Breaking News

୨୪ ବର୍ଷ ହେଲାଣି ପାହାଡ଼ ଉପରୁ ଗଡୁଛି ରଥ, ଆଗରେ ଦଉଡି, ପଛରେ ଦଉଡି



ଜଟଣୀ ----
୨୪ ବର୍ଷ ହେଲାଣି ପାହାଡ଼ ଉପରୁ ଗଡୁଛି ରଥ |ରଥର ଆଗରେ ଦଉଡି ପଛରେ ଦଉଡି |ଆଗ ପଟରୁ ଭକ୍ତମାନେ ଭିଡ଼ନ୍ତି ଏବଂ ପଛଆଡ଼ୁ ଭକ୍ତ ମାନେ ଟାଣନ୍ତି |ରଥରେ ବସି ଭାଇ ଭଉଣୀ ସହ ପାହାଡ଼ ଉପରୁ ଗଡି ଗଡି ଆସନ୍ତି ମହାପ୍ରଭୁ ଜଗନ୍ନାଥ | ଖାଲି ଓଡିଶା ନୁହେଁ ବରଂ ଏଭଳି ଦୃଶ୍ୟ ସାରା ଭାରତ ବର୍ଷରେ ବିରଳ |
ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତର ଲବଣଗିରି ଜଗନ୍ନାଥ ମନ୍ଦିରରେ ଏଭଳି ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ |
ଜଟଣୀରୁ ସୁନ୍ଦରପଦା ରାସ୍ତାରେ ଗଲେ ଜାମୁକୋଳି ପଞ୍ଚାୟତ ପାଞ୍ଚଗାଁ ଠାରେ ଲବଣଗିରି ପାହାଡ଼ ଅବସ୍ଥିତ |୨୦୦୦ ମସିହାରେ ଏହି ପାହାଡ଼ରେ ଜଗନ୍ନାଥ ମନ୍ଦିରର ଏକ ଭଗ୍ନାବଶେଷ ମିଳିଥିଲା |ପରେ ସେଠାରେ ଜଗନ୍ନାଥ ଆଶ୍ରମ ପ୍ରତିଷ୍ଠା କରି ଚତୁର୍ଧାମୂର୍ତ୍ତି ଙ୍କୁ ପୂଜାର୍ଚନା କରାଯିବା ସହ ୨୦୦୧ ମସିହାରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହେଉଛି | ପାହାଡ଼ ଉପରୁ ରଥରେ ବସି ଶ୍ରୀ ବିଗ୍ରହ ତଳକୁ ଗଡି ଗଡି ପାଞ୍ଚଗାଁ ନିକଟ ମାଉସୀ ମା ମନ୍ଦିରକୁ ଯାଇଥାନ୍ତି |ତେବେ ପାହାଡ଼ ଉପରୁ ରଥ ଗଡ଼ିବା ବେଳେ ରଥକୁ ଆଗ ପଟରୁ ଭକ୍ତମାନେ ଟାଣିବା ସହ ପଛପଟରେ ମଧ୍ୟ ଦଉଡି ସାହାଯ୍ୟରେ ଭକ୍ତମାନେ ଭିଡି ଧରିଥାନ୍ତି |ରଥର ଅଗପଟେ ଦଉଡି ,ପଛପଟେ ଦଉଡି |ଉଭୟ ପଟେ ଦଉଡି ବାନ୍ଧି ରଥ ଟାଣିବା ପରମ୍ପରା ଅନ୍ୟ କୌଣସି ଜାଗାରେ ଦେଖିବାକୁ ମିଳେ ନାହିଁ |
କମିଟି ଦେଇଥିବା ସୂଚନା ଅନୁସାରେ ୨୦୦୧ ମସିହାରେ ଯେତେବେଳେ ରଥଟଣା ଆରମ୍ଭ କରିବାକୁ ଯୋଜନା ହେଲା , ପାହାଡ଼ ଉପରୁ କିଭଳି ଭାବେ ରଥ ଟଣାଯିବା ତାହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ |ରଥ ଦ୍ରୁତ ଗତିରେ ଗଡିଯାଇ ଦୁର୍ଘଟଣା ଘଟିବ ଆଶଙ୍କା ରହିଥିଲା |ହଠାତ ଜଣେ ସନ୍ୟାସୀ ଲବଣଗିରି ଠାରେ ପହଞ୍ଚି ଉଭୟ ପଟରେ ଦଉଡି ବାନ୍ଧି ରଥ ଟଣା କାର୍ଯ୍ୟକ୍ରମ କରିବାକୁ ଉପଦେଶ ଦେଇଥିଲେ |ଯାହାକୁ ସମସ୍ତେ ଗ୍ରହଣ କରିବା ସହ ସେହିଦିନ ଠାରୁ ରଥ ଆଗରେ ଦଉଡି ଏବଂ ରଥ ପଛରେ ଦଉଡି ବାନ୍ଧି ରଥ ଟାଣୁଛନ୍ତି |ଅପରାହ୍ନରେ ବର୍ଷା ପାଗରେ ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତିକାନ୍ତି ସମାପନ ହେବା ସହ ପହଣ୍ଡି ବିଜେ, ଛେରା ପହଁରା ଏବଂ ରଥ ଟଣା ହୋଇଥିଲା |ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା |ଏୟାରଫିଲଡ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳାର ସହ ରଥଟଣା ଶେଷ ହୋଇଛି |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୭/୨୦୨୪---୯,୩୦ Sakhigopal News,9/7/2024

Blog Archive

Popular Posts