ବରକେରାରେ ଗୋପୂଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଡେଲାଙ୍ଗ--- ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବରକେରା ଗ୍ରାମରେ ପରିବେଶ କର୍ମି ମିଟୁ କିଶୋର ପ୍ରଧାନଙ୍କ ଦ୍ଵାରା ଗୋ ପୂଜନ ଓ ରାମକଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଭାଗବତ ବାସୁଦେବଙ୍କ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାଚୀନ ହିନ୍ଦୁ ସଂସ୍କୃତିର ଦେବାଳୟରେ ମୂର୍ତ୍ତି ପୂଜା ଯେପରି ଏକ ବଳିଷ୍ଠ ଚିନ୍ତାର ନିଦର୍ଶନ ତାଦୃଶ ପବିତ୍ର ଗୋସେବା ବ୍ରତ ହେଉଛି ହିନ୍ଦୁର ଅନ୍ୟଏକ ବଳିଷ୍ଠ ଧର୍ମ।ଗୋମୟ,ଗୋମୂତ୍ର ,ଗୋଦଧି, ଗୋଦୁଗ୍ଧ ଓ ଗୋ ଘୃତର ମିଶ୍ରଣରେ ପ୍ରସ୍ତୁତ ପଞ୍ଚଗବ୍ଯ ଏକ ଅମୋଘ ଔଷଧ ଯାହା ବିଜ୍ଞାନ ପ୍ରମାଣ କରିଛି ଓ ମାନବ ସମାଜର ଅହେତୁକ କଲ୍ୟାଣ ସାଜିଛି । ସେହି ପୂତ ପବିତ୍ରମୟୀ ଗୋମାତାର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶରେ ପ୍ରଥମେ ଗୋମାତାଙ୍କୁ କୁକୁମ କସ୍ତୁରୀ ଚନ୍ଦନ ଅଗୁରୁ ମିଶ୍ରିତ ସୁବାସିତ ଜଳରେ ପଦଧଉତ ପୂର୍ବକ ମସ୍ତକରେ ସିନ୍ଦୁର କଜ୍ଜ୍ଵଳ ଲଗାଇ ମାଲ୍ୟାର୍ପଣ କରାଯାଇଥିଲା।ଗ୍ରାମର ଆବାଳବୃଦ୍ଧବନିତାଙ୍କ ହରିବୋଲ ହୁଳହୁଳିରେ ତଥା ପୁରୋହିତଙ୍କ ବୈଦିକ ମନ୍ତ୍ର ପୁରଶ୍ଚରଣରେ ମୁଖରିତ ହୋଇଥିଲା ଗ୍ରାମ୍ୟ ପରିବେଶ।ପରେ ଗୋମାତାଙ୍କୁ ଫଳମୂଳ ଶାକାଦି ଆହାର ପ୍ରଦାନ ପୂର୍ବକ ବନ୍ଦାପନା କରାଯାଇଥିଲା।ଗୋପୂଜନ କାର୍ଯ୍ୟକ୍ରମର ପରିସମାପ୍ତି ପରେ ଆରମ୍ଭ ହୋଇଥିଲା ଗୋ ମହାତ୍ମା ଓ ରାମକଥା ଉପରେ ଆଧାରିତ ସାନ୍ଧ୍ୟ ପ୍ରାବଚନିକ କାର୍ଯ୍ୟକ୍ରମ। ଏଥିରେ ଯୋଗଦେଇଥିଲେ ସର୍ବ ଶ୍ରୀ ପ୍ରମୋଦ କୁମାର ନାୟକ, ସୁଧୀର କୁମାର ଜେନା,ଲକ୍ଷ୍ମୀପସାଦ ପାଣି, ଭବାନୀ ପ୍ରସାଦ ଦାଶ, ହୃଦାନନ୍ଦ ଆଚାର୍ଯ୍ୟ ଓ ଦିଗମ୍ବର ରଥ ସମୂହ ଭଗବାନଙ୍କର ବାଙ୍କି ମୟୀ ସେବାରେ ନିୟୋଜିତ ରହି ଶ୍ରୋତାମାନଙ୍କୁ ହରି ରସରେ ଆପ୍ୟାୟିତ କରିଥିଲେ।ସର୍ବ ଶେଷରେ ମିଟୁ କିଶୋର ପ୍ରଧାନ ପ୍ରବକ୍ତାମାନଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ପ୍ରଦାନ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧୧/୨୦୨୨---୮,୫୫ Sakhigopal News,9/11/2022