ଗ୍ରାମ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା
ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳୀ ପଞ୍ଚାୟତର ସାମନ୍ତରାପୁରଠାରୁ ଡାଳତୋଳା ପର୍ଯ୍ୟନ୍ତ ଯାଇଥିବା ୨ କିମି ଗ୍ରାମ୍ୟ ରାସ୍ତାଟି ମରାମତି ଅଭାବରୁ ଖାଲଖମା ହୋଇ ମରଣଯନ୍ତାରେ ପରିଣତ ହୋଇ ଗଲାଣି । ରାସ୍ତାରେ ଯାତାୟତ କରୁଥିବା ଗାଡି ମଟର ,ପଥଚାରୀ,ମୋଟର ସାଇକେଲ ଓ ସାଇକେଲ ଚାଳକ ମାନେ ଅନ୍ଧକାର ରାତିରେ ଯାତାୟତ କରିବା କଷ୍ଟକର ହୋଇପଡୁଛି । ଏନେଇ ସ୍ଥାନୀୟ ଜନସାଧାରଣ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଜଣାପଡିଛି ।ଉକ୍ତ ରାସ୍ତାଟି ୭ ଟି ପଞ୍ଚାୟତ ସହିତ ସଂଯୋଗ କରୁଛି । ଖୋର୍ଦ୍ଧା-ବରହମପୁର ୧୬ ନମ୍ବର ଜାତୀୟ ରାଜପଥ ସହିତ ସଂଯୋଗ ହୋଇଅଛି । ଫଳରେ ବ୍ଲକ ଅଞ୍ଚଳର ବହୁ ଜନସାଧାରଣ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । କମ ବାଟ ପଡୁଥିବାରୁ ସମସ୍ତେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ସାମନ୍ତାରାପୁର ଛକରୁ ୧୦୦ ମିଟର ଢଳେଇ ହୋଇଛି । ସେହିପରି ଡାଳତୋଳାପଟୁ ୨୦୦ ମିଟର ପିଚୁ କରାଯିବା ସହ ମଝି ଅଂଶତକ ମାଟି ରାସ୍ତା ହୋଇ ପଡିଛି । ନିମ୍ନମାନର କାମ ଯୋଗୁଁ ରାସ୍ତାରୁ ପିଚୁ ଉଠି ଢଳେଇ ନଷ୍ଟ ହେବାକୁ ବସିଥିବା ବେଳେ ଏହି ରାସ୍ତାପ୍ରତି ବିଭାଗୀୟ କର୍ମଚାରୀ ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି ।ସ୍ଥାନୀୟ ଜନସାଧାରଣ ଏହି ରାସ୍ତାର ପୁନରୁଦ୍ଧାର କରିବା ପାଇଁ ବହୁବାର ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଇବା ସହ ଧାରଣାରେ ବସିଥିଲେ ମଧ୍ୟ ଅଧିକାରୀ ମାନଙ୍କଠାରୁ ପାଇଥିବା ପ୍ରତିଶୃତି ପାଣିର ଗାର ସଦୃଶ ହୋଇଛି । ଏହି ରାସ୍ତା ଉପରେ ବ୍ଲକର ଅର୍ଦ୍ଧାଧିକ ଲୋକ ନିର୍ଭର କରୁଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା