Breaking News

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ଦୀପଦାନ କଲେ ସାକ୍ଷୀଗୋପିନାଥ ଦେବ



ସାକ୍ଷୀଗୋପାଳ--- ସାକ୍ଷୀଗୋପିନାଥ ମନ୍ଦିରରେ ଦେବ ଦୀପାବଳି ପର୍ବ ପରମ୍ପରା କ୍ରମେ ପାଳିତ ହୋଇଯାଇଛି । ଏହି ଅବସରରେ ସାକ୍ଷୀଗୋପିନାଥଙ୍କ ପିତୃପୁରୁଷ ନନ୍ଦ, ଯଶୋଦା, ଦେବକୀ ଓ ବାସୁଦେବଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ଦେଇଛନ୍ତି ସାକ୍ଷୀଗୋପିନାଥ । ଠାକୁରଙ୍କର ପ୍ରତିଦିନ ପରି ନୀତିକାନ୍ତି କରାଯିବା ସହ ସଂଧ୍ୟା ଧୂପରେ ଗୋଧନ ବାହୁଡା ଭୋଗ ପରେ ମହାଦୀପ ମନ୍ଦିର ଚୁଡାକୁ ଉଠିଥିଲା ।  ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରି ଠାକୁରଙ୍କ ପିତୃ ପୁରୁଷଙ୍କୁ ଦୀପଦାନ କରିଥିଲେ ।  ମନ୍ଦିର ପ୍ରଶାସନ ପକ୍ଷରୁ ୧୦୦୮ ଦୀପ ଜଳାଯାଇଥିଲା ।   ମନ୍ଦିରରେ ପ୍ରଥମେ ସେବାୟତ ମନ୍ଦିର ଚୁଡାକୁ ଉଠି ମହାଦୀପ ଜଳାଇ ଜଗତର କଲ୍ୟାଣ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ସାକ୍ଷୀଗୋପାଳ ମନ୍ଦିରର ଛାମୁ ମଶାଲ ସେବକ ଓ ମାଳି ସେବକ ମାନେ ମନ୍ଦିର ସିଂହଦ୍ୱାର, ଅରୁଣସମ୍ଭ, ଗରୁଡସମ୍ଭ, ମଦନମୋହନ ମନ୍ଦିର, ନୃସିଂହ, ସୁର୍ଯ୍ୟମନ୍ଦିର, ଗଣେଶ, ନବଗ୍ରହ, ତୁଳସି ଚଉରା, ରାମ ଲକ୍ଷ୍ମଣ ମନ୍ଦିର, ଅଲଗଡ ମହାବୀର ଆଦି ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ।   ଅନୁରୂପ ଭାବେ ଯାଗାମହାବୀର, ମାଳେଶ୍ୱରୀ, ଜାଗେଶ୍ୱରୀ, ଅନନ୍ତେଶ୍ୱର, ରତ୍ନେଶ୍ୱରଙ୍କ ମନ୍ଦିର, ସେବାୟତସଂଘ କାର୍ଯ୍ୟାଳୟ ଓ ଯାଗାଘରେ  ଦୀପ ଜଳୁଥିବା ଦେଖାଯାଇଥିଲା ।  ସେହିପରି ଘର ମାନଙ୍କରେ ଦୀପ ପ୍ରଜ୍ୱଳନ କରାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୪---୭,୨୫    Sakhigopal News, 1/12/2024

Blog Archive

Popular Posts