ, ଆଲୋଚନା ଚକ୍ର, ବାଲିଘର ବାର୍ଷିକ ସଂଖ୍ୟା ଉନ୍ମୋଚନ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ବାଲିଘର ସମ୍ମାନ -୨୦୨୦ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ନେଇ ସ୍ଥିର ହୋଇଛି । ଏଥିରେ ବାଲିଘର ସାହିତ୍ୟ ସମ୍ମାନ, ବାଲିଘର କବିତା ସମ୍ମାନ, ବାଲିଘର ଗଳ୍ପ ସମ୍ମାନ, ବାଲିଘର ଶିଶୁ ସାହିତ୍ୟ ସମ୍ମାନ, ବାଲିଘର ପ୍ରବନ୍ଧ ସମ୍ମାନ ଓ ବାଲିଘର ସମାଜସେବା ସମ୍ମାନ ଦିଆଯିବା ଉଦେଶ୍ୟରେ ସମସ୍ତଙ୍କ ଜୀବନୀ ଓ ସ୍ୱଲିଖିତ ପୁସ୍ତକ ସଂଗ୍ରହ କରାଯାଇଛି ଓ ଚୟନ କରାଯିବା ପରେ ସେହି ନାମ ଘୋଷଣା କରାଯିବ ବୋଲି ସମ୍ପାଦକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି ଉତ୍ସବରେ ସ୍ଥାନୀୟ ମନ୍ତ୍ରୀ, ବିଧାୟକ, ସାଂସଦ, ଜିଲାପାଳ, ଉପଜିଲାପାଳ ଓ ପ୍ରତିଷ୍ଠିତ କବି ସାହିତ୍ୟକ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯିବା ନେଇ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ଏହି ସାରସ୍ୱତ ମହାମିଳନ ଉତ୍ସବରେ ସମସ୍ତ କବି ଲେଖକ ସାହିତ୍ୟ ଅନୁରାଗୀ ବନ୍ଧୁ ମାନଙ୍କୁ ଯୋଗଦେବାକୁ ବାଲିଘର ତରଫରୁ ଅନୁରୋଧ କରାଯାଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର