ନୂଆଁ ଦିଶା ଦେଖାଇଛି, ପିତ୍ତଳ ମାଛ କାରିଗରୀ.. ତାଲିମ ନେଲେ ୨୫ ମହିଳା
ଭଞ୍ଜନଗର- - ମହିଳା କାରିଗରଙ୍କ ହାତରେ ଝଟକୁଛି, ବିଶ୍ବ ପ୍ରସିଦ୍ଧ ପିତ୍ତଳ ମାଛ । ନିର୍ଦ୍ଧିଷ୍ଟ କିଛି କାରିଗରଙ୍କ କୈାଳିକ ବୃତ୍ତି ପାଲଟିଥିବା ଏହି ବିରଳ କଳାକୃତି, ଏବେ କେତେକ ଆଗ୍ରହୀ ମହିଳାଙ୍କୁ ନୂଆଁ ପରିଚୟ ଦେଇଛି । ଗୃହିଣୀରୁ, ପିତ୍ତଳ ମାଛ କାରୀଗର ହେବାକୁ ଯାଉଛନ୍ତି । ଏଥିପାଇଁ ସଂପୃକ୍ତ ମହିଳା ମାନେ ନେଉଛନ୍ତି, ତାଲିମ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗାଁର ମହିଳା ମାନଙ୍କ ଏମିତି କିଛି ନିଆରା ନିଷ୍ପତ୍ତିକୁ ନେଇ ଏବେ ସ୍ବାବଲମ୍ବୀ ହେବାକୁ ଯାଉଛନ୍ତି । ଏହି ଗାଁର, ଜୟ ଗଣେଶ ପିତ୍ତଳ ମାଛ ଉତ୍ପାଦକ ସଂଘର ୨୫ ଜଣ ମହିଳା ଏକାଠି ହୋଇ, ଜଣେ ଅଭିଜ୍ଞ କାରିଗର ଶୁସାନ୍ତ କୁମାର ସାହୁ ଙ୍କ ଠାରୁ, ଭଳିକି ଭଳି ପିତ୍ତଳ ମାଛ ତିଆରି କରିବାର ଏବେ ତାଲିମ୍ ନେଉଛନ୍ତି । ହସ୍ତଶିଳ୍ପ ବିଭାଗ ସହଯୋଗରେ, ଏହି ତାଲିମ ବ୍ୟବସ୍ଥା ଗତ ପ୍ରାୟ ଏକ ବର୍ଷ ହେଲା ଜାରି ରହିଛି ।
ଗଂଜାମ ଜିଲ୍ଲାର ବେଲଗୁଣ୍ଠା, ପିତ୍ତଳ ମାଛ ତିଆରି ପାଇଁ ବିଶ୍ବ ପ୍ରସିଦ୍ଧ । ଏଠାକାର ନିର୍ଦ୍ଧିଷ୍ଟ କିଛି ପରିବାର, କୈାଳିକ ବୃତ୍ତି ଭାବେ ଏହି କାରିଗରୀ କାମ କରି ଆସୁଛନ୍ତି । ଏବେ ଅଧିକାଂଶ ପରିବାର ଏହି କାରିଗରୀ ବୃତ୍ତି ଠାରୁ ଦୂରେଇ ଯାଇଥିବା ବେଳେ, ହାତଗଣତି କିଛି କାରିଗର ହିଁ ଏହି କଳା-କୈାଶଳକୁ ବଞ୍ଚାଇ ରଖିଛନ୍ତି । ନୂଆଁ ପିଢୀ, ଏହି ବୃତ୍ତି ପ୍ରତି ଆଗ୍ରହ ଦେଖାଉନାହାନ୍ତି । ଏଭଳି ପରିସ୍ଥିତିରେ, ପାଲକଷଣ୍ଢା ଗାଁ ର ମହିଳା ମାନେ ଏ ସଂକ୍ରାନ୍ତରେ ତାଲିମ ନେବା , ପିତ୍ତଳ ମାଛର ଭବିଷ୍ୟତ ପାଇଁ ଏକ ଶୁଭ ସଙ୍କେତ ।
ତାଲିମ ନେଉଥିବା ମହିଳା ମାନଙ୍କୁ ଉତ୍ସାହିତ କରିବାପାଇଁ, ସରକାରୀ ସ୍ତରରେ ପ୍ରତ୍ସୋହାନ ରାଶି ମଧ୍ୟ ଦିଆ ଯାଉଛି । ଏହି ଆଉ କିଛିଦିନ ପରେ, ତାଲିମ କାର୍ଯ୍ୟ ଶେଷ ହେବ । ପିତ୍ତଳ ମାଛ ତିଆରି କରିବାପାଇଁ, ଜଣେ ଜଣେ ସକ୍ଷମ କାରିଗର ଭାବେ ପରିଚୟ ପାଇବେ ସଂପୃକ୍ତ୨୫ଜଣ ମହିଳା । ଯାହାକି, ପିତ୍ତଳ ମାଛ ତିଆରି ବୃଦ୍ଧି ପାଇବା ସହ, ଗ୍ରାହକଙ୍କ ଚାହିଦା ମେଣ୍ଟାଇବା ସହଜ ହେବ । ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।
ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା଼ପାଇଁ କହିଛନ୍ତି, ସ୍ଥାନୀୟ କ୍ଷତ୍ରିୟବରପୁର ପଞ୍ଚାୟତ ସରପଞ୍ଚ କମଳ କୁମାରୀ ପ୍ରଧାନ । ଏବେ ଏହି ସଂଘର ମହିଳା ତଥା ସଭାପତି ନମିତା ବେହେରା, ମମତା କୁମାରୀ ମହାରଣା, ମମତା ବେହେରା, ସୁବାସିନୀ ସ୍ବାଇଁ ଏବଂ ବିନ୍ଦୁ ପ୍ରଧାନ ଙ୍କ ସମେତ ତାଲିମ ନେଉଥିବା ୨୫ ଜଣ ଏବେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି । ସେହିଭଳି ଏମାନଙ୍କ ଦୃଢ଼ ଇଚ୍ଛାଶକ୍ତି କୁ ପ୍ରଶଂସା କରିଛନ୍ତି ତାଲିମ କେନ୍ଦ୍ରର ପରିଚାଳକ ଅଚ୍ୟୁତାନନ୍ଦ ମହାରଣା । ବୁଦ୍ଧିଜୀବୀ ମହନ୍ତ ରାମକୃଷ୍ଣ ଦାସ ଓ ପ୍ରକାଶ ପାତ୍ରଙ୍କ ସମେତ ଗ୍ରାମବାସୀ ।