 |
konark News |
କୋଣାର୍କ ----- ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଏକ ମାସ ଧରି ଆୟୋଜିତ ହେବାକୁ ଥିବା ମେଗା ଉତ୍ସବ ନିମନ୍ତେ ପ୍ରାଥମିକ ପ୍ରସ୍ତୁତି ଆରମ୍ବ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ସ୍ଥିତ ରାମଚଣ୍ଡୀ ମୁହାଣ ନିକଟରେ କୋଣାର୍କ ଉତ୍ସବ ପରେ ପରେ ଆରମ୍ବ ହେବ ଏହି ଉତ୍ସବ । ଏହି ଉତ୍ସବକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ଶନିବାର ପୂର୍ବାହ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ପ୍ରଶାନ୍ତ କୁମ଼ାର ପାତ୍ର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଓଡିଶା ପର୍ଯ୍ୟଟନ ବିଭାଗ ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟ ସଦସ୍ୟ, ସେସୁ, ପିଏଚଇଓ, ରାଜସ୍ୱ ବିଭାଗର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ପ୍ରମୁଖ ବେଳାଭୂମୀ ଅଞ୍ଚଳ ବୁଲି ଦେଖିଥିଲେ । ରାମଚଣ୍ଡୀ ନିକଟ ପ୍ରାୟ ୨୫ ଏକର ଜମିରେ ଏହି ଉତ୍ସବ ଅନୁଷ୍ଟିତ ହେବ । ଖୁବଶୀଘ୍ର ଏଠାରେ ରାସ୍ତା, ବିଦ୍ୟୁତ, ପାନୀୟ ଜଳର ସମସ୍ତ ବ୍ୟବସ୍ତା କରାଯିବା ପରେ ଟେଣ୍ଟ କାର୍ଯ୍ୟ ଆରମ୍ବ ହେବ । ସମୁଦ୍ର କୂଳରୁ ୩୦ ମିଟର ବାଦ ଦେଇ ବେଳାଭୂମୀରେ ୨୫ ଏକର ଜମିରେ ୪୦ ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ କରାଯିବ । ଏହି ସମୟାବଧି ମଧ୍ୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି କାର୍ଯ୍ୟକ୍ରମ ଆୟେଜନ କରାଯିବ । ଟେଣ୍ଟରେ ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ଏତଦବ୍ୟତୀତ ଯୋଗ, ଜଳକ୍ରୀଡା, ସର୍ଫିଙ୍ଗ ଫେଷ୍ଟିଭାଲ, ପାରାସେଲିଙ୍ଗ ସହିତ ମନୋରଞ୍ଜନ ନିମନ୍ତେ ଚଳଚିତ୍ର ଉତ୍ସବ, ଓଡିଶୀ, ରକ ମ୍ୟୁଜିକ ଆଦି ସଂଙ୍ଗୀତ ଭିତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଟେଣ୍ଟ ଭିଲେଜ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଫୁଡକୋର୍ଟ, ସି ଫୁଡ, ଦେଶୀ ଖାଦ୍ୟ ଆଦି ଉପଲବ୍ଧ ହେବ । ସୂଚନା ଥାଉକି ଗତ ମାସ ସେପ୍ଟେମ୍ବର ୨୮ତାରିଖରେ ପର୍ଯ୍ୟଟନ ସଚିବ ବିଶାଲ ଦେବ, କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସମେତ ଏହି ଉତ୍ସବ ସହ ଜଡିତ ବିଭିନ୍ନ ବିଭାଗର ଅଧିକାରୀମାନେ ହେଲିପ୍ୟାଡ, ଚନ୍ଦ୍ରଭାଗା, ରାମଚଣ୍ଡୀ ମୁହାଣ ଓ ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ବେଳାମାର୍ଗର ଉଭୟ ପାର୍ଶରେ ଥିବା ସ୍ଥାନକୁ ବୁଲି ଦେଖିଥିଲେ । ଶେଷରେ ଏଠାରେ କରାଯିବା ପାଇଁ ଶେଷ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି ।
କୋଣାର୍କରୁ ଅଜିତ କୁମାର ମଲିକ