Breaking News

ଭୁତ କଲେଜ ମାମଲା, ଶିକ୍ଷା ଅଧିକାରୀଙ୍କ ତଦନ୍ତ ଆରମ୍ଭ, ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଅଭିଭାବକ


ବଲାଙ୍ଗିର:ସଇଁତଲା ----

ସରକାରଙ୍କ ଶିକ୍ଷା ନୀତି ନେଇ ଘରେ ଘରେ ଛତୁ ଫୁଟିବା ଭଳି ଘରୋଇ ସ୍କୁଲ, କଲେଜ, ତାଲିମ ପ୍ରତିଷ୍ଠାନ ଗଢି ଉଠୁଛି l ଉଚ୍ଚମାନର ଶିକ୍ଷା, ବିଭିନ୍ନ ଆରାମଦାୟକ ସୁବିଧା ସୁଯୋଗ ପ୍ରଦାନ ଆଦି ପ୍ରଲୋଭନ ଦେଖାଇ ଘରୋଇ ଶିକ୍ଷାନୁଷ୍ଠାନ ନିଜ କାୟା ବିସ୍ତାର କରିଚାଲିଛନ୍ତି l  ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଛାତ୍ର ଛାତ୍ରୀଙ୍କୁ ଭୂତ କଲେଜ ନାମରେ ଭର୍ତ୍ତି କରି ଚଞ୍ଚକତା କରାଯାଇଛି l ଭିତ୍ତିଭୂମି ନଥିବା ଶିକ୍ଷାନୁଷ୍ଠାନ ଶିକ୍ଷା ବ୍ୟବସାୟ ଆରମ୍ଭ କରିଥିବା ବେଳେ ପିଲାଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାରମୟ ହୋଇପଡ଼ିଛି l ପିଲାଙ୍କୁ ଭୁତ କଲେଜରେ ଭର୍ତ୍ତି କରି ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାଶ କଲେଜରେ ପାଠ ପଢ଼ିବା ପାଇଁ ପଠାଯାଉଛି l ଏନେଇ ଅଭିଭାବକ ତଥା ବେଲଗାଁ ଅଞ୍ଚଳବାସୀ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ତଦନ୍ତ ପାଇଁ ଫେରାଦ ହୋଇଛନ୍ତି l ସଇଁତଳା ବ୍ଲକର ସିଲେଟପଡା ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସରକାରୀ ସ୍ୱୀକୃତି ଲାଭ କରିଥିବା ଦର୍ଶାଇ ଗତ ଶିକ୍ଷା ବର୍ଷ ଠାରୁ ବ୍ୟବସାୟ ଆରମ୍ଭ କରି କିଶୋର କିଶୋରୀଙ୍କୁ ଠକି ଚାଲିଥିବା ବେଲଗାଁ ସରପଞ୍ଚ ଆଇନଜୀବୀ ରାମଚନ୍ଦ୍ର ବେହେରା, ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା, ସମାଜସେଵୀ ସୁନିଲ ଜୈନ, ଦିନେଶ ପ୍ରଧାନ, ପୂର୍ବତନ ସରପଞ୍ଚ ଡୋଲାମଣି ଥପା, ସିଦ୍ଧେଶ୍ୱର ମାଝୀ, ଆଇନଜୀବୀ ଅଶୋକ ମାଝୀ,  ନିଲୁ ମହାନନ୍ଦ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ l ସୂଚନା ଯେ ହୃଷିକେଷ ପ୍ରିୟାବତୀ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଏଣ୍ଡ ଟେକନୋଲୋଜି ନାମକ ଏହି ଘରୋଇ ଶିକ୍ଷାନୁଷ୍ଠାନର କେବଳ ସିଙ୍ଗଲ ଛାତ ବିଶିଷ୍ଟ ଗୋଟିଏ ମାତ୍ର କୋଠରୀ ରହିଛି l ଏହି ଇନଷ୍ଟିଚ୍ୟୁଟରେ 128 ଜଣ ପିଲା ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ବୋର୍ଡ ଅନୁମତି ପ୍ରଦାନ କରିଛନ୍ତି l  ଗତ ଶିକ୍ଷା ବର୍ଷରେ ଏଠାରେ 43 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ l ହେଲେ ପିଲା ବେଲଗାଁ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ବର୍ଷଟିଏ ହେଲା ଅଧ୍ୟୟନ କରିବା ସମଗ୍ର ଘଟଣାକୁ ରହସ୍ୟାବୃତ୍ତ କରିଛି l ଉକ୍ତ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଭାବରେ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାଶ ମହାବିଦ୍ୟାଳୟର ଅଧ୍ୟାପକ କିଶୋର ସାହୁଙ୍କ ମୋବାଇଲ ନମ୍ବର  ଶିକ୍ଷା ବିଭାଗ ପୋର୍ଟାଲରେ ଉଲ୍ଲେଖ ରହିଛି l ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ତଥା ଗଣମାଧ୍ୟମରେ ଖବର ପ୍ରକାଶ ପାଇବାର ପରେ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି।  ସିଲେଟପଡାର ଉକ୍ତ ଘରୋଇ କଲେଜର କୋଠରୀରେ ତାଙ୍କ ପିଲାଙ୍କ ନାମଲେଖା ସମୟରେ ବେଲଗାଁ କଲେଜର ଅଧ୍ୟକ୍ଷା ଏବଂ ଅଧ୍ୟାପକ କିଶୋର ସାହୁ ଉପସ୍ଥିତ ଥିଲେ l ସେ ତାଙ୍କ ପିଲାଙ୍କ ପ୍ରତି ଏଭଳି ଧୋକା କରାଯାଉଥିବା ଟେର ପାଇନଥିବା ଅଭିଭାବକ ମାନେ ଦୁଃଖର ସହ କହିଛନ୍ତି l ତେବେ ଘରୋଇ କଲେଜର  ଅଭିଭାବକଙ୍କ ଅଭିଯୋଗ ନେଇ ବେଲଗାଁ କଲେଜର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ସାହୁ ତଥା ଅଧ୍ୟାପକ କିଶୋର ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ଏଭଳି ସ୍ଥଳେ ଶିକ୍ଷା ବିଭାଗ ଏହି ଘରୋଇ ଶିକ୍ଷାନୁଷ୍ଠାନକୁ କିଭଳି ସ୍ୱୀକୃତି ପ୍ରଦାନ କଲା, ନାମ ଲେଖାଇବା ପାଇଁ କେମିତି ସ୍ୱୀକୃତି ଦେଲା ତାହା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଚମ୍ବିତ କରିଛି l  କଲେଜ ପରିଚାଳନା କମିଟି ସଭାପତି ତଥା ଟିଟିଲାଗଡ଼ ଉପଜିଲାପାଳ ଏନେଇ ଅବଗତ ହୋଇଛନ୍ତି l ଉପଜିଲାପାଳଙ୍କ ନିର୍ଦେଶ କ୍ରମେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଆଜି ସିଲେଟପଡାର ଉକ୍ତ ଘରୋଇ କଲେଜ ଏବଂ ବେଲଗାଁ କଲେଜ ଗସ୍ତ ସହ ପ୍ରାଥମିକ ତଦନ୍ତ କରିଛନ୍ତି l ତେବେ ପୀଡିତ ଛାତ୍ରଛାତ୍ରୀଙ୍କ ବୟାନ ରେକର୍ଡ ନକରି ଶିକ୍ଷା ଅଧିକାରୀ ଫେରିଯିବା ତଦନ୍ତ ଦିଗହରା ଆଶଙ୍କା ବୃଦ୍ଧି ହୋଇଛି ବୋଲି ବେଲଗାଁ କଲେଜର ପୂର୍ବତନ ପରିଚାଳନା କମିଟି ସଭ୍ୟ ପରମାନନ୍ଦ ଭୋଇ ଆଶଙ୍କା ପ୍ରକାଶ କରିଛନ୍ତି l  ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିରାଟ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

ବଲାଙ୍ଗିର ଓ ସଇଁତଲା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ୨୭/୭/୨୦୨୪----୬,୪୫ Sakhigopal News,27/7/2024

Blog Archive

Popular Posts