ଅତାବିରା ରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ର ୩୬ତମ ପ୍ରତିଷ୍ଠା ଦିବସ ପାଳିତ
ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସଂଗଠନ ର ସଭାପତି ଶ୍ରୀ ହାରାଧନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପ୍ରତିଷ୍ଠା ଦିବସରେ କୃଷକ ସଂଗଠନର ପୃଷ୍ଠପୋଷକ ଶ୍ରୀ ଅମୂଲ୍ୟ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଧାକାନ୍ତ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଓ କଳାହାଣ୍ଡିର ବୁଲୁ ବାବୁ,ଗୋଡ଼ଭଗା ପ୍ରଭୁଭକ୍ତି ଆଶ୍ରମ ର ପ୍ରସନ୍ନ ସାହୁ, ସଂଗଠନ ର ସକ୍ରିୟ ସଭ୍ୟ ଲକ୍ଷ୍ମଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଂଗଠନର ସମ୍ପାଦକ ଲୋକେଶ୍ୱର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥି ମାନେ ପ୍ରଥମେ ଉତ୍କଳୀୟ ବରପୁତ୍ର ତଥା ସଂଗ୍ରାମୀ ବୀର ମାନଙ୍କ ଫଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ଯଶଗାନ କରିଥିଲେ।ଏହାପରେ ନିଜର ହକ ପାଇଁ ଲଢେଇ କରି ଜୀବନକୁ ଚାଷୀ ମାନଙ୍କ ସମୂହ ସ୍ବାର୍ଥ ପାଇଁ ବଳିଦାନ ଦେଇଥିବା କୃଷକ ଭାଇ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ଚାଷୀଙ୍କ ବହୁବିଧ ସମସ୍ୟା ଓ ତାର ସମାଧାନ ଦିଗରେ ଏଇ ସଂଗଠନ ଅନେକ ଗୁଡ଼ିଏ କାମ କରିଆସୁଛି ବୋଲି ମତ ପ୍ରକାଶ ପାଇଥିଲା ।
ଚକବନ୍ଦୀ ସେଟେଲମେଣ୍ଟ,ମାଲ ଗୁଜାରି ଆଦାୟ ରେ ଲୋକଙ୍କ ଘରଜପ୍ତି କରିବା ପରି ସରକାରଙ୍କ ଅମାନବିକତା ପୂର୍ଣ୍ଣ ପଦକ୍ଷେପ କୁ ବନ୍ଦ କରିବା,ଟ୍ରାକ୍ଟର ଉପରେ ଲଗାଯାଇଥିବା ଅଧିକ ଟ୍ୟାକ୍ସ କୁ ବନ୍ଦ କରିବା,୩୦୦ରୁ ୫୦୦ ଟଙ୍କାକୁ ଜଳକର ବୃଦ୍ଧିକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି । ସେଇ ବୃଦ୍ଧି ହାରକୁ କମ କରାଇ ପୁଣି ୩୦୦ଟଙ୍କାରେ ସ୍ଥଗିତ ରଖିବା,ଯେଉଁ ଚାଷୀ ମାନେ ଚାଷୀ ବୀମା ପାଉନଥିଲେ ତାଙ୍କ ପାଇଁ ସରକାରଙ୍କ ସହ ବୁଝାମଣା କରି ବୀମା ପ୍ରଦାନ କରାଇବା ପରି ଆଦି ବହୁବିଧ ସଂଗ୍ରାମ ରେ ସଫଳତା ଲାଭକରି ଏଇ ସଂଗଠନ ତାର ଅତୀତ ଇତିହାସକୁ ଚାଷୀଙ୍କ ସ୍ୱାର୍ଥରେ ଉତ୍ସର୍ଗୀକୃତ କରିଆସିଛି।
ସଂଗଠନ କୌଣସି ବ୍ୟକ୍ତିଗତ ସ୍ବାର୍ଥ ନ ରଖି ଆଗକୁ ମଧ୍ୟ ଚାଷୀ ଭାଇ ମାନଙ୍କ ସାମୁହିକ ସ୍ବାର୍ଥ ପାଇଁ ଲଢି ଚାଲିଥିବ ବୋଲି ମୁଖ୍ୟ ଅତିଥି କହିଥିଲେ। ଯେଉଁ ସଂଗଠନ ଦିନେ ଛୋଟ ଚାରା ଟି ରୁ ମୁଣ୍ଡ ଟେକି ଉଠିଥିଲା ଆଜି ତାହା ମହାଦୃମରେ ପରିଣତ ହୋଇଛି।ଆଜି ବି ସଂଗଠନ ର ବରିଷ୍ଠ ବ୍ୟକ୍ତି ମାନେ ଯେଉଁ ଦୃଢ଼ ମନୋବଳ ନେଇ କାମ କରୁଛନ୍ତି ତାହା ଯୁବପିଢି ମାନଙ୍କ ପାଇଁ ପ୍ରେରଣା ଯୋଗାଇବା ସହ ଆହ୍ବାନ ଜଣାଉଛି କି,ଯୁବକ ମାନେ ଆଗେଇ ଆସି ସଂଗଠନ କୁ ଆହୁରି ମଜଭୂତ କରିବେ।ଦୀର୍ଘ ୩୬ବର୍ଷ ଧରି ଏଇ ସଂଗଠନ ଚାଷୀଙ୍କ ପାଇଁ ସଂଘର୍ଷ କରି ଆସୁଛି ଓ ଭବିଷ୍ୟତରେ ବି କରିଚାଲିବ।ଯୁବ ପିଢ଼ି ଏଥିରେ ସାମିଲ ହୋଇ ସଂଗଠନର କାର୍ଯ୍ୟକୁ ଆହୁରି ସଫଳ କରିବା ପାଇଁ ସଭାପତି ଆହ୍ବାନ ଜଣାଇଥିଲେ।ଏହି ଅବସରରେ ବସନ୍ତ ବାରିକ,ପ୍ରକାଶ ନାଏକ, ଭିକାରୀ ଚରଣ ପ୍ରଧାନ,ପଞ୍ଚାନନ ପ୍ରଧାନ,ସ୍ରିମନ୍ତ ବାରିକ,ପଲଉ ମାଝୀ , ବୃଷଭାନୁ ସାହୁ,ଗଣେଶ ମହାକୁର, ପ୍ରମୁଖ ଙ୍କ ସହ ୨୪ଟି ପଞ୍ଚାୟତର ୩୬ ଖଣ୍ଡ ଗ୍ରାମର ଶତାଧିକ ଚାଷୀ ଉପସ୍ଥିତ ଥିବାବେଳେ ଗଣେଶ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ ,2/4/2021-----5,50