Breaking News

ଟିକରପଡା ରେ ଝାଡ଼ାବାନ୍ତି, ୨୪ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୨ ମୃତ , ଡାକ୍ତରୀ ଟିମ୍ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ



ଭଞ୍ଜନଗର - ଆମ୍ବପୁଆ ପଞ୍ଚାୟତର ଟିକରପଡା ଗାଁ ରେ ଝାଡ଼ାବାନ୍ତି ଆତଙ୍କ ଲାଗି ରହିଛି। ୨୪ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର  ମୃତ୍ୟୁ ହୋଇଥିବା କୁହାଯାଇଛି । ଗତ ପ୍ରାୟ ୪ ଦିନ ହେଲା ଗାଁ ରେ ଆରମ୍ଭ ହୋଇଥିଲା ଝାଡ଼ାବାନ୍ତି । ଗୋଟିଏ ପଟେ ଦୁଷିତ ଜଳ ଏହାର କାରଣ ବୋଲି କୁହାଯାଉଥିବା ବେଳେ, ଅନ୍ୟପଟେ ଗାଁ ର ଏକ ଭୋଜି ଖାଇବା ପରେ ଏଭଳି ପରିସ୍ଥିତିର ସୂତ୍ରପାତ ହୋଇଥିବା କୁହାଯାଉଛି । ଆକ୍ରାନ୍ତ ମାନଙ୍କୁ ନିକଟସ୍ଥ ବେଲଗୁଣ୍ଠା ଓ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକାଂଶ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଗାଁ ରେ ସ୍ବାସ୍ଥ୍ୟ ଟିମ୍ ପହଞ୍ଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଗାଁ ର ବିଭିନ୍ନ ସ୍ଥାନରେ ପରିମଳ ବ୍ୟବସ୍ଥା ପ୍ରତି ପଦକ୍ଷେପ ଗ୍ରହଣ କରାଯାଇଛି । ଝାଡ଼ାବାନ୍ତିରେ ଦେବ ଗୌଡ (୮୦) ଏବଂ କନ୍ଧ ସାହୁ (୮୦) ଙ୍କ ମୃତ୍ୟୁ ହୋଇଛି । ତେବେ ବେସରକାରୀ ହିସାବରେ ୬୦ ରୁ ଅଧିକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଶୁକ୍ରବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଡାଃ ହରମୋହନ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ବେଲଗୁଣ୍ଠା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଡାଃ ସରିତା ବେହେରା ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ପହଞ୍ଚି, ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ବିଭିନ୍ନ ସ୍ଥାନରୁ ପିଇବା ପାଣି ନମୁନା ସଂଗ୍ରହ କରିଥିଲେ । ତେବେ ପରିସ୍ଥିତି ଆଗକୁ ଯେଭଳି ନବଢିବ ସେଥିପାଇଁ ଏକ ଡାକ୍ତରୀ ଟିମ୍ ଶନିବାର ଠାରୁ କ୍ୟାମ୍ପ କରିଛନ୍ତି ।  ଏହାସହ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ଏବଂ ଆଗକୁ ଯେପରି ଝାଡ଼ାବାନ୍ତି ବ୍ୟାପକ ନହେବ ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବେଲଗୁଣ୍ଠା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାଃ ଷଡ଼ଙ୍ଗୀ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୭/୨୦୨୪----୭,୫୦ Sakhigopal News,20/7/2024

Blog Archive

Popular Posts