ରଣପୁର ଅର୍ଜ୍ଜୁନ ମହୋତ୍ସବ ଉଦଘାଟିତ
ନୟାଗଡ଼ ---- ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବିଜ୍ଞାପିତ ଅଞ୍ଚଳରେ ରଣପୁର ମହୋତ୍ସବ "ଅର୍ଜ୍ଜୁନ" ସ୍ଥାନୀୟ ବାଘସାମନ୍ତ ପଡ଼ିଆରେ ଉଦଘାଟିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ରଣପୁର ମହୋତ୍ସବର ଏକ ସ୍ୱାତନ୍ତ୍ର୍ୟ ରହିଛି। ରଣପୁର ମାଟିର ବୀର ଅର୍ଜ୍ଜୁନ ରାଉତ ୧୯୩୯ ମସିହା ଜାନୁଆରୀ ୫ ତାରିଖରେ ବେଜ୍ଜଲ ଗେଟଙ୍କ ଗୁଳିରେ ଶହୀଦ ହୋଇଥିଲେ। ସେହିଦିନଟିକୁ ସ୍ମରଣୀୟ କରିବା ପାଇଁ ମହୋତ୍ସବ ପ୍ରତ୍ୟେକ ବର୍ଷ ଜାନୁଆରୀ ୫ ତାରିଖରେ ଆରମ୍ଭ ହୁଏ। ସକାଳ ୮ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରା ବଜାର ପରିକ୍ରମା କରି ଦୋଳ ପଡ଼ିଆରେ ପହଞ୍ଚି ଶହୀଦ ରଘୁ ଦିବାକରଙ୍କ ସହ ଅର୍ଜୁନ ରାଉତଙ୍କୁ ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଉତ୍ସବକୁ ମହୋତ୍ସବ କମିଟିର ଅଧ୍ୟକ୍ଷ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ଶତପଥି, ମୂଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ, ସମ୍ମାନୀତ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ, ପିପୁଲସ ଫୋରମର ପ୍ରତିଷ୍ଠାତା ଗୋବିନ୍ଦ ପଟ୍ଟନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ଦୁର୍ଗା ଚରଣ ସାହୁ, ରଣପୁର ଏନ.ଏ.ସି. ଅଧ୍ୟକ୍ଷା ସବିତା ଦାସ, ଏନ.ଏ.ସି. ନିର୍ବାହୀ ଅଧିକାରିଣୀ ଅର୍ଚ୍ଚନା ନାୟକ, ମହୋତ୍ସବ କମିଟିର ସମ୍ପାଦକ ସୁରେଶ ମିଶ୍ର, ଆବାହକ ପୂର୍ଣ୍ଣଚନ୍ଦ୍ର ରାୟ ପ୍ରମୂଖ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଆଇନିଜୀବୀ ଦିଲିପ ନନ୍ଦ ଧନ୍ୟବାଦ ଦେଇଥିଲେ । ଉଦଘାଟନୀ ଉତ୍ସବରେ ପାରମ୍ପରିକ ସଂକୀର୍ତ୍ତନ, ଘୋଡ଼ା ନାଚ,ବାଘ ନାଚ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।ଖୋର୍ଦ୍ଧାର ପାଇକ ଆଖଡା ଓ ସିନେ ଅଭିନେତା ସବ୍ୟସାଚୀଙ୍କ ସଂଳାପ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ସଙ୍ଗୀତ କଳା ନିକେତନ ଦ୍ୱାରା ଭଜନ ସମାରୋହ ସହ ସ୍ଥାନୀୟ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୁସଜ୍ଜିତ ତୋରଣ ସାଙ୍ଗକୁ ଦୋଳି ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ମନୋହରୀ ଦୋକାନ ମିନା ବଜାର ବୁଲିବାର ଭରପୁର ମଜ୍ଜା ଉଠାଇଥିଲେ ଦର୍ଶକ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ