ନୟାଗଡ଼ ଚିନିକଳ ପୁନଃ କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର
ନୟାଗଡ଼ ----- ନୟାଗଡ଼ ଜିଲ୍ଲାରେ ଚିନିକଳ ପୁନଃ କାର୍ଯ୍ୟକ୍ଷମ ହେବାପାଇଁ ଆଶା ସଞ୍ଚାର ହୋଇଛି।ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ ସଦସ୍ୟ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବାରମ୍ବାର ଧାରଣା ଏବଂ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ୧୨ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ଚିନିକଳର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ଥିତାବସ୍ଥାର ସଠିକ ତାଲିକା ନିରୂପଣ କରାଯିବ । ଜଣେ ଏଜିକ୍ୟୁଟିଭ୍ ମାଜିଷ୍ଟ୍ରେକଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରସ୍ତୁତ କରାଯିବ ବୋଲି ନୟାଗଡ଼ ସମବାୟ ଚିନିଶିଳ୍ପ ଭାରପ୍ରାପ୍ତ ଅଧିକାରୀ ତଥା ଜିଲାପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ବନ୍ଦ ଥିବା ଏହି କଳକୁ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ କେତେ ଦୂର ନିଷ୍ଠାବାନ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏଠାରେ ସୂଚନା ଯୋଗ୍ୟ ଯେ,ଉନ୍ନତ ଏବଂ ସଘନ ଆଖୁଚାଷ ନିମନ୍ତେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ନୟାଗଡ଼ ଜିଲାରୁ ଏବେ ବିଭିନ୍ନ କାରଣ ଯୋଗୁଁ ଏହି ଅର୍ଥକାରୀ ଫସଲ ଲୋପ ହେବାରେ ଲାଗିଛି । ଏଠାରେ ଏଭଳି ବ୍ୟାପକ ଭାବେ ଉନ୍ନତ ଆଖୁଚାଷ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୧୯୮୮ ମସିହାରେ ନୟାଗଡ଼ ବ୍ଲକ ପାଣିପୋଇଲା ଠାରେ ସମବାୟ ଭିତ୍ତିରେ ଏକ ଚିନିକଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିଲା ।
ଏହି କଳ ଏଠାରେ ପ୍ରତିଷ୍ଠା ହେବା ପରେ ନୟାଗଡ଼ ଜିଲାର କୃଷି ଅର୍ଥନୀତି ଅଧିକ ବିକଶିତ ଏବଂ ସମୃଦ୍ଧ ହୋଇଥିଲା । ସେ ସମୟରେ ହଜାର ହଜାର ଚାଷୀ ଆଖୁ ଚାଷ କରି ବେଶ ଲାଭବାନ ହୋଇପାରିଥିଲେ । କେବଳ ନୟାଗଡ଼ ନୁହେଁ ଖୋର୍ଦ୍ଧା,ପୁରୀ,ଜଗତସିଂହପୁର ଜିଲାର ମଧ୍ୟ ଶହ ଶହ ଆଖୁ ଚାଷୀ ଏହି କଳଦ୍ୱାରା ଲାଭବାନ ହୋଇଥିଲେ । ତେବେ,କିଛି ବର୍ଷ ସୁରୁଖୁରୁରେ ଚାଲିବା ପରେ ପରବର୍ତ୍ତୀ ସମୟରେ ପରିଚାଳନା ଗତ ତୃଟି ଯୋଗୁଁ ଏହି କାରଖାନା କ୍ଷତିରେ ଚାଲିଥିଲା ।
ରାଜ୍ୟ ସରକାର ଦୂରଦୃଷ୍ଟି ନରଖି ଏହାକୁ ପରବର୍ତ୍ତୀ ସମୟରେ ଚେନ୍ନାଇର ଏକ ଘରୋଇ କମ୍ପାନୀ ଧରଣୀ ସୁଗାରର୍ସକୁ ଏହାର ପରିଚାଳନା ଦାୟିତ୍ୱ ଟେକି ଦେଇଥିଲେ । ତେବେ,ଏହି କମ୍ପାନୀ କାରଖାନା ବା ଆଖୁଚାଷୀ କିମ୍ବା ଏଠାରେ ନିୟୋଜିତ କର୍ମଚାରୀ ମାନଙ୍କ ସ୍ୱାର୍ଥକୁ ନଦେଖି ନିର୍ବିଘ୍ନରେ ବହୁ ଟଙ୍କା ଲୁଟି ନେଇ ପଳାଇଯାଇଥିଲା ଉକ୍ତ କମ୍ପାନୀ ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ୨୦୦୪ ମସିହାରେ ଏହି ଐତିହ୍ୟ ସମ୍ପନ୍ନ ଶିଳ୍ପକୁ ତ୍ରୈଲୋକ୍ୟ ମିଶ୍ର ନାମକ ଅନ୍ୟ ଜଣେ ଘରୋଇ ମାଲିକଙ୍କୁ ମାତ୍ର ୫କୋଟି ୨୫ଲକ୍ଷ ଟଙ୍କାରେ ରାଜ୍ୟ ସରକାର ବିକ୍ରି କରି ଦେଇଥିଲେ । ତେବେ,ଶ୍ରୀ ମିଶ୍ର ଏହି କାରଖାନା ନାମରେ ବ୍ୟାଙ୍କରେ ବିପୁଳ ପରିମାଣର ଋଣ କରି ଶେଷରେ ଏହାକୁ ୨୦୧୪ ମସିହାରେ ତାଲା ପକାଇ ଚାଲିଯାଇଥିଲେ ।
ଫଳରେ,ହଜାର ହଜାର ଆଖୁଚାଷୀ ଏବଂ ୪୫୦ଜଣ କର୍ମଚାରୀ ହତାଶ ହୋଇ ପଡ଼ିଛନ୍ତି । ଏହି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଚାଷୀ ଏବଂ କର୍ମଚାରୀ ଏକ କ୍ରିୟାନୁଷ୍ଠାନ ଗଠନ କରାଯାଇ ଦୀର୍ଘଦିନ ହେଲା ଗଣଧାରଣା, ପଥପ୍ରାନ୍ତ ସଭା, ପଦଯାତ୍ରା,ସଚେତନତା ସମାବେଶ ନୟାଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ କରାଯାଇଥିଲା । ମାତ୍ର କୌଣସି ସୁଫଳ ମିଳିଲାନାହିଁ । ତେବେ,ଗତ ୨୦୧୯ସାଧାରଣ ନିର୍ବାଚନ ସମୟରେ ଶାସକ ବିଜେଡ଼ି ସମେତ ବିଜେପି ଏବଂ କଂଗ୍ରେସ ଦଳପକ୍ଷରୁ କାରଖାନା ପୁଣି ଚଳାଇବା ନେଇ ଯେଉଁ ଭଳି ତୁମ୍ବିତୋଫାନ କରାଯାଇ ତାହାକୁ ନେଇ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି । ଏହି ତିନି ତୁଙ୍ଗ ଦଳର ନେତା ମାନେ ଚିନି କାରଖାନାକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ଆଶା ସଞ୍ଚାର ହୋଇଛି।
ଚିନିକଳକୁ କାର୍ଯ୍ୟକ୍ଷମ କରିବା ପାଇଁ ଆସନ୍ତା ୬ ତାରିଖରେ ନୟାଗଡ଼ ବନ୍ଦ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୋଭାଯାତ୍ରା କରିବାବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ଜନସାଧାରଣ କିପରି ଭାବରେ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ