ମାଘମେଳା ନିମନ୍ତେ ନୀତି ନିର୍ଦ୍ଧାରଣ କମିଟି ବୈଠକ
କୋଣାର୍କ ----- ଜାନୁୟାରୀ ୩୧ ଓ ଫେବୃୟାରୀ ୧ରେ ଅନୁଷ୍ଠିତ ହେବ ମାଘମେଳା । ଏଥି ନିମନ୍ତେ ସୋମବାର ଅପରାହ୍ନରେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଜିଉମାନଙ୍କ ନୀତି ନିର୍ଦ୍ଧାରଣ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଘମେଳା ନୀତି ସମ୍ପାଦନ କମିଟିର ସ୍ଥାୟୀ ଅଧ୍ୟକ୍ଷ ପୁରୀ ଉପଜିଲ୍ଳାପାଳ ଭବତାରଣ ସାହୁଙ୍କ ପୌରୋହିତ୍ୟ କରିଥିଲେ । ବୈଠକରେ ନିମାପଡ଼ା ଏସଡିପିଓ ପ୍ରଦିପ କୁମାର ଦଳାଇ, କୋଣାର୍କ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ, ଗୋପ ତହସିଲଦାର ପୃଥିବୀରାଜ ମଣ୍ଡଳ ଓ ବିଡିଓ ଦିପ୍ତୀରାଣୀ ଦାଶ, କାକଟପୁର ତହସିଲଦାର ରୋଜିନା ଦାସ ଓ ବିଡିଓ ସୁଧିର ନାୟକ, ନିମାପଡା, ଅସ୍ତରଙ୍ଗ ତହସିଲଦାର ଓ ବିଡିଓ, ତ୍ରିବେଣୀଶ୍ୱର ସେବାୟତ କମିଟି ମୁଖ୍ୟ, କାର୍ତ୍ତିକଚନ୍ଦ୍ର ପାଢୀ, ଐଶାଣେଶ୍ୱର ସେବାୟତ କମିଟି ମୁଖ୍ୟ ରବୀନ୍ଦ୍ରନାଥ ପଣ୍ଡା, ଦକ୍ଷିଣେଶ୍ୱର ସେବାୟତ କମିଟି ମୁଖ୍ୟ ଡମ୍ବରୁଧର ପଣ୍ଡାଙ୍କ ସମେତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଖଡିରତ୍ନ ପଞ୍ଜିକାରେ ପ୍ରଦତ ଅମୃତ ବେଳା ଅନୁଯାୟୀ ଠାକୁରମାନଙ୍କ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ର ଓ ତୀର୍ଥସ୍ନାନ ନିମନ୍ତେ ନୀତି ନିର୍ଘଣ୍ଟ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଜାନୁୟାରୀ ୨୧ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା ୧୦ ରୁ ୧୦ଟା ୩୦ ମଧ୍ୟରେ ମାଧିପୁର ଗ୍ରାମର ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁର ଗ୍ରାମର ଐଶାଣେଶ୍ୱର ମହାଦେବ ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଦେବ ନିଜ ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିବେ । ଏହା ପରେ ଶୋଭାଯାତ୍ରାରେ ବାହାରି ରାତି ୧୧ଟା ୩୦ ସୁଦ୍ଧା ତିନିଠାକୁର କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖସ୍ଥ ମଣ୍ଡପରେ ପହଞ୍ଚିବା ପରେ ମିଳିତ ଭାବେ ପୂଜାର୍ଚ୍ଚନା କରାଯିବ । ରାତି ୧ଟା ସୁଦ୍ଧା ଏନଏସି କାର୍ଯ୍ୟାଳୟ ପରିସରରୁ ଶ୍ରୀଜୀଉମାନେ ମିଳିତ ଶୋଭାଯାତ୍ରାରେ ବାହାରି କୋଣାର୍କ ଆର.ଆଇ ଅଫିସ ଓ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଭୋଗ ଖାଇବା ପରେ ରାତି ୨ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ । ଏଠାରେ ପାରମ୍ପରିକ ରୀତିନୀତିରେ ଶ୍ରୀଜୀଉମାନଙ୍କର ପୂଜାହୋମ କର୍ମ ସମ୍ପାଦନ କରିବା ପରେ ମାଘ ଶ୍ୁକ୍ଳ ସପ୍ତମୀ(୧ତାରିଖ) ରାତି ୧ଟା ୧୭ରୁ ପ୍ରତ୍ୟୁଷ ୩ଟା ୫୦ ମଧ୍ୟରେ ଶ୍ରୀଜୀଉମାନଙ୍କୁ ପବିତ୍ର ତୀର୍ଥ ଜଳରେ ସ୍ନାନ କରିବାର ମାହେନ୍ଦ୍ର ମୁହୁର୍ତ୍ତ ରହିଛି । ୩ଟା ୪୫ରେ ତ୍ରିଦେବଙ୍କ ମିଳିତଭାବେ ସ୍ନାନ ପରେ ପରେ ପ୍ରତ୍ୟୁଷ ୪ଟାରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ତୀର୍ଥ ଜଳରେ ସ୍ନାନ କରିବାର ସୁଯୋଗ ପାଇବେ । ତିନିଠାକୁରଙ୍କ ନୀତିକାନ୍ତିକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଗୋପ, ନିମାପଡା, କାକଟପୁର, ଅସ୍ତରଙ୍ଗର ତହସିଲଦାର, ବିଡିଓ, କୋଣାର୍କ ଥାନାଧିକାରୀ, କୁରୁଜଙ୍ଗ ସରପଞ୍ଚ, କର୍ତ୍ତା ସଞ୍ଜୟ ରାଉତରାୟ ଓ ପୂର୍ବତ୍ତନ ସରପଞ୍ଚ ଶରତ ମାହାରୀଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଛି । ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ନେତୃତ୍ୱରେ ଏନସିସି, ଏନଏସଏସ, ସ୍କାଉଟ ଗାଇଡ, ଯୁବକ ସଂଘ, ମହିଳା ସଂଘ, ନେହେରୁ ଯୁବକେନ୍ଦ୍ର ସମେତ ସ୍କୁଲ ଓ କଲେଜର ୨୦୦ଜଣ ସ୍ୱେଚ୍ଛାସେବୀ ମେଳାରେ ମୁତୟନ ରହି ଶ୍ରଦ୍ଧାଳୁମାନଙ୍କୁ ସେବା ଯୋଗାଇଦେବେ । ଏହି ବୈଠକରେ ମେଳାସହ ଜଡିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଅନୁପସ୍ଥିିତିକୁ ନେଇ କ୍ଷେଭୋ ପ୍ରକାଶ କରାଯାଇଥିଲା । ନିତିନିର୍ଦ୍ଧାରଣ ବୈଠକ ଶେଷରେ ଗୋପ ତହସିଲଦାର ପୃଥବୀରାଜ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ