ଶ୍ରାବଣ ରେ ଶୁଖିଲା, ପୌଷରେ ଭିଜେଇଲା. ଅଦିନିଆ ବର୍ଷା, ଚାଷୀଙ୍କ ଭାତହାଣ୍ଡି ଉଜାଡି ଦେଲା
ଭଞ୍ଜନଗର- - ଅଦିନିଆ ବର୍ଷା ଯୋଗୁଁ ଭଞ୍ଜନଗର ଉପଖଣ୍ଡର ଭଞ୍ଜନଗର, ଜଗନ୍ନାଥପ୍ରସାଦ ଏବଂ ବେଲଗୁଣ୍ଠା ବ୍ଳକର ଚାଷ ପ୍ରଭାବିତ ହୋଇଛି ହଜାର ହଜାର ଏକର ଜମିର ଧାନ ଫସଲ । ଜମିରେ କଟାହୋଇ ପଡ଼ିଥିବା ଧାନଫସଲ, ଏବେ ପାଣିରେ ଭିଜୁଛି । ନଷ୍ଟ ହେବାକୁ ଯାଉଛି, ଗଦା ହୋଇଥିବା ଫସଲ । ଚିନ୍ତାରେ ପଡ଼ିଛନ୍ତି, ଚାଷୀ କୂଳ । ସେପଟେ ପ୍ରଶାସନ ପକ୍ଷରୁ କୁହାଯାଇଛି ସରକାରୀ ନିୟମ ପ୍ରକାରେ ବ୍ୟବସ୍ଥା କରାଯିବ । ଏଭଳି ଏକ କରୁଣ ପରିସ୍ଥିତି ଚାଷୀକୂଳ ପାଇଁ ଦୁଃଖ ରେ କାରଣ ହୋଇଛି । ବର୍ଷକର ଦାନାପାଣି, ଏବେ ନଷ୍ଟ ହେବାକୁ ଯାଉଛି । ପିଲା-ଛୁଆ, ପରିବାର କେମିତି ଚଳିବେ, ସେହି ଚିନ୍ତା ଘାରିଛି ଚାଷୀଙ୍କୁ । ବହୁ ବିଳମ୍ବରେ ଫସଲ ଉଠିଆ କରିଥିଲେ । ହେଲେ ଅମଳ ସମୟରେ ଦୁଃଖ ଦେଇଛି ଅଦିନିଆ ବର୍ଷା । ପାଣିରେ ଭିଜିଯାଇଛି, ପାଚିଲା ଧାନ । କିଏ ଆଣ୍ଠୁଏ ପାଣିରେ ପଶି ଧାନ କାଟୁଛି ତ’, କିଏ କଟା ହୋଇଥିବା ଧାନକୁ ପାଣିରୁ ଛାଣୁଛି । ପୁଣି କିଏ, ପାଣିରେ ବୁଡିରହିଥିବା ପାଚିଲା ଫସଲକୁ ଦେଖି, ଭାଙ୍ଗି ପଡୁଛି । ଅଦିନିଆ ବର୍ଷା ଯୋଗୁଁ ଭଂଜନଗର ଉପଖଣ୍ଡ ଅଞ୍ଚଳର ଭଂଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଳକରେ ଏଭଳି କରୁଣ ପରିସ୍ଥିତି ଦେଖାଯାଇଛି ।
ଶ୍ରାବଣରେ, ବର୍ଷାର ଦେଖା ମିଳିଲାନି । କ୍ଷେତକୁ ଜଳ-ଧାର ଟିଏ ବି’ ବହିଲାନି । ଜମି ଫାଟି ଆଁ ହୋଇଗଲା । କିଛି ସ୍ଥାନରେ କେନାଲରେ ପାଣିରୁ ଜଳସେଚନ ହେଲା, ଆଉ କିଛି ସ୍ଥାନରେ ମୋଟର-ପମ୍ପ ପକାଇ, ଜଳ ଯୋଗାଡ଼ ହେଲା । ଅଧିକାଂଶ ସ୍ଥାନରେ, ଜମି ଶୁଖିଲା ପଡ଼ିଲା । ତଥାପି ବହୁ କଷ୍ଟରେ, ଧାନ ଫସଲ ଉଠିଆ କଲା ଚାଷୀ । ହେଲେ ଅମଳ ସମୟରେ ପୈାଷ ମାସର ଅଦିନିଆ ବର୍ଷା, ଏବେ ଦାଉସାଧିବା ଆରମ୍ଭ କରିଛି । ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ, ପାଚିଲା-ଧାନ ସବୁ ପାଣିରେ ଭିଜିଲା । ଏବେ ପରିସ୍ଥିତି ଏମିତି ହୋଇଛି, ଭିଜି ରହିଥିବା ଧାନକୁ, ଜମିରୁ ଅମଳ କରିବା ଆଉ ସମ୍ଭବ ହେବନି । ଯଦିଓ କୈାଣସିମତେ ଅମଳ ହେବ, କିନ୍ତୁ ତାହା ଆଉ ବ୍ୟବହାର ଯୋଗ୍ୟ ହେବନାହିଁ । ଏଣୁ ଚାଷୀକୂଳ ଏବେ ଭାଙ୍ଗି ପଡିଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି ବେଲଗୁଣ୍ଠା ବ୍ଳକ ର କ୍ଷତିଗ୍ରସ୍ତ ଚାଷୀ ସୌରୀ ମହାନ୍ତି, ଖଗେଶ୍ବର ବାଡତ୍ୟା, କୋକ ନାୟକ, ଶୁଶାନ୍ତ ବାଡତ୍ୟା, ବାବୁଲା ସ୍ବାଇଁ ଏବଂ ସୁବଳ ସାହୁ ଙ୍କ ସମେତ ବହୁ ଚାଷୀ । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି, ବର୍ଷାକୁ ନେଇ ଅମଳ ସମୟରେ କିଭଳି ସତର୍କ ରହିବାକୁ ହେବ, ସେନେଇ କୃଷି ବିଭାଗ ପକ୍ଷରୁ କୈାଣସି ସୂଚନା ଦିଆଗଲା ନାହିଁ । କୃଷି ବିଭାଗର ଅଧିକାରୀ ମାନଙ୍କ, ଦେଖା ମିଳିଲାନାହିଁ । ଅନ୍ୟପକ୍ଷରେ ସରକାରଙ୍କ ନିର୍ଦ୍ଦେଶ ଆସିଲେ, କ୍ଷୟକ୍ଷତି ବାବଦରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି, ଭଂଜନଗର ଉପଜିଲ୍ଲାପାଳ ଅନିଲ୍ କୁମାର ସେଠୀ କହିଛନ୍ତି ।
ତେବେ ଏଭଳି ପରିସ୍ଥିତି ପ୍ରତି, ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରି ଚାଷୀଙ୍କୁ ସହାୟତା ଯୋଗାଇଦେବା ଜରୁରୀ ହୋଇଛି । ତା’ନହେଲେ ଚାଷୀଙ୍କ ମନୋବଳ ଭାଙ୍ଗି ପଡିବା ସହ କୃଷି କ୍ଷେତ୍ରର ଏକ ବଡ ସଂକଟ ଉଭା ହେବ, ଏଥିରେ ସନ୍ଦେହ ନାହିଁ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୨/୨୦୨୪----୧୦,୧୫ Sakhigopal News,23/12/2024