ଘର ଭାଙ୍ଗିଲେ, ଧାନ-ଚାଉଳ ଖାଇଗଲେ. ବଣୁଆହାତୀ ଉପଦ୍ରବ, ବଢୁଛି ଜନ ଅସନ୍ତୋଷ
ଭଞ୍ଜନଗର- - ଦିନକୁଦିନ ବଢୁଛି ବଣୁଆହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡ଼ି କେତେବେଳେ ଗାଁ ମୁହାଁ ହେଉଛନ୍ତି । ଧାନକ୍ଷେତରେ ପଶି , ଫସଲ ନଷ୍ଟ କରୁଛନ୍ତି । ଦିନ ଦ୍ବିପ୍ରହରେ ରାଜପଥରେ ପଇଁତରା ମାରୁଛନ୍ତି । ନା ରାସ୍ତାରେ ଲୋକେ ଯାଇପାରୁଛନ୍ତି ନା ଘରେ ପରିବାର ଲୋକେ ଶାନ୍ତିରେ ରହି ପାରୁଛନ୍ତି । ୨୪ ଘଣ୍ଟା ବଣୁଆ ହାତୀଙ୍କ ଭୟରେ ଦିନ ବିତାଉଛନ୍ତି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକେ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ଏବଂ ଗାଲେରୀ ବନାଞ୍ଚଳରେ ଗତ କିଛିଦିନ ହେଲା ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ରାଣୀକିଆରୀ ଗାଁ ନିକଟ ବିଜୟସାହି ରେ ୬ ଟି ଚାଳଛପର ଘର ଭାଙ୍ଗି ଦେଇଛନ୍ତି, ୨୬ ଟିକିଆ ହାତୀପଲ । ଜୀବନ ବଞ୍ଚାଇବାକୁ ସମସ୍ତ ପରିବାର ପିଲାଛୁଆଙ୍କୁ ଧରି ଘରୁ ଦୌଡ଼ି ପଳାଇଗଲେ । ଏହି ଗାଁ ର ଦିଲ୍ଲିପ ମଳିକ, ପଞ୍ଚାନନ ମଳିକ, ଭାସିମଳିକ, ସତ୍ୟ ମଳିକ, ଚଣ୍ଡାଳ ମଳିକ, ଟୁନା ମଳିକ ଏବଂ ପ୍ରଦିପ ମିଳିକଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ଖବର ପାଇ ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଖବର ଲେଖା ସୁଧା ହାତୀପଲ ଘଟଣା ସ୍ଥଳ ପାଖାପାଖି ରହିଥିବାରୁ ବନ କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହିଥିଲେ । ଏବଂ ହାତୀପଲ ର ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ଘଟଣା ସ୍ଥଳରୁ ଗାଲେରୀ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୪---୯,୩୫ Sakhigopal News,2/12/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୨/୨୦୨୪---୯,୩୫ Sakhigopal News,2/12/2024