ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଘୋର ଅବ୍ୟବସ୍ଥା ,ଖରାରେ ସିଝିଲେ ଦିବ୍ଯାଙ୍ଗ, ହୁଇଲ ଚେୟାର ଥାଇ ଘୁଷୁଡ଼ି ଘୁଷୁଡ଼ି ଗଲେ ଦିବ୍ଯାଙ୍ଗ
ଜଟଣୀ ----ଗୁରୁବାର ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଘୋର ଅବ୍ୟବସ୍ଥା ଭିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଜଟଣୀ ବ୍ଲକର ବିଭିନ୍ନ ଗାଁ ଏବଂ ପୌର ପରିଷଦ ଅଞ୍ଚଳରୁ ମିଶି ମୋଟ 497 ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିବା ବେଳେ 462 ଜଣ ଆଜିର ଶିବିରରେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ 192 ଜଣ ଶାରୀରିକ ଅକ୍ଷମ,58 ଜଣ ଶ୍ରବଣ ବାଧିତ,32 ଜଣ ଦୃଷ୍ଟି ବାଧିତ ଏବଂ 176 ଜଣ ମାନସିକ ଭିନ୍ନକ୍ଷମ ଉପସ୍ଥିତ ରହିଥିଲେ। ତେବେ ଏହି ଶିବିରରେ ବହୁ ସଂଖ୍ୟାରେ ଭିନ୍ନକ୍ଷମ ପହଞ୍ଚିଥିବା ବେଳେ ଏଠାରେ ଘୋର ଅବ୍ୟବସ୍ଥା ଦେଖାଯାଇଥିଲା । ସକାଳ 9 ଟାରେ ସମୟ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ଡାକ୍ତର ମାନେ 10.30 ମିନିଟ ପରେ ପହଞ୍ଚିଥିଲେ । ଶିବିର ଟି ସଠିକ ଭାବେ ପରିଚାଳନା ହେଉ ନଥିବାରୁ ହିତାଧିକାରୀ ମାନେ ଘଣ୍ଟା ଘଣ୍ଟା ଧରି ଖରାରେ ସିଝିଥିଲେ। ଛୋଟ ଛୋଟ ଟେଣ୍ଟ ବ୍ୟବସ୍ଥା ପାଇଁ ଏଭଳି ସ୍ଥିତି ଉପୁଜିଥିଲା । ସେହିଭଳି ଶାରୀରିକ ବିକଳାଙ୍ଗ ,ଭିନ୍ନକ୍ଷମ ମାନେ ଘୁଷୁଡ଼ି ଘୁଷୁଡ଼ି ଯିବା ଏବଂ ସେମାନଙ୍କୁ ଟେକି ଟେକି ନେବାର ମଧ୍ୟ ଦେଖା ଯାଇଥିଲା । ଯେତେବେଳ କି ବ୍ଲକରେ ହୁଇଲ ଚେୟାର ଥାଇ ମଧ୍ୟ ସଠିକ ପରିଚାଳନା ହୋଇ ନପାରିବାରୁ ଏଭଳି ଘଟିଥିବା ସୂଚନା ମିଳିଛି ।ଖରାରେ ସିଝୁଥିବା ଲୋକଙ୍କୁ ଜଟଣୀ ବିଡ଼ିଓ ସରୋଜ ରାଉତ କିଛି ସମୟ ପାଇଁ ଟେଣ୍ଟ ତଳେ ରଖିବାକୁ ପ୍ରୟାସ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଯେଉଁ କଥାକୁ ସେଇ କଥା । ତିରିମଲ୍ଲ ପଞ୍ଚାୟତରୁ ଆସିଥିବା ଜଣେ ମହିଳା ଭିନ୍ନକ୍ଷମ ଯେ କି ନିଜେ ଚାଲି ପାରୁନଥିଲେ ହୁଇଲ ଚେୟାର ନମିଳିବାରୁ ତାଙ୍କୁ ଜଣେ ଅଟୋ ଚାଳକ ଟେକି ଟେକି ନେଉଥିବାର ଦେଖିବାକୁ ମିଳିଥିଲା । ପୌର ପରିଷଦ ଅଞ୍ଚଳର ଜଣେ ଶାରୀରିକ ବିକଳାଙ୍ଗ ଘୁଷୁଡ଼ି ଘୁଷୁଡ଼ି ଯାଇ ଅସ୍ଥିଶଲ୍ୟ ବିଭାଗ ଡାକ୍ତର ଙ୍କ ପାଖରେ ନିଜର ଭିନ୍ନକ୍ଷମ ପରୀକ୍ଷା ଦେଇଥିଲେ । ଏଭଳି ବହୁ ଅବ୍ୟବସ୍ଥା ଭିତରେ ଜଟଣୀ ବ୍ଲକ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବହୁ ହିତାଧିକାରୀ ଏଥିପାଇଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧୧/୨୦୨୨----୯,୨୫ Sakhigopal News,17/10/2022