ସନ୍ଧ୍ୟା ହେଲେ ଜମୁଛି ମଦ୍ୟପଙ୍କ ଆସର , ଭୟଭୀତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା
ଜଟଣୀ --- କମିଶନରେଟ ପୁଲିସ ପକ୍ଷରୁ ସହରରେ ଅସାମାଜିକ କାର୍ଯ୍ୟାବଳୀ ଉପରେ ରୋକ୍ ଲଗାଯାଉଛି। ବିଭିନ୍ନ ଗଳିକନ୍ଦି ଓ ନିଛାଟିଆ ସ୍ଥାନ ମାନଙ୍କରେ ସଂଘବଦ୍ଧ ଭାବେ ବସି ମଦ୍ୟପାନ ଓ ନିଶାସେବନ କରୁଥିବା ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ନିଶାଡି ମାନଙ୍କୁ ସାବାଡ କରାଯାଉଛି । ମାତ୍ର ଜଟଣୀ ସହରର ଅନେକ୍ ସ୍ଥାନରେ ଏହାର ବିଚ୍ୟୁତି ଦେଖିବାକୁ ମିଳୁଛି l ଏହି ଆଧାରରେ ପୌରାଞ୍ଚଳ ୨୧ ନମ୍ବର ୱାର୍ଡ଼ ଅନ୍ତର୍ଗତ କୁଦିଆରି ବଜାର ଠାରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନା ଏବଂ କଲ୍ୟାଣ ମଣ୍ଡପ ମଧ୍ୟରେ ଜନବସତି ଅଭିମୁଖେ ଯାଇଥିବା ଗଳି ସଂଖ୍ୟା ୯୨ ଜି ର ପ୍ରବେଶ ପଥର ନିଛାଟିଆ ସ୍ଥାନ ରହିଛି ।
କିଛିମାସ ହେଲା ମଦ୍ୟପ ଓ ନିଶାଡିଆ ମାନଙ୍କର ଅମରାବତୀ ପାଲଟିଥିବାକୁ ନେଇ ସ୍ଥାନୀୟ ବାସିନ୍ଦା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି l ୱାର୍ଡ ନଂ ୧୮ ଓ ୧୧ନଂ ୱାର୍ଡର ବିଏସଏନଏଲ ଅଫିସ ପାଖ ଏଭଳି ଅନେକ ଜାଗାରେ ସନ୍ଧ୍ୟା ପରଠାରୁ ରାତ୍ରୀ ପର୍ଯ୍ୟନ୍ତ ମଦୁଆଙ୍କ ଅଶ୍ଳୀଳ ଭାଷା ଓ ଅଟ୍ଟହାସ୍ୟରେ ଉକ୍ତ ଅଞ୍ଚଳକୁ ଲାଗି ବସବାସ କରୁଥିବା ଲୋକମାନଙ୍କ ପାଇଁ ସନ୍ଧ୍ଯା ପରଠାରୁ ଏକ ପ୍ରକାର ନର୍କ ଯନ୍ତ୍ରଣା ସଦୃଶ ପାଲଟୁଥିବା ସାଧାରଣରେ ଅଭିଯୋଗ ହେଉଛି l ନିଶାଖୋର ବ୍ୟକ୍ତିମାନେ ନିକଟରେ ଥିବା ଏକ ମଦ ଦୋକାନରୁ ବୋତଲ କିଣି ଖୁଲମଖୁଲା ଏହି ଅଞ୍ଚଳରେ ପିଇ ଏକ ଖୋଲା ବାର୍ ରେ ପରିଣତ କରିଦେଲେଣି l ଯାହାଫଳରେ ସନ୍ଧ୍ୟା ପରଠାରୁ ଉକ୍ତ ରାସ୍ତାରେ ଝିଅ ବୋହୁ ମାନେ ଯିବା ଆସିବା ପାଇଁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏଥିପ୍ରତି ଜଟଣୀ ଥାନାଧିକାରୀ ଉକ୍ତ ଅଞ୍ଚଳରେ ଚଢାଉ କରି ମଦ୍ୟପାନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଦଣ୍ଡିତ କରାଇବାକୁ ସାଧାରଣରେ ଦାବି ହେଉଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୭/୨୦୨୩-----୯,୧୦ Sakhigopal News,17/7/2023