କର୍ମଚାରୀ ଅଭାବରୁ ବେଗୁନିଆ ତହସିଲରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
ବେଗୁନିଆ----ସରକାର ଜନସାଧାରଣଙ୍କ ହିତ ନିମନ୍ତେ ପ୍ରତିଦିନ ମାଳମାଳ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରକୃତରେ ସେହି ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି । ଜନସାଧାରଣ ତାହାର ସୁଫଳ ପାଉଛନ୍ତି ନାଁ ନାହିଁ ତାକୁ ଅନୁଧ୍ୟାନ କରିବାକୁ କେହି ନାହିଁ । ଭିତିଭୂମି ଠିକ ନଥାଇ ସରକାର ନିଜର ସ୍ୱାର୍ଥ ପାଇଁ ଜନସାଧାରଣଙ୍କୁ ଭୂଆଁ ବୁଲାଇ ଯୋଜନା ଉପରେ ଯୋଜନା କାର୍ଯ୍ୟକାରୀ କରିବାରେ ଲାଗି ପଡିଛନ୍ତି ।କିନ୍ତୁ ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀ ଅଭାବରୁ ଉନ୍ନୟନ କାର୍ଯ୍ୟ ବ୍ୟାହତ ହେଉଥିବା ବେଳେ ଏବେ ସରକାର ପ୍ରଣୟନ କରିଥିବା ମୋ ସରକାର ଓ ୫ ଟି ଯୋଜନା ଏଠାରେ ପ୍ରହସନରେ ପରିଣତ ହୋଇଛି । ବେଗୁନିଆ ତହସିଲ କାର୍ଯ୍ୟାଳୟରେ ୩ ଜଣ ଜୁନିୟର କ୍ଲର୍କ ରହିବା ପାଇଁ ଥିବା ବେଳେ ଜଣେ ଜୁନିୟର କ୍ଲର୍କ ରହିଛନ୍ତି । ସେହିପରି ଜଣେ ସିନିୟର କ୍ଲର୍କ ରହିଥିବା ବେଳେ ହେଡ କ୍ଲର୍କ ନିଯୁକ୍ତ ହୋଇ ନାହାନ୍ତି । ଅତିରିକ୍ତ ତହସିଲଦାର ଜନ୍ମେଜୟ ସାହୁ ପୁରୁଷୋତମପୁର ବଦଳି ହୋଇ ଗଲାପରେ ତାଙ୍କ ଯାଗାରେ କେହି ନିଯୁକ୍ତ ହୋଇ ନାହାନ୍ତି । ସେହିପରି ୪ ଜଣ ପିଅନ ରହିବା ପାଇଁ ଥିବାବେଳେ ଦୁଇ ଜଣ ପିଅନ କାର୍ଯ୍ୟକରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପିଅନ ଏହି ମାସ ଶେଷରେ ଅବସର ନେଉଥିବାର ଜଣାପଡିଛି ।ଚାରୋଟି ରାଜସ୍ୱ ନିରୀକ୍ଷକ ସର୍କଲ ମଧ୍ୟରୁ ବାଘମାରୀ, ବେଗୁନିଆ ଓ ସିକୋ ଆଦି ଯାଗାରେ ଏଆରଆଇ ଏବଂ ପିଅନ ନଥିବାର ଜଣାପଡିଛି । ଫଳରେ ରାଜସ୍ୱ କେସ ଗୁଡିକ ଫଇସଲା କରିବାରେ ଘୋର ବାଧା ସୃଷ୍ଟି ହେଉଛି । କର୍ମଚାରୀ ଅଭାବରୁ ତହସିଲ ସମ୍ପର୍କିତ ନୋଟିସ ଜାରି,ମ୍ୟୁଟେସନ,ଡିମାରକେସନ ,ବସୁନ୍ଧରା ,ଲିଜ ଓ ଜଗନ୍ନାଥଙ୍କ ଜମିଜମା ସଂଶୋଧନ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଛି ।ଏଠାରେ କାର୍ଯ୍ୟରତ ଦୁଇ ଜଣ କିରାଣୀଙ୍କ ମଧ୍ୟରୁ ଜଣେ ନାଜର ସେକସନ ଅଧିନରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ରେକର୍ଡ ରୁମ ଦାୟିତ୍ୱରେ ରହିଛନ୍ତି । ଫଳରେ ଜରୁରୀକାଳିନ କାର୍ଯ୍ୟ ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ଆଶାନୁରୂପକ ଭାବେ ହୋଇ ପାରୁ ନାହିଁ । ଫଳରେ ଅନେକ ସମୟରେ ଏଥିପାଇଁ କାର୍ଯ୍ୟାଳୟର କର୍ମଚାରୀ ମାନେ ଜନସାଧାରଣଙ୍କ ସହିତ ମୁହାଁ ମୁହିଁ ହେଉଥିବା ଦେଖିବାକୁ ମିଳିଛି । ବେଗୁନିଆ,ଟାଙ୍ଗୀ ,ଜଟଣୀ,ବାଲିଅନ୍ତା ଓ ବୋଲଗଡ ତହସିଲ କାର୍ଯ୍ୟାଳୟ ଏକା ଦିନରେ ଖୋଲିଥିବା ବେଳେ ସରକାର ଏଥି ମଧ୍ୟରୁ ଜଟଣୀ ଓ ବାଲିଅନ୍ତାକୁ ଷ୍ଟାପିଙ୍ଗ ପ୍ୟାଟର୍ନରେ ନେଇ ନିୟମାନୁସାରେ କର୍ମଚାରୀ ଯୋଗାଇ ଦେଇଥିବା ବେଳେ ବେଗୁନିଆ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ନିୟମ ଅନୁସାରେ ତୁରନ୍ତ ଏହି ତହସିଲକୁ ଷ୍ଟାପିଙ୍ଗ ପ୍ୟାଟର୍ନରେ ଅନ୍ତଭୁକ୍ତ କରି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଯୋଗାଇ ଦେଲେ ଜନସାଧାରଣଙ୍କ କାର୍ଯ୍ୟ ଠିକ ଭାବରେ ହୋଇ ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ନ୍ଣକ୍ଟ୍ରଚ୍ଛ ଆଗାମି ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଜଣାପଡିଛି । ବେଗୁନିଆରୁ ଯୋଗେଶ୍ୱର ପଣ୍ଡା