ଟାଟା ପାୱାରକୁ ଝଟକା; ବିଜୁଳୀ ସଂଯୋଗ ନଦେବାରୁ ୪୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
କୋଣାର୍କ ---- ଆବେଦନକାରୀଙ୍କୁ ବିନା କାରଣରେ ବିଜୁଳୀ ସଂଯୋଗ ନଦେବାରୁ ଟାଟା ପାୱାର (ଟିପିସିଓଡିଏଲ) କୁ ମାନ୍ୟବର ସିଭିଲ ଜଜ୍, କୋଣାର୍କ ୪୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୋଣାର୍କ ନିକଟ କୁରୁଜଙ୍ଗସ୍ଥିତ ଦେଶର ଏକ ପ୍ରତିଷ୍ଠିତ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ସ୍ବେଚ୍ଛାସେବୀ ସଂଗଠନ ୟଙ୍ଗ ଇଣ୍ଡିଆ ପରିସରରେ ଦୀର୍ଘ ଦିନ ଧରି ଜୈବିକ କୃଷି ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ପ୍ରକାର ପ୍ରକଳ୍ପ କାର୍ୟ୍ୟକାରୀ ହୋଇଛି ଜ୍ଝ ଏକ ଉଦ୍ୟାନ ନର୍ସରୀ କରାଯାଇ ଉଦ୍ୟାନ ଚାଷକୁ ପ୍ରୋତ୍ସାହିତ କରାଯାଉଛି । ଗତ ବର୍ଷ ଗ୍ରୀଷ୍ମ ଋତୁରେ ଏଠାରେ ଜଳାଭାବ ହେବାରୁ ଏହି ପରିସରରେ ଏକ ନଳକୂପ ବସାଯାଇ, ଜଳସେଚନ ନିମନ୍ତେ ଏକ ବିଜୁଳୀ ସଂଯୋଗ ନିମନ୍ତେ ଅନୁଷ୍ଠାନ ତରଫରୁ ଟାଟା ପାୱାରକୁ ଆବେଦନ କରାଯାଇଥିଲା । ସମ୍ପୃକ୍ତ ଯନ୍ତ୍ରୀ ମୋଟା ଅଙ୍କର ଲାଞ୍ଚ ଦାବୀ କରି ନପାଇବାରୁ ବିଭିନ୍ନ ବାହାନା ଦେଖାଇ ବିଜୁଳୀ ସଂଯୋଗ ଦେଇନଥିଲେ । ଆବେଦନକାରୀ ସଂସ୍ଥା ତରଫରୁ ପରିଚାଳକ , ମୁଖ୍ୟ ନିର୍ବାହୀ ଅଧିକାରୀ ଆଦିଙ୍କୁ ଏସମ୍ପର୍କରେ ବାରମ୍ବାର ଲିଖିତ ଭାବେ ଜଣାଇବା ପରେ ମଧ୍ୟ ବିଜୁଳୀ ସଂଯୋଗ ମିଳିନଥିଲା । ଏଥିଯୋଗୁଁ ନର୍ସରୀରେ ଥିବା ହଜାର ହଜାର ଚାରା ଗଛ ମରିଯାଇଥିଲା । ଶେଷରେ ବାଧ୍ୟ ହୋଇ ଆବେଦନକାରୀ ସଂସ୍ଥା କୋଣାର୍କ କୋର୍ଟର ଦ୍ଵାରସ୍ଥ ହୋଇଥିଲେ । ଏହି ମାମଲା ୩୧/୨୦୨୩ର ଶୁଣାଣୀ କରି ମାନ୍ୟବର କୋର୍ଟ ଟାଟା ପାୱାର (ଟିପିସିଓଡିଏଲ)ର ମୁଖ୍ୟ ନିର୍ବାହୀ ଅଧିକାରୀ-ଭୁବନେଶ୍ବର, ପରିଚାଳକ-ନିମାପଡା, ଉପଖଣ୍ଡ ଅଧିକାରୀ ଓ କନିଷ୍ଠ ପରିଚାଳକ-କୋଣାର୍କ ତୁରନ୍ତ ଆବେଦନକାରୀଙ୍କୁ ତାଙ୍କ କ୍ଷତି ଭରଣା କରିବା ନିମନ୍ତେ ୪୦ ହଜାର ଟଙ୍କା କ୍ଷତିପୂରଣ ଦେବାପାଇଁ ନିର୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡଭୋକେଟ ଗନ୍ଧର୍ବ ଦଳେଇ ଏହି ମାମଲା ପରିଚାଳନା କରୁଥିଲେ । Sakhigopal News, 26/7/2024