 |
Sakhigopal |
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ପାଟଣା ମୌଜରା ମଠସାହିରେ ଥିବା ଚୈତନ୍ୟ ଦେବ ମଠର ସମ୍ପତି ଉପରେ ଥିବା ଏକ ପକ୍କାଘର ଉଚ୍ଛେଦ ପ୍ରକିୟା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ ଯେ, ମଠ ଟ୍ରଷ୍ଟ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ କରାଯାଇଥିବା କେସ୍ ଅନୁଯାୟୀ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ବୁଧବାର ସତ୍ୟବାଦୀ ପ୍ରଶାସନ ତରଫରୁ ଉଚ୍ଛେଦ ଆରମ୍ଭ ହୋଇଛି । ତହସିଲ ଖାତା ନଂ ୭୧୧/୧୩୦, ପ୍ଲଟ୍ ନଂ ୬୫୬ରେ ଥିବା ୮ ଡିସିମିଲି ଜମି ମଧ୍ୟରୁ ହାରାହାରି ୩୦୦ ଫୁଟ୍ ଜମି ଗଦାଧର ବେହେରା ଜଣେ ବ୍ୟକ୍ତି ଦଖଲ କରିଥିଲେ । ଶ୍ରୀ ବେହେରାଙ୍କୁ ଉକ୍ତ ଜମିରୁ ହଟିଯିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା । ମାତ୍ର ଆଜି ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଆଇଆଇସି ଶକୁନ୍ତଳା ପତି, ଅତିରିକ୍ତ ତହସିଲଦାର ଉଲ୍ଲାସ କୁମାର ସେଠୀ, ଥାନା ସେକେଣ୍ଡ ଅଫିସର ରବୀନ୍ଦ୍ର କୁମାର ନନ୍ଦ, ଅଗ୍ନିଶମ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ସହ ଏକ ପ୍ଳାଟୁନ୍ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ବେଳେ ଶ୍ରୀ ବେହେରାଙ୍କ ପରିବାର ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନେ କହିଥିଲେ ଯେ ଘର ଭାଙ୍ଗ ନାହିଁ ଆମେ ଉକ୍ତ ଘରକୁ ଠାକୁରଙ୍କ ନାମରେ କରି ଦେଉଛୁ । ମାତ୍ର ତହସିଲଦାର ଶ୍ରୀ ପ୍ରଧାନ କହିଥିଲେ ଆମ ହାତରେ କିଛି ନାହିଁ । କୋର୍ଟ ନିର୍ଦ୍ଦେଶ ଆମେ କେବଳ କାର୍ଯ୍ୟକାରୀ କରିବୁ ବୋଲି କହିଥିଲେ । ଜେସିବି ମେସିନ୍ ନେବା ସମୟରେ ପରିବାରର ସମସ୍ତ ମହିଳା ପୁରୁଷ ସଦସ୍ୟ ମାନେ ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିବା ସହ ଜେସିବି ଆଗରେ ବସିଥିଲେ । ମାତ୍ର ସେହି ପ୍ଳଟ୍ ଉପରକୁ ଜେସିବି ମେସିନ ଯିବାର ବାଟ ନଥିବାରୁ ପ୍ରଶାସନ ୨ଟି ଡ୍ରିଲ୍ ମେସିନ ସାହାଯ୍ୟରେ ଉଚ୍ଛେଦ ଆରମ୍ଭ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି