ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ୮ ଦଫା ଦାବି ସଂକ୍ରାନ୍ତୀୟ ଏକ ଜରୁରୀ ବୈଠକ ହୋଇଯାଇଛି
ଭଞ୍ଜନଗର - ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ଭଞ୍ଜନଗର କାର୍ଯ୍ୟାଳୟ ପରିସରରେ, ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ, ଆବାହକ ତଥା ସଭାପତି ସୁରେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସଂଘର ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ବୈଠକରେ ନିଆଯାଇଛି। ଦାବି ଗୁଡିକ ମଧ୍ୟରେ, କର୍ମଚାରୀ ମାନଙ୍କୁ ପ୍ରତ୍ୟେକ ମାସ ୧ ତାରିଖରେ ଦରମା ପ୍ରଦାନ, ୧୯୯୩ ପରେ ନିଯୁକ୍ତି ପାଇଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବକେୟା ଥିବା ଗସ୍ତ ଖର୍ଚ୍ଚ ପ୍ରଦାନ, ଔଷଧ ଖର୍ଚ୍ଚ, ପୋଷାକ ବାବଦୀୟ ଅର୍ଥ ପ୍ରଦାନ କରିବାକୁ ଦାବୀପତ୍ର ରେ ଉଲ୍ଲେଖ ରହିଛି । ଏହାସହ ଖାଲି ଥିବା ପଦବୀ ପୂରଣ, ପଦୋନ୍ନତି ଏବଂ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାକୁ ଦାବି ରଖାଯାଇଛି । ସେହିଭଳି, ଜଳଯୋଗାଣ କାର୍ଯ୍ୟରେ ନିୟୋଜିତ ସ୍ଵାବଲମ୍ବୀ କାରିଗରମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବାକୁ ଦାବି କରାଯାଇଛି । ପାଇପ୍ ଜଳ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଦୀର୍ଘଦିନ ହେଲା ସମାଧାନ କରାଯାଉ ନାହିଁ । ଏଥିପାଇଁ ବିଭାଗ ତରଫରୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ, ସବୁ ଦାବୀକୁ ପ୍ରତାରଣା କରାଯାଉଥିବାରୁ କର୍ମଚାରୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସଂପର୍କରେ ସଂଘ ତରଫରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଯଦି ଆସନ୍ତା ଦିନରେ, ସମସ୍ୟାର ସମାଧାନ କରାନଯାଏ ତା'ହେଲେ ଆସନ୍ତା ଦିନରେ ଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆୟୋଜିତ ବୈଠକରେ ଭଞ୍ଜନଗର ଶାଖା ସଂପାଦକ କାକୁସ୍ଥ ସାହୁ, ଯୁଗ୍ମ ସଂପାଦକ ଦାଶରଥି ଦାସ, ଯୁଗ୍ମ ସଂପାଦକ ଶିଶିର ଜେନାଙ୍କ ସମେତ ଭଞ୍ଜନଗର ଖଣ୍ଡ ଅଧୀନସ୍ଥ ଆସିକା, କବିସୂର୍ଯ୍ୟନଗର, ସୋରଡ଼ା, ଧରାକୋଟ, ବେଲଗୁଣ୍ଡା, ଜଗନ୍ନାଥ ପ୍ରସାଦ, ପୋଲସରା, ପୁରୁଷୋତ୍ତମପୁର, ବେଗୁନିଆପଡ଼ା, ବୁଗୁଡ଼ା ପ୍ରଭୃତି ଅଞ୍ଚଳର ସଂଘ କର୍ମକର୍ତ୍ତା ମାନେ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଂଘର ଖଣ୍ଡ ସ୍ତରୀୟ ସମସ୍ତ ପଦବୀ ନିମନ୍ତେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୨/୨୦୨୪----୧୧,୫୦ Sakhigopal News,8/12/2024