ମିଲର ମାନଙ୍କ ଯୋଗୁ ଧାନ ମଣ୍ଡି ବନ୍ଦ ରହିଲା ; ତୁଟି ପାରିଲା ନାହିଁ କାଟ ଛାଟ
ଡେଲାଙ୍ଗ ----- ପୁରୀ ଜିଲ୍ଲାରେ ୨୮ ତାରିଖରେ ଧାନ ମଣ୍ଡି ସରକାରୀ ସ୍ତରରେ ଆନୁଷ୍ଠାନିକ ଭାବେ ପିପିଲି ବ୍ଳକ ତେଇଶିପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଉଦଘାଟନ ହୋଇଯାଇଛି । ସେହିଦିନ ଡେଲାଙ୍ଗ ବ୍ଳକର ଅରିଶଲ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଖୋଲିଥିଲା । ଡେଲାଙ୍ଗ ବ୍ଳକରେ ବୁଧବାର ଦିନ ଚାରିଗୋଟି ସମବାୟ ସମିତି କାର୍ଯ୍ୟାଳୟରେ ଧାନମଣ୍ଡି ଖୋଲିବା ପାଇଁ ଚାଷୀଙ୍କୁ କୁହାଯାଇଥିଲା । ମାତ୍ର ମିଲର ମାନେ କୁଇଣ୍ଟା ପ୍ରତି ୪ କେଜି ଧାନ କାଟ ନେବା ପାଇଁ ସମବାୟ ସମିତିର ସମ୍ପାଦକ ମାନଙ୍କ ଉପରେ ଚାପ ପକାଇବାରୁ ଆଜି ଡେଲାଙ୍ଗ ବ୍ଳକରେ ଥିବା ୪ଗୋଟି ସମବାୟ ସମିତି ପକ୍ଷରୁ ଖୋଲିବାକୁ ଥିବା ଧାନ ମଣ୍ଡି ବନ୍ଦ ରହିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଏହି ସହିତ ସମବାୟ ସମିତିର ସମ୍ପାଦକ ଓ ମିଲର ମାନଙ୍କର ଏକ ବୈଠକ ସହ ଭୋଜିଭାତ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ପଟେ ସମବାୟ ସମିତିର ସମ୍ପାଦକ ମାନେ ଚାଷୀଙ୍କ ବେକ ଧରି ତିନି କେଜି ଧାନ କାଟ ନେବା ପାଇଁ ମିଲରକୁ କହୁଥିବା ବେଳେ ମିଲର ୪ କେଜିରୁ କାଟ ନେବାକୁ ଜିଦ ଧରିଛନ୍ତି । ଯାହା ଫଳରେକି ଡେଲାଙ୍ଗ ବ୍ଳକରେ ଧାନ ମଣ୍ଡି ଗୁଡିକ ବନ୍ଦ ରହିଛି । ଏହି ଘଟଣା ଚାଷୀ ମାନେ ଜାଣିବା ପରେ ଡେଲାଙ୍ଗରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ତୁରନ୍ତ ପୁରୀ ଜିଲ୍ଳାପାଳ ମିଲର ମାନଙ୍କ ମନମୁଖୀ କାଟ ଛାଟ ପ୍ରତି ନଜର ଦେବାକୁ ସାକ୍ଷୀଗୋପାଳ ଓ ଡେଲାଙ୍ଗ ବ୍ଳକର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୧୨/୨୦୨୦, ୮,୪୦